ବନ୍ୟା ପରିସ୍ଥିତି ସୁଧୁରୁଛି, ଘାଇ ମରାମତି ଉପରେ ଗୁରୁତ୍ୱ : ଏସ୍ଆ‌ର୍‌ସି

0

ଭୁବନେଶ୍ୱର, ୧୯।୮: ମହାନଦୀ ଓ ତା’ର ଶାଖା ନଦୀରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିରେ ସୁଧାର ଆସୁଛି। ତେବେ ବନ୍ୟା ଜଳ ଛାଡ଼ିବା ପରେ କ୍ଷୟକ୍ଷତି ଆକଳନ କରାଯିବ। ଏବେ ଲୋକଙ୍କୁ ରିଲିଫ ସାମଗ୍ରୀ ଯୋଗାଇ ଦିଆଯିବା ସହ ଘାଇ ମରାମତି ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନର୍‌(ଏସଆର୍‌ସି) ପ୍ରଦୀପ ଜେନା କହିଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା କହିଛନ୍ତି ଯେ, ଆଜି ରାତି ୮ଟା ସୁଦ୍ଧା ହୀରାକୁଦର ୨୦ଟି ଗେଟ୍ ଖୋଲାଯାଇଛି। ଜଳଭଣ୍ଡାରରେ ଜଳସ୍ତର ଏବେ ୬୨୧.୫୮ ଫୁଟ ଥିବାବେଳେ ଏହାକୁ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ୬୨୦ ଫୁଟ୍ ଭିତରେ ସୀମିତ ରଖିବାକୁ ପଦକ୍ଷେପ ନିଆଯାଉଛି। ଏବେ ଜଳଭଣ୍ଡାର ଭିତରକୁ ୨.୭୩ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୩.୫୦ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ତେବେ ମୁଣ୍ଡୁଳୀଠାରେ ଜଳସ୍ତର ହ୍ରାସ ବେଶ୍ ଧୀମା ରହିଛି । ମହାନଦୀ ଓ ତା’ର ଶାଖା ନଦୀଗୁଡ଼ିକରେ ହୋଇଥିବା ମୋଟ ୭ଟି ଘାଇର ମରାମତି ଉପରେ ଏବେ ଗୁରୁତ୍ୱ ଦିଆଯାଉଛି । ଏସବୁ ଘାଇକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି।

ଏବେ ବନ୍ୟା ପ୍ରଭାବିତ ଅଂଚଳରେ ଲୋକଙ୍କୁ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବାବେଳେ ପାଣି ଛାଡ଼ିବା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ ଓ ଖୋର୍ଦ୍ଧା ଜିଲ୍ଲାର ପ୍ରଭାବିତଙ୍କୁ ୧୫ଦିନ ରିଲିଫ ଓ ଅନ୍ୟ ୫ଟି ଜିଲ୍ଲାରେ ୭ଦିନ ରିଲିଫ ଦିଆଯିବ। ମହାନଦୀ ଅବବାହିକାରେ ଥିବା ଜିଲ୍ଲାଗୁଡ଼ିକରେ ବନ୍ୟା ଯୋଗୁ ମୋଟ ୨ଲକ୍ଷ ୭୭ହଜାର ୯୫୫ଜଣ ବିଦ୍ୟୁତ ଉପଭୋକ୍ତା ପ୍ରଭାବିତ ହୋଇଥିବାବେଳେ ଆଜି ରାତି ସୁଦ୍ଧା ସେମାନଙ୍କ ମଧ୍ୟରୁ ମାତ୍ର ୨୩ହଜାର ଉପଭୋକ୍ତାଙ୍କୁ ବାଦ୍ ଦେଇ ସମସ୍ତଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଛି । ପାଣି ଛାଡ଼ିବା ପରେ ବାକି ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଦେବା କାର୍ଯ୍ୟ କରାଯାଉଛି । ସେହିପରି ଆଜି ବନ୍ୟାଂଚଳରେ ମୋଟ ୯ଲକ୍ଷ ପାଣି ପାଉଚ୍ ଓ ବୋତଲ ବଂଟନ କରାଯାଇଛି । ୧୯୩ଟି ମୋବାଇଲ ପାଣି ଟାଙ୍କର ମାଧ୍ୟମରେ ଲୋକଙ୍କୁ ପାଣି ଯୋଗାଇ ଦିଆଯାଉଛି। ୬୧୮ ମେଟ୍ରିକ ଟନ୍ ଗୋଖାଦ୍ୟ ଆଜି ପ୍ରଭାବିତ ବିଭିନ୍ନ ଜିଲ୍ଲାକୁ ପଠାଯାଇଛି।

ବନ୍ୟା ଜଳ ଛାଡ଼ିବା ପରେ କ୍ଷୟକ୍ଷତି ଆକଳନ କରାଯିବ । ତେବେ କେନ୍ଦ୍ର ସରକାରଙ୍କୁ ସ୍ମାରକପତ୍ର ଦେବା ଉପରେ ପ୍ରତିକ୍ରିୟା ଉପରେ ଏସଆରସି ଶ୍ରୀ ଜେନା କହିଛନ୍ତି ଯେ, ତାହା ପରବର୍ତ୍ତୀ ଅବସ୍ଥାରେ ଚିନ୍ତା କରାଯିବ । ଏବେ ଲୋକଙ୍କୁ ରିଲିଫ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯାଉଛି । କେନ୍ଦ୍ର ସରକାରଙ୍କୁ ସ୍ମାରକପତ୍ର ଦେବାର ନିୟମରେ ପରିବର୍ତ୍ତନ ହୋଇଛି । ଯୁଗ୍ମ କ୍ଷୟକ୍ଷତି ଆକଳନ ଓ ଯୁଗ୍ମ ଆବଶ୍ୟକତା ଆକଳନ କରାଯିବାର ବ୍ୟବସ୍ଥା ରହିଛି । ଯଦି ଆବଶ୍ୟକ ପଡ଼େ ତା’ହେଲେ ଯୁଗ୍ମ କ୍ଷୟକ୍ଷତି ଆକଳନ କରାଯିବ । ଆମ ପାଖରେ ଯେତିକି ଅର୍ଥ ଅଛି ସେ ସରିବା ପରେ କେନ୍ଦ୍ର ସରକାରଙ୍କୁ ସହାୟତା ମଗାଯିବ କି ନାହିଁ ତାହା ବିଚାର କରାଯିବ । ବନ୍ୟା ପ୍ରଭାବିତ ଅଂଚଳରେ ୧୫୯ଟି ମୋବାଇଲ୍ ମେଡିକାଲ ଟିମ୍ ଓ ୧୧୦ଟି ମୋବାଇଲ୍ ହେଲଥ ଟିମ୍ ପ୍ରାୟ ୫୫୦୦ଲୋକଙ୍କୁ ଚିକିତ୍ସା କରିଛନ୍ତି । ୫ଜଣଙ୍କୁ ସାପ କାମୁଡ଼ିଥିବାର ଖବର ମିଳିଛି । ଗତ ୨ଦିନ ମଧ୍ୟରେ ପ୍ରାୟ ୫.୧୪ଲକ୍ଷ ଗାଈଗୋରୁଙ୍କୁ ଟୀକା ପ୍ରଦାନ କରାଯାଇଛି ଓ ଏହି ଟୀକାକରଣକୁ ବ୍ୟାପକ କରିବା ନିମନ୍ତେ ପଦକ୍ଷେପ ନିଆଯାଉଛି ବୋଲି ଶ୍ରୀ ଜେନା କହିଛନ୍ତି।

Leave A Reply

Your email address will not be published.