‘ନୂଆଖାଇ’ରେ ୨ ଦିନ ସରକାରୀ ଛୁଟି ପାଇଁ ବିରୋଧୀ ଦଳ ନେତାଙ୍କ ଦାବି

0

ଭୁବନେଶ୍ବର, ୨୬।୮: ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଖାଇ’ରେ ୨ ଦିନ ସରକାରୀ ଛୁଟି ଘୋଷଣା କରିବା ପାଇଁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଦାବି କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୨ ପୃଷ୍ଠାର ଚିଠି ଲେଖି ଶ୍ରୀ ମିଶ୍ର କହିଛନ୍ତି ଯେ, ପଶ୍ଚିମ ଓଡ଼ିଶାରେ ନୂଆଖାଇ ପର୍ବକୁ ବେଶ୍ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳନ କରାଯାଏ। ନୂଆଖାଇ ପର୍ବ ବର୍ଷା ଋତୁ ପରେ ପଶ୍ଚିମଓଡ଼ିଶାର ସମ୍ବଲପୁର, ବରଗଡ଼, କଳାହାଣ୍ଡି ଓ ଅନ୍ୟ ଜିଲ୍ଲାଗୁଡ଼ିକରେ ପାଳନ କରାଯାଏ । ଗାଁ ଲୋକମାନେ ନିଜ ଫସଲ ଅମଳର ପ୍ରଥମ ଭୋଗ ପାରମ୍ପାରିକ ଶୈଳୀରେ ମା’ ସମଲେଇ, ମା’ ମାଣିକେଶ୍ୱରୀ ଓ ସ୍ଥାନୀୟ ମନ୍ଦିରରେ କରିଥାନ୍ତି। ଗୋଟିଏ ଛାତ ତଳେ ବସି ପରିବାରର ସମସ୍ତ ସଦସ୍ୟ ଏହି ଭୋଗ ପାଇବା ସହ ଗୁରୁଜନମାନଙ୍କ ଆଶୀର୍ବାଦ ମଧ୍ୟ ନେଇଥାନ୍ତି। ଯେଉଁମାନେ ଓଡ଼ିଶା ବାହାରେ ରହିଥାନ୍ତି ସେମାନେ ମଧ୍ୟ ନିଜର ପରିବାର, ବନ୍ଧୁବାନ୍ଧବ ଓ ସମ୍ପର୍କୀୟ ସହ ଏହି ପର୍ବ ପାଳନ କରିବାକୁ ଘରକୁ ଆସିଥାନ୍ତି। କେବଳ ସେତିକି ନୁହେଁ ବିଦେଶରେ ଯେଉଁଠି ପଶ୍ଚିମ ଓଡ଼ିଶାର ଲୋକମାନେ ରହୁଛନ୍ତି ଓ ନୂଆଖାଇରେ ଘରକୁ ଆସି ପାରନ୍ତି ନାହିଁ ସେମାନେ ମଧ୍ୟ ସେଠାରେ ଏହି ପର୍ବ ପାଳନ କରାଯାଉଛି। ନୂଆଦିଲ୍ଲୀରେ ଆମର ସାଂସଦମାନଙ୍କ ଉପସ୍ଥିତିରେ ନୂଆଖାଇ ଭେଟଘାଟ ପାଳନ କରାଯାଇଥାଏ।

ତେବେ ରାଜ୍ୟ ସରକାର ନିଜର କର୍ମଚାରୀଙ୍କ ପାଇଁ ଚଳିତବର୍ଷ ସେପ୍ଟେମ୍ବର ୧ ତାରିଖରେ ନୂଆଖାଇ ନିମନ୍ତେ ଗୋଟିଏ ଦିନ ସରକାରୀ ଛୁଟି ଘୋଷଣା କରିଛନ୍ତି। ମାତ୍ର ଏହା ପଶ୍ଚିମଓଡ଼ିଶା ଲୋକଙ୍କ ପାଇଁ ଅନ୍ୟାୟ। ରାଜ୍ୟ ସରକାର ଗୋଟିଏ ଦିନ ନୂଆଖାଇ ଛୁଟି ଘୋଷଣା କରିଥିବାରୁ ଜିଲ୍ଲା ପ୍ରଶାସନ ମଧ୍ୟ ସରକାରୀ କର୍ମଚାରୀ ଓ ସାଧାରଣ ଲୋକଙ୍କୁ ଦୁଇଦିନ ନୂଆଖାଇ ପାଳିବାକୁ ଅନୁମତି ଦେଉନାହାନ୍ତି। ତେଣୁ ପଶ୍ଚିମ ଓଡ଼ିଶାରେ ନୂଆଖାଇ ପାଇଁ ୨ଦିନ ସ୍ଥ୍ଥାନୀୟ ଛୁଟି ଘୋଷଣା କରିବାକୁ ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.