ଗୋପାଳର ମାନସିକ ସ୍ଥିତି ଯାଞ୍ଚ ନେଇ କ୍ରାଇମବ୍ରାଞ୍ଚର ଆବେଦନ ଖାରଜ କଲେ ଅତିରିକ୍ତ ସେସନ ଜଜ କୋର୍ଟ

ଝାରସୁଗୁଡ଼ା, ୩।୩: କ୍ରାଇମ୍‌ବ୍ରାଞ୍ଚକୁ ଅଦାଲତି ଝଟକା ମିଳିଛି। ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସର ମାନସିକ ସ୍ଥିତ ଯାଞ୍ଚ ପାଇଁ ବାଙ୍ଗାଲୁରୁର ନିମହାନ୍ସରେ ମେଡିକାଲ ଟେଷ୍ଟ କରିବାକୁ କ୍ରାଇମବ୍ରାଞ୍ଚ କରିଥିବା ଆବେଦନକୁ ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ସେସନ କୋର୍ଟ ଆଜି ଖାରଜ କରି ଦେଇଛନ୍ତି। କ୍ରାଇମବ୍ରାଞ୍ଚ ପକ୍ଷରୁ ଉପରୋକ୍ତ ପ୍ରାର୍ଥନା ନେଇ ପୂର୍ବରୁ ଝାରସୁଗୁଡ଼ା ଜିଲ୍ଲା ଜଜ କୋର୍ଟରେ ପ୍ରାର୍ଥନା କରାଯାଇଥିଲା। ଜିଲ୍ଲା ଜଜ ଏହି ଆବେଦନକୁ ଗ୍ରହଣ କରିଥିଲେ।

ତେବେ ଏହାର ଶୁଣାଣି ପାଇଁ ଆବେଦନକୁ ଅତିରିକ୍ତ ଜିଲ୍ଲା ଓ ଦୌରାଜଜଙ୍କ ଅଦାଲତକୁ ହସ୍ତାନ୍ତର କରି ଦେଇଥିଲେ। ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଗତ ୧ ତାରିଖରେ ଏହି ମାମଲାର ଶୁଣାଣି କରିଥିବା ବେଳେ ରାୟ ସଂରକ୍ଷିତ ରଖିଥିଲେ। ଆଜି ଏହି ରାୟ ପ୍ରକାଶ ପାଇବ ପରେ ଏହା ଖାରଜ ହୋଇଥିବା ରିମାଣ୍ଡ ଓକିଲ ହରି ଶଙ୍କର ଅଗ୍ରୱାଲ ସୂଚନା ଦେଇଛନ୍ତି।

ଝାରସୁଗୁଡା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜଙ୍କ ଅଦାଲତରେ ଉଭୟ ପକ୍ଷରୁ ଆଇନଜୀବୀମାନେ ନିଜ ନିଜ ପକ୍ଷ ଉପସ୍ଥାପନ କରିଥିଲେ। ଗୋପାଳର ମାନସିକ ସ୍ଥିତି ଯାଞ୍ଚ ପାଇଁ ୩ ସପ୍ତାହ ପାଇଁ ଆବେଦନରେ ଉଲ୍ଲେଖ କରିଥିଲା କ୍ରାଇମବ୍ରାଞ୍ଚ। ତେବେ ରିମାଣ୍ଡ ଓକିଲ ଏହା ବିରୋଧରେ ଯୁକ୍ତି କରି ଆବେଦନ ଖାରଜ କରିବା ପାଇଁ ଅନୁରୋଧ କରିଥିଲେ। ତେଣେ ଶୁଣାଣି ଶେଷ ହୋଇଥିବା ବେଳେ ଅଦାଲତଙ୍କ ରାୟକୁ ଅପେକ୍ଷା କରାଯାଇଥିଲା। ଗୋପାଳ ଦାସର ମେଡିକାଲ ଟେଷ୍ଟ ପାଇଁ ଜିଲ୍ଲା ଦୌରାଜଜଙ୍କ ନିକଟରେ ଗତ ୨୨ ତାରିଖରେ ପ୍ରାର୍ଥନା କରିଥିଲା କ୍ରାଇମବ୍ରାଞ୍ଚ। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତି ଯାଞ୍ଚ ପାଇଁ କ୍ରାଇମବ୍ରାଞ୍ଚର ଆବେଦନ ଗ୍ରହଣ କରିଥିଲେ ଜିଲ୍ଲା ଦୌରାଜଜ।

ପୂର୍ବରୁ କ୍ରାଇମବ୍ରାଞ୍ଚ ଜେଏମ୍‌ଏଫ୍‌ସି କୋର୍ଟରେ ଗୋପାଳର ମାନସିକ ସ୍ଥିତିର ଅଧିକ ପରୀକ୍ଷା ପାଇଁ କରିଥିବା ଆବେଦନକୁ କୋର୍ଟ ଖାରଜ କରି ସାରିଥିଲା। ଆଜି ଏଡିଜେ କୋର୍ଟରେ ମଧ୍ୟ ଏହି ଆବେଦନ ଖାରଜ କରାଯାଇଥିଲା। କ୍ରାଇମବ୍ରାଞ୍ଚ ଡେପୁଟି ଡ଼ାଇରେକ୍ଟର ଚିତ୍ତରଞ୍ଜନ କାନୁନଗୋ ତାଙ୍କ ଆବେଦନ ନେଇ ପୂର୍ବରୁ ବିଭିନ୍ନ କୋର୍ଟ ଦେଇଥିବା ଉଦାହରଣ ଉପସ୍ଥାପନ କରିଥିବା ସୂଚନା ଦେଇଥିବା ବେଳେ ରିମାଣ୍ଡ ଓକିଲ ଶ୍ରୀ ଅଗ୍ରୱାଲ କହିଛନ୍ତି ଯେ, ଏହି ଆବେଦନ ଯାହା ଆଉଥରେ ରିମାଣ୍ଡ ମଧ୍ୟ ତାହା। ଅଭିଯୁକ୍ତ ଜୁଡ଼ିସିଆଲ କଷ୍ଟଡିକୁ ଯିବା ପରେ ଆଉ ରିମାଣ୍ଡ ଦେବାର ନିୟମ ନଥିବାରୁ ଏହି ଆବେଦନକୁ ଖାରଜ କରାଯାଇଛି।

Comments are closed.