୧୮ ମାସରେ ନୂଆ ରୂପ ପାଇବ ବରମୁଣ୍ଡା ବସଷ୍ଟାଣ୍ଡ

ଖର୍ଚ୍ଚ ହେବ ୧୮୦କୋଟି, ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର,୧୦/୧୨ : ୧୮ ମାସ ଭିତରେ ନୂଆ ରୂପ ପାଇବ ଭୁବନେଶ୍ବରର ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌। ଏଥିରେ ଖର୍ଚ୍ଚ ହେବ ୧୮୦ କୋଟି ଟଙ୍କା। ଗତ ଅଗଷ୍ଟ ମାସରୁ ଏହାର କାମ ଆରମ୍ଭ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌କୁ ନିଜେ ଯାଇ କାର୍ଯ୍ୟର ସମୀକ୍ଷା କରିଛନ୍ତି। ନିର୍ଦ୍ଧାରିତ ସମୟରେ କାମ ଶେଷ କରିବାକୁ ବିଡିଏକୁ ନିର୍ଦ୍ଦେଶ ଦେଇଛନ୍ତି। ବିଡିଏ ଏହି ବସ୍‌ ଟର୍ମିନାଲ୍‌ର ନିର୍ମାଣ ଦାୟିତ୍ବ ନେଇଛି। ବ୍ରିଜ୍‌ ଆଣ୍ଡ୍‌ ରୁଫ୍‌ କମ୍ପାନି ବସ୍‌ଷ୍ଟାଣ୍ଡ ଉନ୍ନତୀକରଣ କାମ କରୁଛି। ବହୁ ବର୍ଷ ଧରି ‌କେବଳ ଯୋଜନାରେ ସୀମିତ ରହିଥିବା ଏହି ବସ୍‌ଷ୍ଟାଣ୍ଡ୍‌ର ନବୀକରଣ କାର୍ଯ୍ୟ ଏବେ ହେବ ବୋଲି ଆଶା ଦେଖାଦେଇଛି।
ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖଣ୍ଡଗିରି ବାରିକୁ ସ୍ଥାନାନ୍ତର ହୋଇଥିବା ଓଏସ୍‌ଆର୍‌ଟିସି ବସ୍‌ ଡିପୋ ବୁଲି ଦେଖିଥିଲେ। ସେଠାରେ କେତେ ବସ୍‌ ପାର୍କିଂ ହେବ, କିପରି ହେବ ତାହା ପଚାରି ବୁଝିଥିଲେ। ତାହା ପରେ ବରମୁଣ୍ଡା ବସଷ୍ଟାଣ୍ଡର ଉନ୍ନତୀକରଣ କାମ ଦେଖିବାକୁ ଯାଇଥିଲେ। ସେଠାରେ ବୁଲି କାର୍ଯ୍ୟ ଦେଖିବା ସହ ପ୍ରସ୍ତୁତ ହୋଇଥିବା ନକ୍ସା ଓ ଡିଜାଇନ୍‌କୁ ଦେଖିଥିଲେ। ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧରୀ ମୁଖ୍ୟମନ୍ତ୍ରୀଙ୍କୁ ବରମୁଣ୍ଡା ବସଷ୍ଟାଣ୍ଡର ଡିଜାଇନ୍ ଦେଖାଇବା ସହ କେଉଁ ପ୍ରକଳ୍ପ କେଉଁଠି ହେବ ତାହା ଦେଖାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଦୁଇ ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ୫-ଟି ସଚିବ ଭି କେ ପାଣ୍ଡିଆନ୍ ଉପସ୍ଥିତ ଥିଲେ।
ବସଷ୍ଟାଣ୍ତକୁ ଟର୍ମିନାଲ ଅଞ୍ଚଳ ଏବ˚ ବାଣିଜ୍ୟିକ ଅଞ୍ଚଳ ଦୁଇଟି ପୃଥକ ଭାବେ ବିକଶିତ କରାଯିବ। ପ୍ରାୟ ୧୫.୫ଏକର ଅଞ୍ଚଳରେ ଥିବା ବରମୁଣ୍ତା ବସଷ୍ଟାଣ୍ତର ୧୧ଏକର ଜାଗାରେ ବିକାଶ କରାଯିବ। ବାକି ୪.୫ଏକର ଜମି ଭବିଷ୍ୟତର ସମ୍ପ୍ରସାରଣ ପାଇଁ ସ˚ରକ୍ଷିତ ରହିବ। ଏହି ବସଷ୍ଟାଣ୍ତରୁ ବିଶାଖପାଟଣା, ହାଇଦ୍ରାବାଦ, ରାୟପୁର, ରାଞ୍ଚି, କୋଲକତା, ବେଙ୍ଗାଲୁର ସମେତ ଦେଶର ବିଭିନ୍ନ ସ୍ଥାନକୁ ନିୟମିତ ବସ୍‌ ଚଳାଚଳ କରିବ। ଉଭୟ ଘରୋଇ ଓ ଓଏସ୍‌ଆରଟିସି ଏହି ବସ୍‌ ସେବା ଯୋଗାଇବାର ଯୋଜନା ରହିଛି।

Leave A Reply

Your email address will not be published.