କଟକ ଫ୍ୟାମିଲି କୋର୍ଟରେ ଚାଲିବ ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା

0

କଟକ, ୫।୩:  ଓଲିଉଡର ଚର୍ଚ୍ଚିତ ତାରକା ଦମ୍ପତି ଅନୁଭବ ଓ ବର୍ଷାଙ୍କ ବୈବାହିକ ଜୀବନରେ ଦେଖାଦେଇଥିବା ପାରିବାରିକ ବିବାଦ ମାମଲାର ଶୁଣାଣି ଦିଲ୍ଲୀରେ ନୁହେଁ କଟକରେ ହେବ। ପଟିଆଲା ହାଉସ କୋର୍ଟ ନୁହେଁ କଟକ ଫ୍ୟାମିଲି କୋର୍ଟରେ ଚାଲିବ ମାମଲା। କଟକ ଫ୍ୟାମିଲି କୋର୍ଟକୁ ମାମଲା ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଆଜିର ଶୁଣାଣି ପରେ ଏନେଇ ସୂଚନା ଦେଇଛନ୍ତି ବର୍ଷାଙ୍କ ଓକିଲ କ୍ରିଷ୍ଣା କୁମାର। ଉଭୟଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ନେଇ ପଟିଆଲା ହାଉସ୍ କୋର୍ଟରେ ଆବେଦନ କରିଥିଲେ ଅନୁଭବ। ମାତ୍ର ଥରକୁ ଥର ଦିଲ୍ଲୀ ଯିବା ନିମନ୍ତେ ଅସୁବିଧାର ସମ୍ମୁଖୀନ ହେବେ କହି ମାମଲାକୁ କଟକ ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା।

ସୂଚନାଯୋଗ୍ୟ, ବାହାଘର ପରେ ତାଙ୍କ ସହ ଅତ୍ୟାଚାର ଓ ନିର୍ଯାତନା ହୋଇଥିବା ଅଭିଯୋଗ କରି କଟକ ଏସ୍‌ଡିଜେଏମ୍‌ କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ବର୍ଷା । ଅନୁଭବଙ୍କ ବିରୋଧରେ ବର୍ଷା ଆଣିଥିବା ଅଭିଯୋଗଗୁଡ଼ିକ ହେଉଛି ଅନୁଭବ ଜଣେ ପେସାଦାର ମଦ୍ୟପ ।  ମଦ ପିଇବା ପରେ ସେ ସବୁ ହିତାହିତ ଜ୍ଞାନ ଭୁଲିଯାଆନ୍ତି । ମଦ୍ୟପ ସାଥୀଙ୍କ ସହ ନିଜ ଶୋଇବା ଘରେ ବର୍ଷାଙ୍କ ଉପସ୍ଥିତିରେ ଅନୁଭବ ମଦ ପିଅନ୍ତି। ବିରୋଧ କଲେ ହାତରେ ଓ ବାଡ଼ିରେ ପିଟନ୍ତି । ତାସହ ଗୋଇଠା ମାରନ୍ତି ବୋଲି ବର୍ଷା ଉଲ୍ଲେଖ କରିଛନ୍ତି । ସେହିପରି ସନ୍ତାନସନ୍ତତି ପାଇଁ ବର୍ଷା ଚାହୁଁଥିଲେ ବି ଅନୁଭବ ଏହାକୁ ଏଡ଼ାଇ ଯାଉଥିଲେ ବୋଲି ବର୍ଷା କହିଛନ୍ତି। ଅନ୍ୟପକ୍ଷରେ ଅନୁଭବ  ନିଜ ପକ୍ଷ ରଖି ଉଭୟଙ୍କ ବିବାହ ଖରାପ ସମୟ ଦେଇ ଗତି କରୁଥିବାରୁ ଛାଡ଼ପତ୍ର ପିଟିସିନ୍‌ ଦାଏର ବ୍ୟତୀତ ତାଙ୍କ ପାଖରେ ଆଉ କୌଣସି ବିକଳ୍ପ ନଥିଲା ବୋଲି କହିଥିଲେ।

Leave A Reply

Your email address will not be published.