ଓଡ଼ିଶାର ଜନଜୀବନ ଠପ୍‌

ଯାତ୍ରୀ ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହେଲା, ଶାନ୍ତିପୂର୍ଣ୍ଣ ରହିଲା ବନ୍ଦ ପାଳନ

0

ଭୁବନେଶ୍ବର,୮/୧୨ : କେନ୍ଦ୍ର ସରକାରଙ୍କ ତିନିଟି କୃଷି ଆଇନ ରଦ୍ଦ କରିବା ଦାବିରେ ମଙ୍ଗଳବାର ଦିନ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ମଙ୍ଗଳବାର ଦିନ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ତାହାର ପ୍ରଭାବ ଓଡ଼ିଶାରେ ପଡ଼ିଛି। ଟ୍ରେନ୍‌, ବସ୍, ଅଟୋ ଚଳାଚଳ ବନ୍ଦ ଥିବାରୁ ଜନଜୀବନ ଏକ ପ୍ରକାର ଠପ୍ ହୋଇଯାଇଥିଲା। ଅପରାହ୍ନ ୩ଟା ଯାଏ ଗାଡ଼ି ଚଳାଚଳ ବନ୍ଦ ଥିଲା। ଅପରାହ୍ନରେ ସ୍ଥିତି ସ୍ବାଭାବିକ ହୋଇଥିଲା। ବନ୍ଦ ପାଳନ ବେଳେ କୌଣସି ସ୍ଥାନରେ ହିଂସାକାଣ୍ଡର ଖବର ମିଳି ନାହିଁ। ବନ୍ଦ ଆପାତତଃ ଶାନ୍ତିପୂର୍ଣ୍ଣ ରହିଛି।
ବିଭିନ୍ନ କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ପିକେଟିଂ କରାଯାଇଥିଲା। ‌ଫଳରେ ଲୋକମାନେ ଯା’ଆସ କରିପାରି ନ ଥିଲେ। ପ୍ରମୁଖ ରେଳଷ୍ଟେସନ୍‌ଗୁଡ଼ିକରେ ମଧ୍ୟ ବନ୍ଦ ପାଳନକାରୀମାନେ ପିକେଟିଂ କରିଥିଲେ। ଫଳରେ ବହୁ ଟ୍ରେନ୍‌ ଦୀର୍ଘ ସମୟ ଅଟକି ରହିଥିଲା। କୃଷି ଆଇନ୍‌କୁ ରଦ୍ଦ କରିବାକୁ ବନ୍ଦ ଡାକରା ଦିଆଯାଇଥିଲେ ବି ଦରଦାମ ବୃଦ୍ଧି ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନବିରୋଧୀ କାର୍ଯ୍ୟକୁ ମଧ୍ୟ ବିକ୍ଷୋଭକାରୀମାନେ ପ୍ରସଙ୍ଗ କରି କେନ୍ଦ୍ର ବିରୋଧରେ ନାରାବାଜି କରିଥିଲେ।
କଂଗ୍ରେସ ଓ ବାମପନ୍ଥୀ ଦଳଗୁଡ଼ିକ ଭାରତ ବନ୍ଦକୁ ସମର୍ଥନ କରି ରାସ୍ତାକୁ ଓହ୍ଲାଇଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନେତୃତ୍ବରେ ଦଳର ବରିଷ୍ଠ ନେତାମାନେ ରାଜଧାନୀରେ ପିକେଟିଂ କରିଥିଲେ।
ରାଜ୍ୟର ସବୁ ଜିଲ୍ଲାରେ କଂଗ୍ରେସ କର୍ମୀମାନେ ଶୋଭାଯାତ୍ରାରେ ଯାଇ ରାସ୍ତାରୋକ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। କଂଗ୍ରେସ ଓ ବାମ ଦଳଗୁଡ଼ିକର ନେତାମାନେ ମିଳିତ ଭାବେ ରାଜଧାନୀରେ ପିକେଟିଂ କରିଥିଲେ।
ବନ୍ଦ ପାଳନ ପାଇଁ ପୂର୍ବରୁ ଆବଶ୍ୟକ ପ୍ରଚାର କରାଯାଇଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦୋକାନ, ବଜାର ଆପେ ଆପେ ବନ୍ଦ ହୋଇଯାଇଥିଲା। କାଁ ଭାଁ ପେଟ୍ରୋଲ ଟାଙ୍କି ଖୋଲା ଥିଲା। ବ୍ୟାଙ୍କ କର୍ମଚାରୀମାନେ ଆନ୍ଦୋଳରେ ସକ୍ରିୟ ସାମିଲ ହୋଇ ନ ଥିଲେ ବି ବନ୍ଦ ପାଳନକାରୀମାନେ ବ୍ୟାଙ୍କ ସାମ୍ନାରେ ପିକେଟିଂ କରୁଥିବାରୁ ବ୍ୟାଙ୍କ ସେବା ବାଧାପ୍ରାପ୍ତ ହୋଇଥିଲା। କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟଗୁଡ଼ିକ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବାରୁ କର୍ମଚାରୀମାନେ କାର୍ଯ୍ୟାଳୟକୁ ଯାଇପାରି ନ ଥିଲେ। ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ସବୁ ଛୁଟି ଘୋଷଣା କରାଯାଇଥିବାରୁ କେହି କର୍ମଚାରୀ ଅଫିସ୍‌ ଆସି ନ ଥିଲେ। ବନ୍ଦ ବେଳେ ହିଂସାକାଣ୍ଡ ଯେପରି ନ ଘଟେ, ସେଥି ପ୍ରତି ପୁଲିସ୍‌ ପକ୍ଷରୁ ମଧ୍ୟ ଆବଶ୍ୟକ ବନ୍ଦୋବସ୍ତ କରାଯାଇଥିଲା।
ଓଡ଼ିଶାରେ ‘ଭାରତ ବନ୍ଦ’ ସମ୍ପୂର୍ଣ୍ଣ ସଫଳ ହୋଇଛି ବୋଲି କଂଗ୍ରେସ ଓ ସିପିଆଇ ପୃଥକ ପୃଥକ ପ୍ରେସ୍ ବିବୃତି ଜାରି କରି କହିଛନ୍ତି। ‌େତଣୁ କେନ୍ଦ୍ର ସରକାର ତୁରନ୍ତ କୃଷି ଆଇନ୍‌କୁ ନିଃସର୍ତ୍ତ ପ୍ରତ୍ୟାହାର କରିବାକୁ ସିପିଆଇ ଦାବି କରିଛି।

Leave A Reply

Your email address will not be published.