ଭୁବେେନେଶ୍ବରରୁ ଦୁବାଇ ବିମାନ ଚଳାଚଳ ପାଇଁ ସିନ୍ଧିଆଙ୍କ ପତ୍ର ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୫।୧୧: ପ୍ରତିଦିନ ଭୁବନେଶ୍ୱରରୁ ସିଧାସଳଖ ଦୁବାଇ ପର୍ଯ୍ୟନ୍ତ ବିମାନ ସେବା ଆରମ୍ଭ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥିରେ ସେ ଉଲ୍ଲେଖ କରିଛନ୍ତି, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ବିଭିନ୍ନ ଅଞ୍ଚଳରେ ପ୍ରାୟ ୧୦ ହଜାରରୁ ଊର୍ଧ୍ବ ଓଡ଼ିଆ ଲୋକ ବସବାସ କରୁଛନ୍ତି। ଭୁବନେଶ୍ୱରରୁ ଦୁବାଇ ଓ ଦୁବାଇରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସିଧାସଳଖ ବିମାନସେବା ପାଇଁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଛି। ଦୁଇ ସହର ମଧ୍ୟରେ ସିଧାସଳଖ ବିମାନସେବା ଆରମ୍ଭ ହେଲେ ଓଡ଼ିଆ ଲୋକଙ୍କ ପାଇଁ ଅନ୍ତଃରାଷ୍ଟ୍ରୀୟ ଯାତାୟତର ଦ୍ୱାର ଫିଟିବ। ବିଶ୍ୱର କୋଣ ଅନୁକୋଣରେ ବସବାସ କରୁଥିବା ଓଡ଼ିଆ ଲୋକଙ୍କର ନିଜ ରାଜ୍ୟକୁ ଆସିବା ପାଇଁ ଯୋଗାଯୋଗ ସୁଗମ ହେବ।

ମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ଏହା ଅନ୍ତଃରାଷ୍ଟ୍ରୀୟ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ପୂର୍ବୋଦୟ ଯୋଜନାରେ ପୂର୍ବ ଭାରତରେ ଓଡ଼ିଶା ବିକାଶର ପେଣ୍ଠସ୍ଥଳୀ ଭାବରେ ଆଗକୁ ବଢୁଛି। କେନ୍ଦ୍ର ରାଜଧାନୀ ଭୁବନେଶ୍ୱର ସହ ସିଧାସିଧା ଅନ୍ତଃରାଷ୍ଟ୍ରୀୟ ବିମାନ ଯୋଗାଯୋଗ ପୂର୍ବ ଭାରତର ବିକାଶର ସମ୍ଭାବନାକୁ ଆହୁରି ଶକ୍ତିଶାଳୀ କରିବ।  ଦୁଇ ସହର ମଧ୍ୟରେ ବିମାନ ଚଳାଚଳ ହେବା ଦ୍ୱାରା କଳାତ୍ମକ, ହସ୍ତତନ୍ତ ଓ କୃଷି ଆଧାରିତ ସାମଗ୍ରୀ ବ୍ୟବସାୟ ଦ୍ୱାରା ରାଜ୍ୟର ଅର୍ଥନୀତି ଗତିଶୀଳ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସୂଚନାଯୋଗ୍ୟ ୟୁଏଇ ଓଡ଼ିଆ ସମାଜ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୁବନେଶ୍ୱରରୁ ଦୁବାଇ ପର୍ଯ୍ୟନ୍ତ ସିଧାସଳଖ ବିମାନସେବା ଆରମ୍ଭ କରିବା ପାଇଁ ପତ୍ର ଲେଖାଯାଇଥିଲା। ଏହି ମର୍ମରେ ଶ୍ରୀ ପ୍ରଧାନ ବିଭାଗୀୟ ମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି ।

Comments are closed.