ସରିଲା ପ୍ରଥମ ଦିନ ଟିକାକରଣ, ଟିକା ନେଲେ ପ୍ରାୟ ୧୩ ହଜାର କରୋନା ଯୋଦ୍ଧା

0

ଭୁବନେଶ୍ବର, ୧୬।୧: ସରିଲା ପ୍ରଥମ ଦିନ କରୋନା ଟିକାକରଣ। କରୋନା ମହାମାରୀର ମୁକାବିଲା ପାଇଁ ସମଗ୍ର ଦେଶରେ ଆଜିଠୁ ଆରମ୍ଭ ହୋଇଥିବା ଟିକାକରଣ ପ୍ରକ୍ରିୟାରେ ଓଡ଼ିଶାରେ ସନ୍ଧ୍ୟା ୭ଟା ସୁଦ୍ଧା ୮୪% ଟିକାଦାନ ସମ୍ଭବପର ହୋଇଛି। ପ୍ରଥମଦିନରେ ରାଜ୍ୟର ୩୦ଟି ଜିଲ୍ଲାର ୧୬୧ଟି ଟିକାକରଣ କେନ୍ଦ୍ରରେ ୧୬, ୩୧୪ଜଣ କରୋନା ଯୋଦ୍ଧାଙ୍କୁ ଟିକାକରଣ ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ସନ୍ଧ୍ୟା ୭ଟା ସୁଦ୍ଧା ୧୩, ୭୪୫ଜଣଙ୍କୁ ଏହି ଟିକା ପ୍ରଦାନ କରାଯାଇଛି। ଟିକା ପ୍ରଦାନ ପ୍ରକ୍ରିୟା ଆଜି ପାଇଁ ଶେଷ ହୋଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ସୂଚନା ଜାରି ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ସମସ୍ତ ଜିଲ୍ଲାରେ ଆଜିଠୁ କୋଭିଡ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପୂର୍ବାହ୍ନ ୧୧ଟା ୦୫ମିନିଟରେ ଟିକାଦାନ ପ୍ରକ୍ରିୟା ଆରମ୍ଭ ହୋଇ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିଥିଲା। ପ୍ରଥମ ଦିନରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାମାନଙ୍କୁ ଟିକା ପ୍ରଦାନ କରାଯାଇଛି। ରାଜ୍ୟରେ ସମସ୍ତ ଜିଲ୍ଲାରେ ମୋଟ ୧୬୧ଟି କେନ୍ଦ୍ରରେ ଟିକା ପ୍ରଦାନ ନିମନ୍ତେ ବ୍ୟବସ୍ଥା ହୋଇଥିଲା। ଏଥିରେ ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ସର୍ବାଧିକ ୧୧ଟି ଲେଖାଏଁ  ସ୍ଥାନରେ ଓ ମୟୂରଭଞ୍ଜ ଜିଲ୍ଲାରେ ୧୦ଟି ସ୍ଥାନରେ ଟିକା ପ୍ରଦାନ ବ୍ୟବସ୍ଥା ହୋଇଛି।

Leave A Reply

Your email address will not be published.