ଜାରି ହେଲା ଜାନୁଆରି ଗାଇଡ୍‌ଲାଇନ: ଖୋଲିବ ସିନେମା ହଲ୍‌, ପ୍ରେକ୍ଷାଳୟ

0

ଭୁବନେଶ୍ବର, ୩୦।୧୨: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ରାଜ୍ୟ ସରକାର ଜାନୁୟାରି ମାସ ପାଇଁ କୋଭିଡ୍ ଗାଇଡଲାଇନ୍ ଜାରି କରିଛନ୍ତି। ସିନେମା ହଲଗୁଡ଼ିକ ୫୦ ପ୍ରତିଶତ କ୍ଷମତା ସହ ଚାଲିବାକୁ ଅନୁମତି ଦିଆଯିବ। ଏହାସହିତ ଯାତ୍ରା, ଏଣ୍ଟରଟେନମେଣ୍ଟ କମ୍ପେ୍ଲକ୍ସ, ଥିଏଟର, ଅଡିଟୋରିୟମ ଆଦି ପାଇଁ ସ୍ଥାନୀୟ ପ୍ରଶାସନ ଅନୁମତି ଦେବେ। ତେବେ ଏଥିପାଇଁ କୋଭିଡ୍ ଗାଇଡଲାଇନ ପାଳନ ବାଧ୍ୟତାମୂଳକ ହେବ। ଅଙ୍ଗନବାଡ଼ିଗୁଡ଼ିକ ଜାନୁୟାରି ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ସ୍କୁଲ ଓ କଲେଜ ଖୋଲିବା ସମ୍ପର୍କରେ ସମ୍ପୃକ୍ତ ବିଭାଗ ନିଷ୍ପତ୍ତି ନେବେ। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ୍ତ କୁମାର ଜେନା ଆଜି ଜାନୁୟାରି ୧ରୁ ୩୧ତାରିଖ ପର୍ଯ୍ୟନ୍ତ ଅବଧି ନିମନ୍ତେ କରୋନା ଗାଇଡଲାଇନ୍ ଜାରି କରିଛନ୍ତି। ଜାନୁୟାରୀ ୩୧ତାରିଖ ପର୍ଯ୍ୟନ୍ତ ସାମାଜିକ, ରାଜନୀତିକ, କ୍ରୀଡ଼ା, ଧାର୍ମିକ, ଆମୋଦପ୍ରମୋଦ, ସାଂସ୍କୃତିକ, ଶିକ୍ଷା ସମ୍ବନ୍ଧୀୟ ଆଦି ସମସ୍ତ ପ୍ରକାରର ସମାବେଶରେ ସର୍ବାଧିକ ୨୦୦ଜଣ ଲୋକ ଏକଜୁଟ ହେବା ପାଇଁ ଅନୁମତି ଦିଆଯାଇଛି। ଯାହାକି ଡିସେମ୍ବର ମାସ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବାରଣ ରହିଥିଲା। ସେହିପରି ବିବାହ ଉତ୍ସବରେ ସର୍ବାଧିକ ୨୦୦ଜଣ ଓ ମୃତ୍ୟୁଜନିତ କାର୍ଯ୍ୟରେ ସର୍ବାଧିକ ୧୦୦ଜଣ ଲୋକ ସାମିଲ ହୋଇପାରିବେ। ବ୍ୟବସାୟିକ ବୈଠକରେ ସର୍ବାଧିକ ୨୦୦ଜଣ ଲୋକଙ୍କୁ ନେଇ ମିଟିଂ ହୋଇପାରିବ। ସେହିପରି ବନ୍ଦ କୋଠରୀର କ୍ଷମତାର ସର୍ବାଧିକ ୫୦ ପ୍ରତିାତ ଓ ୨୦୦ଜଣ ଲୋକଙ୍କୁ ନେଇ ବୈଠକ ହୋଇପାରିବ । ସଭାସ୍ଥଳଗୁଡ଼ିକରେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ପାଳନ, ସାନିଟାଇଜର ବ୍ୟବସ୍ଥା କରିବା ବାଧ୍ୟତାମୂଳକ ହେବ।

ସ୍ଥାନୀୟ ପ୍ରଶାସନ ସେମାନଙ୍କର ଅଂଚଳର ସ୍ଥିତିକୁ ଦେଖି ଲୋକଙ୍କ ସଂଖ୍ୟା ସର୍ବାଧିକ ୨୦୦ ସ୍ଥିର କରିପାରିବେ। ସମସ୍ତ ମେଡିକାଲ କଲେଜ ଡିସେମ୍ବର ୧ରୁ ଖୋଲିଛି। କିନ୍ତୁ ସ୍କୁଲ ଓ କଲେଜ ଏବଂ ଇଞ୍ଜିନିୟରିଂ କଲେଜଗୁଡ଼ିକ ଖୋଲିବା ନିଷ୍ପତ୍ତି ସମ୍ପୃକ୍ତ ବିଭାଗମାନେ କୋଭିଡ୍ ଗାଇଡଲାଇନକୁ ପାଳନ କରି ନେବେ। ଅଫିସ ହେଉ ବା ସର୍ବସାଧାରଣସ୍ଥଳୀ ଅବା ଯାନବାହନରେ ଯିବାବେଳେ ମାସ୍କ ପିନ୍ଧିବା ଜରୁରୀ ହେବ। ସର୍ବସାଧାରଣ ସ୍ଥାନରେ ୬ଫୁଟର ସାମାଜିକ ଦୂରତ୍ୱ ପାଳନ କରିବେ। ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବାକୁ ଉଭୟ ଗ୍ରାହକ ଓ କର୍ମଚାରୀମାନେ ପାଳନ କରିବେ। ବ୍ୟୁଟିପାର୍ଲର, ସେଲୁନ୍ ଓ ସ୍ପାଗୁଡ଼ିକୁ ସାନିଟାଇଜ୍ କରିବା ସହ ଆବଶ୍ୟକ ଗାଇଡଲାଇନ୍ ପାଳନ କରିବେ। ସେହିପରି ସର୍ବସାଧାରଣ ସ୍ଥାନରେ ପାନ,ଗୁଟଖା ଖାଇବା ଉପରେ କଟକଣା ଜାରି ହୋଇଛି। ସର୍ବସାଧାରଣରେ ଛେପ ପକାଇବା ଦଣ୍ଡନୀୟ ଅପରାଧ ହେବ।

 

Leave A Reply

Your email address will not be published.