ଐତିହ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତିର କାର୍ଯ୍ୟନ୍ବୟନ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ପ୍ରକଳ୍ପ ରୂପରେଖ କମିଟି ଗଠନ

0

ଭୁବନେଶ୍ୱର, ୨୭।୭: ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ବିକାଶ ଉପରେ ଗୁରୁତ୍ୱାରୋପ କରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଐତିହ୍ୟ କ୍ୟାବିନେଟ୍‌ଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକର କାର୍ଯ୍ୟାନ୍ୱୟନ ସମ୍ପର୍କରେ ସମୀକ୍ଷା କରିଛନ୍ତି। ରାଜ୍ୟ ଲୋକସେବା ଭବନରୁ ଭର୍ଚୁଆଲ ମୋଡ୍‌ରେ ଅନୁଷ୍ଠିତ ଏହି ବୈଠକରେ ବିଭାଗୀୟ ସଚିବ ସୁରେଶ ଚନ୍ଦ୍ର ଦଳାଇ କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ଆର୍ଥିକ ଓ ପ୍ରଶାସନିକ ବିଷୟ ଆଲୋଚନା ନିମସ୍ତେ ଉପସ୍ଥାପନ କରିଥିଲେ।

ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତିର ସମୀକ୍ଷା କରି ଓଡ଼ିଆ ଭାଷା, ସଂସ୍କୃତିର ସମୃଦ୍ଧି ଓ ପ୍ରସାର ନିମନ୍ତେ ବିଭିନ୍ନ ବିଭାଗକୁ ସଂଯୋଜିତ କରି ଏକ ସମନ୍ୱିତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ସବ୍‌-କମିଟି ଗଠନ କରାଯାଇଥିଲା। ଓଡ଼ିଆ ଭାଷାରେ ଉଚ୍ଚଶିକ୍ଷା ନିମନ୍ତେ ଗୁଣାତ୍ମକ ପୁସ୍ତକ, ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର, ନୂଆ ଯୁବପିଢିଙ୍କୁ ଓଡ଼ିଆ ଭାଷା ଆଡ଼କୁ ଆକର୍ଷଣ ଆଦି ବିଷୟରେ ବୈଠକରେ ବିଶେଷ ଆଲୋଚନା ହୋଇଥିଲା ।

ସୁଆଣ୍ଡୋ ଗ୍ରାମରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠର ବିକାଶ ଓ ସୌନ୍ଦର୍ଯ୍ୟକରଣ କରି ଏହାକୁ ଏକ ପର୍ଯ୍ୟଟକ ଆକର୍ଷଣ ସ୍ଥାନରେ ପରିଣତ କରିବା ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗୁରୁତ୍ୱାରୋପ କରିଥିଲେ । ବିଭାଗୀୟ ନିର୍ଦ୍ଦେଶକ ରଂଜନ କୁମାର ଦାଶ ଜଣାଇଥିଲେ ଯେ, ସୁଆଣ୍ଡୋଠାରେ ଉତ୍କଳମଣିଙ୍କ ସଂଗ୍ରହାଳୟ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି । ସେଠାରେ ଥିବା ପୁରୁଣା ମନ୍ଦିରର ନବୀକରଣ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି । ଇତି ମଧ୍ୟରେ ଜାତୀୟ ରାଜପଥରୁ ସୁଆଣ୍ଡୋ ଗ୍ରାମକୁ ୫କିମି ଲମ୍ବ ପ୍ରଶସ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ପ୍ରାୟ ସରିଛି । ଗୋପବନ୍ଧୁଙ୍କ ପୈତୃକ ବାସଭବନର ବିକାଶ ନିମନ୍ତେ କାର୍ଯ୍ୟ ଆରମ୍ଭ କରାଯାଇଛି । ଜନ୍ମପୀଠରେ ଥିବା ବଡ଼ ପୋଖରୀର ପୁନର୍ବିନ୍ୟାଶ କାମ ପ୍ରାୟ ସରିଛି । ଏହି ପୋଖରୀରେ ନୌକା ବିହାର ବ୍ୟବସ୍ଥା ସହ ଜନ୍ମପୀଠରେ ପରିକ୍ରମା ରାସ୍ତା, ବସିବା ସ୍ଥାନ, ଓଡ଼ିଆ ସଂସ୍କୃତି ସଂପନ୍ନ କାର୍ଯ୍ୟକ୍ରମ ଏବଂ ଓଡ଼ିଆ ଖାଦ୍ୟ ନିମନ୍ତେ ରେସ୍ତୋରାଁ ଆଦି ସ୍ଥାପନ ନିମନ୍ତେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ନିମନ୍ତେ ଇତି ମଧ୍ୟରେ ଜମି ଅଧିଗ୍ରହଣ ଓ କ୍ରୟ କାର୍ଯ୍ୟ ସରିଛି ଏବଂ ବିଶ୍ୱବିଦ୍ୟାଳୟ ନିର୍ମାଣ ପ୍ରାୟ ୬୨ କୋଟି ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଛି ବୋଲି ପୂର୍ତ୍ତ ସଚିବ କ୍ରିଶନ କୁମାର ଜଣାଇଥିଲେ । ପ୍ରଶାସନିକ ଓ ଆର୍ଥିକ ଅନୁମୋଦନ ଏବଂ ଟେଣ୍ଡରିଂ ପ୍ରକ୍ରିୟା ଆଦି ଶେଷକରି ୩ ମାସ ମଧ୍ୟରେ କ୍ଷେତ୍ରସ୍ତରୀୟ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

 

Leave A Reply

Your email address will not be published.