ଗଣେଶ ମୂର୍ତ୍ତି ସମ୍ପର୍କରେ ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ

କଟକ, ୨୯।୮: ଗଣେଶ ମୂର୍ତ୍ତି ବିବାଦରେ ହସ୍ତକ୍ଷେପ କରିବାକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ମନା କରିଦେଇଛନ୍ତି। ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପୁଲିସ୍ ପ୍ରଶାସନ ଉପରେ ନିଷ୍ପତ୍ତି ଛାଡ଼ିଛନ୍ତି। ମାମଲାରେ ପୁଲିସ ପକ୍ଷରୁ ବିକୃତ ମୂର୍ତ୍ତି ପାଇଁ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜି ପାରେ ବୋଲି ଦର୍ଶାଯାଇଥିଲା। ପୂଜାକୁ ଆଉ ମାତ୍ର ୪୮ ଘଣ୍ଟା ବାକି ରହିଛି। ଆଉ ଥରେ ଯାଞ୍ଚ କରିବାକୁ ପୁଲିସ ପାଖରେ ସେତେ ପର୍ଯ୍ୟାପ୍ତ ସମୟ ନାହିଁ।

ଓଡ଼ିଶା ଉଚ୍ଚ ନ୍ୟାୟାଳୟ କହିଛନ୍ତି, ଚିରାଚରିତ ମୂର୍ତ୍ତିକୁ ବାଦ ଦେଇ ବିକୃତ ମୂର୍ତ୍ତି ନିର୍ମାଣ ହୋଇପାରିବ ନାହିଁ। ହିନ୍ଦୁ ଭାବାବେଗକୁ ଆଘାତ ଦେବା ଭଳି ମୂର୍ତ୍ତି ରାଜ୍ୟର କୌଣସି ପୂଜା ମଣ୍ଡପରେ ପୂଜା ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।
ଏ ନେଇ କୋର୍ଟ କହିଛନ୍ତି,‘ହିନ୍ଦୁ ଆଇନ ଅନୁଯାୟୀ ଏଭଳି ମୂର୍ତ୍ତି ନିର୍ମାଣ ଓ ପୂଜା ଆଇନ ସମ୍ମତ ନୁହେଁ। ଏଭଳି ମୂର୍ତ୍ତି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାର ସମ୍ଭାବନା ରହିଛି।’ ପୁଲିସକୁ ଏଭଳି ମୂର୍ତ୍ତି ନିର୍ମାଣ ଓ ପୂଜାମଣ୍ଡପରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପୁରୀଘାଟ ଥାନା ଅଧିକାରୀ ମୂର୍ତ୍ତି କାରିଗରଙ୍କୁ ନେଇ ଆଲୋଚନା କରିବେ। ପରବର୍ତ୍ତୀ ସମୟରେ ଯେପରି ଏଭଳି କୌଣସି ବିକୃତ ମୂର୍ତ୍ତି ନିର୍ମାଣ ନକରିବେ, ସେନେଇ ସେମାନଙ୍କୁ ଉପଦେଶ ଦେବେ।

ବିକୃତ ମୂର୍ତ୍ତି ନିର୍ମାଣ କରିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ତାଗିଦ କରିବା ପରେ ଏହାକୁ ଚାଲେଞ୍ଜ କରି ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ଶିଳ୍ପୀ କୁମ୍ଭାରସାହିର ମୂର୍ତ୍ତି କାରିଗର ନାରାୟଣ ମୁଦୁଲି। ପୁଲିସ ମୂର୍ତ୍ତି କାରିଗରଙ୍କୁ ନିର୍ଯାତନା ଦେଇଥିବା ମାମଲାରେ ଦର୍ଶାଯାଇଥିଲା। ଏପରିକି କିଛି କାରିଗରଙ୍କୁ ଥାନାରେ କିଛି ଘଣ୍ଟା ଅଟକ ରଖାଯାଇଛି। କେବଳ ସେତିକି ନୁହେଁ, କାରିଗରଙ୍କୁ ଧମକ ଦିଆଯାଇଥିବା ନେଇ ମାମଲାରେ ଉଲ୍ଲେଖ କରିଥିଲେ।

ବିକୃତ ମୂର୍ତ୍ତି ଆଉ ପରବର୍ତ୍ତୀ ସମୟରେ କରିବେ ନାହିଁ ବୋଲି ଏକ ଅଣ୍ଡରଟେକିଂ ଦେଇ କାରିଗରମାନଙ୍କୁ ଛାଡିଛି ପୁଲିସ। ତେବେ ପୁଲିସ ଭୟରେ କାରିଗରମାନେ ସାଧା କାଗଜରେ ଦସ୍ତଖତ ଦେବାକୁ ବାଧ୍ୟ ହୋଇଥିଲେ ବୋଲି ଆବେଦନରେ ଦର୍ଶାଯାଇଥିଲା। କରୋନା ପାଇଁ ଦୀର୍ଘ ୨ବର୍ଷ କାରିଗରମାନେ ହାତ ବାନ୍ଧି ଘରେ ବସିଥିଲେ । ରୋଜଗାର ହରାଇଥିଲେ ମୂର୍ତ୍ତି କାରିଗରମାନେ।  ଏବେ ସ୍ବାଭାବିକ ସ୍ଥିତି ହେବାରୁ ମୂର୍ତ୍ତି ନିର୍ମାଣ କରିବାରେ ଲାଗିପଡିଛନ୍ତି ମୂର୍ତ୍ତି କାରିଗର। ତେବେ ପୁଲିସର କାର୍ଯ୍ୟାନୁଷ୍ଠାନ ଯୋଗୁଁ ବ୍ୟବସାୟରେ ପ୍ରତିବନ୍ଧକ ସୃଷ୍ଟି କରିଛି।

ତେବେ ଯେଉଁ ବିକୃତ ଗଣେଶ ମୂର୍ତ୍ତିକୁ ନେଇ ପୁଲିସ ତାଗିଦ କରୁଛି, ତାହା ପୂର୍ବରୁ ଅନେକ ମଣ୍ଡପରେ ମଧ୍ୟ ପୂଜା କରାଯାଉଥିଲା । ଏହା କୌଣସି ଧାର୍ମିକ ଭାବନାକୁ ଆଘାତ ଦେଉ ନାହିଁ ବୋଲି ମୂର୍ତ୍ତି ଆବେଦନରେ ଦର୍ଶାଯାଇଥିଲା। ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆବେଦନକାରୀ କୋର୍ଟଙ୍କୁ ପ୍ରାର୍ଥନା କରିଥିଲେ। ଏହି ମାମଲାରେ ରାଜ୍ୟ ଗୃହ ସଚିବ, ପୁଲିସ ମହାନିର୍ଦ୍ଦେଶକ, କଟକ ଡିସିପି, ପୁରୀଘାଟ ଥାନା ଅଧିକାରୀ ଓ କଟକ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଏଣେ କାରିଗରଙ୍କ ପକ୍ଷରୁ ଆଇନଜୀବୀ ଆଶିଷ ମିଶ୍ର କହିଛନ୍ତି, ଆମେ ପୁଣି ରିଟ୍ ପିଟିସନ ଫାଇଲ କରିବୁ।

Comments are closed.