ଶ୍ରୀମନ୍ଦିରରେ ଦ୍ୱିତୀୟ ପାଚେରି ନିର୍ମାଣ ମାମଲା, ହସ୍ତକ୍ଷେପ ପାଇଁ ମନା କଲେ ହାଇକୋର୍ଟ

0

କଟକ, ୦୮/୦୨: ଶ୍ରୀମନ୍ଦିର ମେଘନାଦ ପାଚେରି ବାହାରେ ଆଉ ଏକ ପାଚେରି ନିର୍ମାଣକୁ ବିରୋଧ କରି ରୁଜୁ ମାମଲାରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ଆଜି ମନା କରିଛନ୍ତି । ଏହି ମାମଲାରେ ନ୍ୟାସନାଲ୍‌ ମନୁମେଣ୍ଟ ଅଥରିଟି (ଏନ୍‌ଏମ୍‌ଏ) ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି ଏବଂ ଏହି ପାଚେରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ‘ପ୍ରତିବନ୍ଧିତ ନିର୍ମାଣ ଅଞ୍ଚଳ’ ଭିତରେ ଆସୁନାହିଁ । ଏଭଳି ସ୍ଥିତିରେ ଏହି ମାମଲାରେ ହସ୍ତକ୍ଷେପ କରିବାର ଆବଶ୍ୟକତା ନାହିଁ ବୋଲି ହାଇକୋର୍ଟ ମତ ଦେଇଛନ୍ତି । ଦିଲ୍ଲୀପ କୁମାର ବରାଳଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌. ମୁରଲୀଧର ଏବଂ ବିଚାରପତି ଜଷ୍ଟିସ୍‌ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଅନ୍ତ ଘଟାଇଛନ୍ତି ।

ଆବେଦନକାରୀ ଦର୍ଶାଇଥିଲେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିରୋଧ କରି ପ୍ରଥମେ ହାଇକୋର୍ଟ ଏବଂ ପରେ ସୁପ୍ରିମ୍‌କୋର୍ଟରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ) ଜବାବ ଦାଖଲ କରି କହିଥିଲା ଯେ, ରାଜ୍ୟ ସରକାର ଏଏସ୍‌ଆଇ ସହ ପରାମର୍ଶ କରି ସମସ୍ତ ନିର୍ମାଣ କାର୍ଯ୍ୟ କରିବେ । କିନ୍ତୁ ଏବେ ମେଘନାଦ ପାଚେରି ଠାରୁ କିଛି ଦୂରରେ ଯେଉଁ ଦ୍ୱିତୀୟ ପାଚେରି ନିର୍ମାଣ ଆରମ୍ଭ ହୋଇଛି ସେଥିପାଇଁ ଏଏସ୍‌ଆଇଠାରୁ କୌଣସି ପ୍ରକାର ଅନୁମତି ନିଆଯାଇନାହିଁ । ଆହୁରି ମଧ୍ୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ମଧ୍ୟ ଏହି ଯୋଜନା ନଥାଇ ଆଉ ଏକ ପାଚେରି ନିର୍ମାଣ କରାଯାଉଛି । ୨୦୨୨ ସେପ୍ଟେମ୍ବର ୯ରେ ଏନ୍‌ଏମ୍‌ଏ ପକ୍ଷରୁ ଅନୁଷ୍ଠିତ ବୈଠକରେ ଏହି ପାଚେରି ନିର୍ମାଣ ଉପରେ କୌଣସି ଆଲୋଚନା କରାଯାଇନଥିଲା । ତେଣୁ ଏହି ପାଚେରି ନିର୍ମାଣ ବେଆଇନ ବୋଲି ଦର୍ଶାଇ ଏହା ଉପରେ ରୋକ୍‌ ଲଗାଇବାକୁ ଆବେଦନକାରୀ ପ୍ରାର୍ଥନା କରିଥିଲେ ।

ହାଇକୋର୍ଟ ଏ ସଂକ୍ରାନ୍ତରେ ଏନ୍‌ଏମ୍‌ଏଠାରୁ ରିପୋର୍ଟ ତଲବ କରିଥିଲେ । ଏନ୍‌ଏମ୍‌ଏ ଉକ୍ତ ବୈଠକର ତିନି ମାସ ପରେ ଅର୍ଥାତ ୨୦୨୨୨ ଡିସେମ୍ବର ୨୭ ତାରିଖରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲା । ଉକ୍ତ ସତ୍ୟପାଠରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ କ’ଣ ସବୁ ନିର୍ମାଣ କରାଯିବ ଏବଂ କ’ଣ ସବୁ ନିର୍ମାଣ କରାନଯିବ ତାହା ଉପରେ ଏକ ସ୍ପଷ୍ଟ ଚିତ୍ର ରଖିଥିଲା । ଏନ୍‌ଏମ୍‌ଏର ଉକ୍ତ ରିପୋର୍ଟ ଆଧାରରେ ହାଇକୋର୍ଟ ମାମଲାର ଅନ୍ତ ଘଟାଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନୁପ କୁମାର ମହାପାତ୍ର ମାମଲା ପରିଚାଳନା କରୁଥିଲେ ।

Leave A Reply

Your email address will not be published.