ଭାରତକୁ ସୁସମୃଦ୍ଧ କରିବାର ଅଭିଯାନ ଓଡ଼ିଶାରୁ ଆରମ୍ଭ ହେଉ: ରାଷ୍ଟ୍ରପତି

0

ଭୁବନେଶ୍ବର, ୧୦।୧୧:ରାଜ୍ୟଗୁଡ଼ିକର ବିକାଶରେ ହିଁ ସମଗ୍ର ଭାରତର ବିକାଶ ନିହିତ। ସମୃଦ୍ଧ ଭାରତକୁ ସୁସମୃଦ୍ଧ କରିବାର ଅଭିଯାନ ଓଡ଼ିଶାରୁ ଆରମ୍ଭ ହେଉ ଓ ଏହା ମୋର ଆନ୍ତରିକ ଇଚ୍ଛା, ଆଉ ଏ ମାଟିର ଝିଅ ଭାବେ ଓଡ଼ିଶା ବିଷୟରେ ସେ ବି ଏଭଳି ଅନେକ ସ୍ୱପ୍ନ ଦେଖନ୍ତି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି । ରାଷ୍ଟ୍ରପତି ହେବା ପରେ ପ୍ରଥମଥର ପାଇଁ ନିଜ ଗୃହ ରାଜ୍ୟକୁ ଦୁଇଦିନିଆ ସରକାରୀ ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆଜି ସନ୍ଧ୍ୟାରେ ରାଜଭବନ ପରିସରରେ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ଅବସରରେ ସେ ଏହା କହିଛନ୍ତି ।

ଆଜି ରାଜଭବନ ପରିସରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାଚସ୍ପତି ବିକ୍ରମକେଶରୀ ଆରୁଖଙ୍କ ସମେତ ବିଭିନ୍ନ ବର୍ଗର ଲୋକଙ୍କ ଉପସ୍ଥିତିରେ ରାଷ୍ଟ୍ରପତିଙ୍କ ସମ୍ମାନରେ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଏହି ଅବସରରେ ଶ୍ରୀମତୀ ମୁର୍ମୁ କହଛନ୍ତି ଯେ, ସେ ଆଜି ସକାଳେ ପୁରୀ ଯାଇ ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ବିଶ୍ୱବାସୀଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରିଛନ୍ତି । ରାଷ୍ଟ୍ରପତି ହେବା ପରେ ନିଜ ମାଟିକୁ ଏହା ପ୍ରଥମ ଆଗମନ । ସମସ୍ତଙ୍କୁ ହାର୍ଦ୍ଧିକ ଅଭିନନ୍ଦନ, ସ୍ନେହ ଓ ଶ୍ରଦ୍ଧାରେ ଅଭିଭୂତ । ସେ କହିଛନ୍ତି ଯେ, ଓଡ଼ିଶାର ଗୌରବମୟ ଇତିହାସ ଓ ସଂସ୍କୃତି ଭାରତ ସାଂସ୍କୃତିକ ବିବିଧତା, ଏକତା ଓ ବ୍ୟାପକତାକୁ ଅଧିକ ବ୍ୟାପକ କରିଛି । ଓଡ଼ିଶାକୁ ପ୍ରକୃତିର ଅଭିନବ ବରଦାନ ମିଳିଛି ।

ଓଡ଼ିଶାର ସୁଦୀର୍ଘ ସମୁଦ୍ର ଉପକୂଳ ସହ ଖଣିଜ, ବନ ଓ ଜଳ ସମ୍ବଳରେ ସମୃଦ୍ଧ ରାଜ୍ୟ । ଓଡ଼ିଶାର ନଦୀଗୁଡ଼ିକ ମଧ୍ୟ ସମୃଦ୍ଧ । ଓଡ଼ିଶା ନିଜର ମାନବ ସମ୍ବଳ ପାଇଁ ସମଗ୍ର ବିଶ୍ୱରେ ପରିଚିତ । ଯଦି ପ୍ରକୃତିର ସମ୍ବଳକୁ ସଠିକ୍ ଉପଯୋଗ କରାଯାଏ ତା’ହେଲେ ଓଡ଼ିଶା ସମଗ୍ର ଭାରତର ଏକ ବିକଶିତ ରାଜ୍ୟ ହୋଇପାରିବ । ବିଜ୍ଞାନ ଆଧାରରେ ନିର୍ମିତ ଓଡ଼ିଶାର ଅନେକ ମନ୍ଦିର ଭାରତୀୟ ସଂସ୍କୃତି ଓ ସଭ୍ୟତାକୁ ନୂଆ ଦିଗ ଦେଇଛି । ଆମେ ସମସ୍ତେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛୁ । ଆଉ ୨୫ବର୍ଷ ପରେ ସ୍ୱାଧୀନତାର ଶତାବ୍ଦୀ ପାଳନ କରିବା । ସେହିପରି ଓଡ଼ିଶା ଆଉ ୧୪ବର୍ଷ ପରେ ନୂଆ ପ୍ରଦେଶ ଗଠନର ଶତାବ୍ଦୀ ପାଳନ କରିବ । ଏହି ସମୟ ଉଭୟ ଭାରତ ଓ ଓଡ଼ିଶା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାରତକୁ ଏକ ବିକଶିତ ଦେଶ ଗଠନ କରିବା ପାଇଁ ସମସ୍ତଙ୍କ ସାମୁହିକ ପ୍ରୟାସର ଆବଶ୍ୟକତା ରହିଛି । ବିକାଶର ଲାଭ ସମାଜର ସବୁବର୍ଗର ଲୋକଙ୍କ ପାଖରେ ପହଂଚିବା ଜରୁରୀ। ଭାରତରେ ଅନେକ ଜାତି, ଧର୍ମ ଓ ବର୍ଗର ଏକ ବିବିଧତାପୂର୍ଣ୍ଣ ସମାବେଶ ରହିଛି । ଯଦି ସମାଜର ଦୁର୍ବଳ ବର୍ଗଙ୍କ ଜୀବନସ୍ତରରେ ସୁଧାର ଆସିବ ନାହିଁ ତାହେଲେ କୌଣସି ଦେଶ ବା ସମାଜ ସମ୍ପୂର୍ଣ୍ଣ ବିକଶିତ ବୋଲି କୁହାଯାଇ ନପାରେ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି ।

ଏହା ପୂର୍ବରୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରାଜଧାନୀ ଭୁବନେଶ୍ୱରରେ ଥିବା ବିଭିନ୍ନ ପ୍ରତିଷ୍ଠିତ ବରପୁତ୍ର ଓ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପୁରୀରୁ ଭୁବନେଶ୍ୱର ବିମାନ ବନ୍ଦର ଫେରିବା ପରେ ସେଠାରେ ଲୋକନୃତ୍ୟ ଓ ପାରମ୍ପରିକ ବାଦ୍ୟ ସହ ଶଙ୍ଖ ଧ୍ୱନିରେ ତାଙ୍କୁ ସାଧାରଣ ଲୋକେ ସ୍ୱାଗତ କରିଥିଲେ । ରାଷ୍ଟ୍ରପତି ଶ୍ରୀମତୀ ମୁର୍ମ ପ୍ରଥମେ ରାଜ୍ୟ ସଂଗ୍ରହାଳୟ ଛକଠାରେ ପାଇକ ବିଦ୍ରୋହର ମହାନାୟକ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଗୋପବନ୍ଧୁ ଛକଠାରେ ପଣ୍ଡିତ ଗୋପବନ୍ଧୁ ଦାସ, ପାୱାର ହାଉସ ଛକଠାରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, କଳିଙ୍ଗ ହସ୍ପିଟାଲ ଛକଠାରେ ସ୍ୱଭାବ କବି ଗଙ୍ଗାଧର ମେହେର ଓ ଶହୀଦ ଲକ୍ଷ୍ମଣ ନାଏକ, ମୈତ୍ରୀ ବିହାରଠାରେ ଭଗବାନ ବିର୍ସା ମୁଣ୍ଡା ଓ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସେଠାରେ ଜନଜାତିଙ୍କ ପୂଜ୍ୟଦେବତା ମାରାଗଂ ବୁରୁଙ୍କୁ ପ୍ରାର୍ଥନା ପୂର୍ବକ ପ୍ରଣିପାତ କରିଥିଲେ । ଏହି ସମୟରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ, ରାଜ୍ୟ ମନ୍ତ୍ରୀ ଅଶୋକ ପଣ୍ଡା ଓ ଅନ୍ୟା ପ୍ରତିଷ୍ଠିତ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

ଉଲ୍ଲେଖଯୋଗ୍ୟ, ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆଜି ସକାଳେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ରାଷ୍ଟ୍ରପତି ସେଠାରୁ ବିମାନ ଯୋଗେ ସିଧାସଳଖ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ମହାପ୍ରସାଦ ସେବନ କରି ଭୁବନେଶ୍ୱର ଫେରିଥିଲେ । ରାଷ୍ଟ୍ରପତି ଆସନ୍ତାକାଲି ସକାଳେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ଅପରାହ୍ନରେ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

 

Leave A Reply

Your email address will not be published.