ଏପ୍ରିଲ୍ ସୁଦ୍ଧା ସବୁ ପଞ୍ଚାୟତକୁ ଉଚ୍ଚ କ୍ଷମତା ସମ୍ପନ୍ନ ଇଣ୍ଟରନେଟ୍

ପଞ୍ଚାୟତର ମୁଖ୍ୟ କାରବାର କେନ୍ଦ୍ରରେ ୱାଇ-ଫାଇ ସଂଯୋଗ

0

ଭୁବନେଶ୍ବର,୨୬/୧୦ : ରାଜ୍ୟରେ  ସବୁ ଗ୍ରାମ ପଞ୍ଚାୟତକୁ ଉଚ୍ଚ କ୍ଷମତା ସମ୍ପନ୍ନ ଇଣ୍ଟର୍‌ନେଟ୍‌ ସଂଯୋଗ କରାଯିବ। ଏହାର ଉଦ୍ଦେଶ୍ୟ ହେଲା ୫-ଟି ଢାଞ୍ଚାରେ ଉତ୍ତମ ପ୍ରଶାସନକୁ ତ୍ବରାନ୍ବିତ କରିବା। ଏଥି ନିମନ୍ତେ ରାଜ୍ୟ ସରକାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏପ୍ରିଲ୍‌ ମାସ ସୁଦ୍ଧା ସମସ୍ତ ଗ୍ରାମପଞ୍ଚାୟତକୁ ଇଣ୍ଟର୍‌ନେଟ୍‌ ସଂଯୋଗ କରିବା ନିମନ୍ତେ ଆପାତତଃ ନିଷ୍ପତ୍ତି ନିଆଯାଇଛି।

ପ୍ରତି ପଞ୍ଚାୟତର ମୁଖ୍ୟ କାରବାର କେନ୍ଦ୍ରରେ ୱାଇ-ଫାଇ ସଂଯୋଗ ଦେବା ପାଇଁ କୁହାଯାଇଛି। ଫଳରେ ପଞ୍ଚାୟତ ସ୍ତରରେ ଥିବା ସବୁ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ମେଡିକାଲ ଆଦି ଏହି ଇଣ୍ଟର୍‌ନେଟ୍‌ ସେବା ପାଇପାରିବେ।  ପ୍ରତି ପଞ୍ଚାୟତରେ ୫ଟି ଇଣ୍ଟର୍‌ନେଟ୍‌ ପଏଣ୍ଟ୍‌ ଯୋଗାଇ ଦିଆଯିବ। ସେଥିରୁ ସମସ୍ତ କାର୍ଯ୍ୟାଳୟ ସଂଯୋଗ ନେଇପାରିବେ। ପଞ୍ଚାୟତର ମୁଖ୍ୟ ବ୍ୟବସାୟିକ ସ୍ଥାନରେ ୱାଇ-ଫାଇ ସଂଯୋଗ ରହିବ। ଟେଲି ମେଡିସିନ୍ କେନ୍ଦ୍ର ଓ କୃଷି କିଓସ୍କ ଆଦିକୁ ମଧ୍ୟ ସଂଯୋଜିତ କରାଯିବ। ଇଣ୍ଟର୍‌ନେଟ୍‌ ଭିତ୍ତିଭୂମିର ଉପଯୁକ୍ତ ରକ୍ଷଣାବେକ୍ଷଣ ଏବଂ ଆବଶ୍ୟକ ସ୍ଥଳେ ଉନ୍ନତୀକରଣ ନିମନ୍ତେ ନିର୍ଦ୍ଦିଷ୍ଟ ଆନୁଷ୍ଠାନିକ ବ୍ୟବସ୍ଥା କରିବାକୁ କୁହାଯାଇଛି।

ଚଳିତ ମାସ ପ୍ରଥମ ସପ୍ତାହରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏ ସମ୍ପର୍କରେ ଏକ ସମୀକ୍ଷା ବୈଠକ କରିଥିଲେ। ଏଥିରେ ଭାରତନେଟ୍‌ ଯୋଜନାର ଅଗ୍ରଗତିର ସମୀକ୍ଷା ହୋଇଥିଲା। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୨୨,୫୪୧ ଅପ୍ଟିକାଲ୍ ଫାଇବର୍‌ କେବୁଲ୍‌ ବିଛା ସରିଛି। ଅବଶିଷ୍ଟ ୫.୦୬୯ କିମି କେବୁଲ୍‌ କାର୍ଯ୍ୟ ଶୀଘ୍ର ସରିବ। ସେହିପରି ବର୍ତ୍ତମାନ ସୁଦ୍ଧା ୪୬୫୧ ପଞ୍ଚାୟତ ଓ ୨୩୦ ବ୍ଲକ୍‌କୁ ଇଣ୍ଟର୍‌ନେଟ୍‌ ସଂଯୋଗ ଦିଆଯାଇଛି। ପଞ୍ଚାୟତକୁ ଇଣ୍ଟର୍‌ନେଟ୍‌ ସଂଯୋଗ ମିଳିବା ମାତ୍ରେ ସେସବୁକୁ କାର୍ଯ୍ୟକ୍ଷମ କରାଇ ବ୍ୟବହାରରେ ଲଗାଇବା ନିମନ୍ତେ ପଞ୍ଚାୟତିରାଜ ବିଭାଗକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ।

ଓକାକ୍ ରାଜ୍ୟର ଦୁର୍ଗମ ଅଞ୍ଚଳରେ ମୁଖ୍ୟ ବ୍ୟାଣ୍ଡ୍‌ୱିଡ୍‌ଥ୍‌ ସଂଯୋଜକ ଭାବେ କାର୍ଯ୍ୟ ଆରମ୍ଭ କରିଛି। ଏହି ଡିଜିଟାଲ୍‌ ଭିତ୍ତିଭୂମି ସମସ୍ତ ଗ୍ରାମ ପଞ୍ଚାୟତକୁ ସ୍ବାନ୍ ନେଟ୍‌ୱର୍କ ପରିସରକୁ ଆଣିବ। ଏହାର ଡାର୍କ-ଫାଇବର୍‌କୁ ମଧ୍ୟ ବ୍ୟବସାୟିକ ଭିତ୍ତିରେ ଘରୋଇ ‌ଟେଲିକମ୍ ଓ ଇଣ୍ଟର୍‌ନେଟ୍‌ ଯୋଗାଣକାରୀ ସଂସ୍ଥାକୁ ଲିଜ୍ ଦିଆଯାଇପାରିବ। ଏହି ଭିତ୍ତିଭୂମିର ଉପଯୁକ୍ତ ବିନିଯୋଗ ନିମନ୍ତେ ସଂପୃକ୍ତ ବିଭାଗଗୁଡ଼ିକୁ ସାମିଲ କରି ଏହି ଏସ୍‌ପିଭି ଗଠନ କରିବା ନିମନ୍ତେ ସ୍ଥିର ହୋଇଛି।

Leave A Reply

Your email address will not be published.