ମନର କଥା 2.0 (ସପ୍ତଦଶ ଅଧ୍ୟାୟ) ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ “ମନ୍ କି ବାତ୍’

0

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ବିଜୟାଦଶମୀ ଅର୍ଥାତ୍ ଦଶହରା ପର୍ବ । ଏହି ପବିତ୍ର ଅବସରରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା । ଦଶହରାର ଏହି ପର୍ବ ହେଉଛି ଅସତ୍ୟ ଉପରେ ସତ୍ୟର ବିଜୟର ପର୍ବ । କିନ୍ତୁ ତା’ ସଙ୍ଗେ ସଙ୍ଗେ, ଏହା ଏକ ପ୍ରକାର ସଙ୍କଟ ଉପରେ ଧୈର୍ଯ୍ୟର ମଧ୍ୟ ବିଜୟ ପର୍ବ । ଆଜି ଆପଣ ସମସ୍ତେ ଅତ୍ୟଧିକ ସଂଯମତା ସହିତ ଜୀବନଯାପନ କରୁଛନ୍ତି, ମର୍ଯ୍ୟାଦାର ସୀମାରେ ରହି ପର୍ବ-ପର୍ବାଣୀ ପାଳନ କରୁଛନ୍ତି, ତେଣୁ ଆମେ ଚଳାଇଥିବା ସଂଗ୍ରାମରେ ବିଜୟ ସୁନିଶ୍ଚିତ । ପୂର୍ବରୁ, ଦୁର୍ଗା ମଣ୍ଡପଗୁଡ଼ିକରେ ମା’ଙ୍କ ଦର୍ଶନ ପାଇଁ ଏତେ ଭିଡ଼ ହେଉଥିଲା, ଯାହା ଗୋଟିଏ ମେଳା ଭଳି ପରିବେଶ ସୃଷ୍ଟି କରୁଥିଲା । କିନ୍ତୁ ଏଥର ତାହା ହୋଇପାରିଲାନି । ଆଗରୁ, ଦଶହରା ସମୟରେ ବି ବଡ଼ ବଡ଼ ମେଳାର ଆୟୋଜନ ହେଉଥିଲା, କିନ୍ତୁ ଏଥର ସେଗୁଡ଼ିକର ରୂପ ମଧ୍ୟ ଭିନ୍ନ । ରାମଲୀଳା ପର୍ବର ମଧ୍ୟ ଖୁବ ଆକର୍ଷଣ ରହୁଥିଲା । କିନ୍ତୁ ଏଥର ତାହା ଉପରେ ମଧ୍ୟ ଅନେକ କଟକଣା ଲାଗିଛି । ପୂର୍ବେ ନବରାତ୍ର ଅବସରରେ ଗୁଜରାଟର ଗର୍ବା ର ଗୁଞ୍ଜନ ସବୁଆଡ଼େ ଶୁଣିବାକୁ ମିଳୁଥିଲା, ଏଥର ସମସ୍ତ ବଡ଼ ଆୟୋଜନ ବନ୍ଦ ରହିଛି । ଆଗକୁ ଆହୁରି ଅନେକ ପର୍ବପର୍ବାଣୀ ଆସୁଛି । ଇଦ୍, କୁମାର ପୂର୍ଣ୍ଣିମା, ବାଲ୍ମିକି ଜୟନ୍ତୀ, ଧନତେରସ୍, ଦୀପାବଳୀ, ଭାତୃ-ଦ୍ୱିତୀୟା, ଛଠ୍ ପୂଜା, ଗୁରୁ ନାନକ ଦେବଙ୍କ ଜୟନ୍ତୀ ମଧ୍ୟ ରହିଛି । କରୋନାର ଏହି ସଙ୍କଟ ସମୟରେ ଆମକୁ ସଂଯମ ଆଚରଣ କରିବାକୁ ହେବ, ମର୍ଯ୍ୟାଦାର ସୀମା ମଧ୍ୟରେ ହିଁ ରହିବାକୁ ହେବ ।

ବନ୍ଧୁଗଣ, ଆମେ ଯେତେବେଳେ ପର୍ବପର୍ବାଣୀ କଥା କହୁଁ, ସେଗୁଡ଼ିକ ପାଇଁ ପ୍ରସ୍ତୁତି କରୁଁ, ସେତେବେଳେ ପ୍ରଥମେ ମନରେ ପ୍ରଶ୍ନ ଆସେ ବଜାରକୁ କେବେ ଯିବା? କ’ଣ କ’ଣ ସବୁ କିଣିବା? ବିଶେଷକରି ପିଲାମାନଙ୍କ ମଧ୍ୟରେ ଏସବୁକୁ ନେଇ ବିଶେଷ ଉତ୍ସାହ ରହିଥାଏ । ଏଥର ପର୍ବପର୍ବାଣୀରେ ନୂଆ କ’ଣ ମିଳିବ? ପର୍ବପର୍ବାଣୀର ଏହି ଉତ୍ସାହ ଓ ବଜାରର ଆକର୍ଷଣ ପରସ୍ପର ସହିତ ଜଡ଼ିତ । କିନ୍ତୁ ଏଥର ବଜାରକୁ ଯିବାବେଳେ ଆପଣମାନେ ‘ଭୋକାଲ ଫର ଲୋକାଲ’ର ନିଜର ସଂକଳ୍ପ ନିଶ୍ଚୟ ମନେରଖିବେ । ବଜାରରୁ ଜିନିଷ କିଣିବା ସମୟରେ ଆମକୁ ସ୍ଥାନୀୟ ସାମଗ୍ରୀଗୁଡ଼ିକୁ ଅଗ୍ରାଧିକାର ଦେବାକୁ ହେବ ।

ବନ୍ଧୁଗଣ, ପର୍ବପର୍ବାଣୀର ଏହି ଆନନ୍ଦ ଉଲ୍ଲାସ ମଧ୍ୟରେ ଲକଡାଉନର ସେହି ସମୟକୁ ମଧ୍ୟ ମନେ ପକାଇବା ଉଚିତ । ଲକଡାଉନରେ ଆମେ ସମାଜର ସେହି ବନ୍ଧୁମାନଙ୍କୁ ଆହୁରି ନିକଟରୁ ଜାଣିପାରିଲୁ, ଯେଉଁମାନଙ୍କ ବିନା ଆମ ଜୀବନ ଖୁବ୍ ଦୁଃସହ ହୋଇପଡ଼ିଥାନ୍ତା । ସଫେଇ କର୍ମଚାରୀ, ଘରେ କାମ କରୁଥିବା ଭାଇ-ଭଉଣୀ, ସ୍ଥାନୀୟ ପରିବା ବିକାଳୀ, କ୍ଷୀରବାଲା, ସୁରକ୍ଷାକର୍ମୀ, ଏ ସମସ୍ତଙ୍କର ଆମ ଜୀବନରେ କ’ଣ ଭୂମିକା ରହିଛି, ତାହା ଆମେ ଭଲ ଭାବେ ହୃଦୟଙ୍ଗମ କରିପାରିଲୁ । କଠିନ ସମୟରେ ଏମାନେ ଆପଣଙ୍କ ସହ ଥିଲେ, ଆମ ସମସ୍ତଙ୍କ ସହ ଥିଲେ । ଏବେ, ନିଜ ପର୍ବପର୍ବାଣୀ ସମୟରେ, ନିଜର ଖୁସି ସମୟରେ ମଧ୍ୟ ଏମାନଙ୍କୁ ଆମ ସହିତ ରଖିବାକୁ ହେବ । ମୋର ଅନୁରୋଧ, ଯଥାସମ୍ଭବ ଏମାନଙ୍କୁ ନିଜ ଖୁସିରେ ନିଶ୍ଚୟ ସାମିଲ କରନ୍ତୁ । ପରିବାରର ସଭ୍ୟ ଭାବେ କରନ୍ତୁ । ଦେଖିବେ, ଆପଣଙ୍କ ଖୁସି ମଧ୍ୟ କେତେ ବଢ଼ିଯିବ ।

ବନ୍ଧୁଗଣ, ଆମକୁ ଆମର ସେହି ବୀର ସୈନିକମାନଙ୍କୁ ମଧ୍ୟ ମନେରଖିବାକୁ ହେବ, ଯେଉଁମାନେ ଏହି ପାର୍ବଣ ସମୟରେ ସୀମା ଉପରେ ଜଗି ରହିଛନ୍ତି । ଭାରତମାତାକୁ ସେବା ଓ ସୁରକ୍ଷା ପ୍ରଦାନ କରୁଛନ୍ତି । ସେମାନଙ୍କୁ ସ୍ମରଣ କରିବା ପରେ ହିଁ ଆମେ ନିଜ ପର୍ବ ପାଳନ କରିବା । ନିଜ ଘରେ ଗୋଟିଏ ଦୀପ, ଭାରତମାତାଙ୍କ ଏହି ବୀର ସନ୍ତାନମାନଙ୍କ ସମ୍ମାନରେ ଜଳାଇବା । ମୁଁ ଆମର ବୀର ଯବାନମାନଙ୍କୁ ମଧ୍ୟ କହିବାକୁ ଚାହୁଁଛି ଯେ, ଆପଣମାନେ ସୀମାରେ ରହିଥିଲେ ବି, ସାରା ଦେଶ ଆପଣଙ୍କ ସାଥିରେ ରହିଛି, ଆପଣମାନଙ୍କ ପାଇଁ ଶୁଭକାମନା କରୁଛି । ମୁଁ ସେହି ପରିବାରଗୁଡ଼ିକର ତ୍ୟାଗକୁ ମଧ୍ୟ ପ୍ରଣାମ କରୁଛି, ଯାହାର ପୁଅ-ଝିଅମାନେ ଆଜି ଦେଶର ସୀମାରେ ରହିଛନ୍ତି । ସେହି ପ୍ରତ୍ୟେକ ବ୍ୟକ୍ତି, ଯିଏ ଦେଶ ପାଇଁ କୌଣସି ନା କୌଣସି କର୍ତ୍ତବ୍ୟ ପାଳନ କାରଣରୁ ନିଜ ପରିବାରଠାରୁ ଦୂରରେ ରହିଛି – ମୁଁ ସେମାନଙ୍କ ପ୍ରତି ଆନ୍ତରିକ କୃତଜ୍ଞତା ଜଣାଉଛି ।

ମୋର ପ୍ରିୟ ଦେଶବାସୀଗଣ, ଆଜି ଯେତେବେଳେ ଆମେ ଲୋକାଲ ପାଇଁ ଭୋକାଲ ହେଉଛୁ, ତା’ ଯୋଗୁଁ ବିଶ୍ୱବାସୀ ମଧ୍ୟ ଆମର ସ୍ଥାନୀୟ ଉତ୍ପାଦଗୁଡ଼ିକୁ ଭଲ ପାଇଲେଣି । ଆମର ଅନେକ ସ୍ଥାନୀୟ ଉତ୍ପାଦ ଅନ୍ତର୍ଜାତୀୟ ମାନର ଖ୍ୟାତିଲାଭ କରିବାର କ୍ଷମତା ରଖିଛନ୍ତି । ଯେମିତିକି, ଗୋଟିଏ ଉଦାହରଣ ହେଲା ଖଦି । ଦୀର୍ଘ ସମୟ ଧରି ଖଦି ସରଳତାର ପରିଚୟ ହୋଇରହିଛି । କିନ୍ତୁ, ଆମର ଏହି ଖଦି ଆଜି Eco-friendly fabric ରୂପେ ଗ୍ରହଣୀୟ ହୋଇପାରିଛି । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହା body friendly fabric, ଏହା all weather fabric, ଆଉ ଖଦି ଆଜିକାଲି fashion statement ହୋଇଗଲାଣି । ଖଦିର ଲୋକପ୍ରିୟତା ତ ବଢ଼ିଚାଲିଛି, ତା ସଙ୍ଗେ ସଙ୍ଗେ ବିଶ୍ୱର ଅନେକ ସ୍ଥାନରେ ଖଦି ବୁଣା ମଧ୍ୟ ଚାଲିଛି । ମେକ୍ସିକୋର ଗୋଟିଏ ସ୍ଥାନ ହେଉଛି ଓହାକା । ଏହି ଅଂଚଳରେ ଏଭଳି ଅନେକ ଗାଁ ରହିଛି, ଯେଉଁଠି ସ୍ଥାନୀୟ ଗ୍ରାମାଂଚଳର ଲୋକେ ଖଦି ବୁଣା କାମ କରୁଛନ୍ତି । ଆଜି, ଏହି ଅଂଚଳର ଖଦି ଓହାକା ଖଦି ନାମରେ ପ୍ରସିଦ୍ଧି ଲାଭ କରିସାରିଲାଣି । ଖଦି ଓହାକାକୁ କେମିତି ପହଂଚିଲା, ସେ କଥା ମଧ୍ୟ କିଛି କମ ମଜାଦାର ନୁହଁ । ପ୍ରକୃତରେ, ମେକ୍ସିକୋର ଜଣେ ଯୁବକ ମାର୍କ ବ୍ରାଉନ୍ ଥରେ ଗାନ୍ଧୀଜୀଙ୍କ ଉପରେ ଆଧାରିତ ଗୋଟିଏ ଚଳଚ୍ଚିତ୍ର ଦେଖିଲେ । ଏହି ଚଳଚ୍ଚିତ୍ର ଦେଖି ବ୍ରାଉନ୍ ଏତେ ପ୍ରଭାବିତ ହେଲେ ଯେ, ସେ ଭାରତକୁ ଗାନ୍ଧିଜୀଙ୍କ ଆଶ୍ରମ ପରିଦର୍ଶନ କରବାକୁ ଆସିଲେ ଏବଂ ବାପୁଙ୍କ ବିଷୟରେ ବହୁତ କିଛି ଜାଣିଲେ । ସେତେବେଳେ ବ୍ରାଉନ୍ ଅନୁଭବ କଲେ ଯେ, ଖଦୀ କେବଳ ବସ୍ତ୍ର ନୁହେଁ, ଏହା ତ ଗୋଟିଏ ଜୀବନ ପଦ୍ଧତି । ଗ୍ରାମାଂଚଳର ଆର୍ଥିକ ବ୍ୟବସ୍ଥା ଏବଂ ଆତ୍ମନିର୍ଭରତାର ଦର୍ଶନର କିଭଳି ଏହା ସହିତ ଘନିଷ୍ଠ ସମ୍ପର୍କ ରହିଛି, ତାହାଜାଣି ବ୍ରାଉନ୍ ଖୁବ ପ୍ରଭାବିତ ହେଲେ । ଏଇଠି ହିଁ ସେ ସ୍ଥିର କଲେ ଯେ, ମେକ୍ସିକୋ ଫେରି ସେ ଖଦୀ ତିଆରି କାମ ଆରମ୍ଭ କରିବେ । ସେ ମେକ୍ସିକୋର ଓହାକାରେ ଗାଁ ଲୋକଙ୍କୁ ଖଦୀ ତିଆରି କରିବା ଶିଖାଇଲେ, ସେମାନଙ୍କୁ ପ୍ରଶିକ୍ଷିତ କଲେ ଆଉ ଆଜି ‘ଓହାକା ଖଦୀ’ ଗୋଟିଏ ବ୍ରାଣ୍ଡ ପାଲଟିସାରିଛି । ଏହି ପ୍ରକଳ୍ପର ୱେବସାଇଟରେ ଲେଖାହୋଇଛି – The Symbol of Dharma in Motion. ଏହି ୱେବସାଇଟରେ ମାର୍କ ବ୍ରାଉନଙ୍କର ଗୋଟିଏ ମଜାଦାର ସାକ୍ଷାତକାର ମଧ୍ୟ ରହିଛି । ସେ କହୁଛନ୍ତି ଯେ, ଆରମ୍ଭରେ ଲୋକେ ଖଦୀକୁ ନେଇ ସନ୍ଦିହାନ ଥିଲେ, କିନ୍ତୁ ଶେଷରେ ଖଦୀ ପ୍ରତି ସେମାନଙ୍କ ଆଗ୍ରହ ବୃଦ୍ଧି ପାଇଲା ଓ ଏହାର ଗୋଟିଏ ବଜାର ସୃଷ୍ଟି ହୋଇଗଲା । ତାଙ୍କ ମତରେ, ଏହା ରାମ-ରାଜ୍ୟ ଭଳି କଥା – ଆପଣ ଯେତେବେଳେ ଲୋକଙ୍କ ଆବଶ୍ୟକତା ପୂରଣ କରନ୍ତି, ସେତେବେଳେ ଲୋକେ ମଧ୍ୟ ଆପଣଙ୍କ ସହିତ ଯୋଡ଼ି ହେବା ପାଇଁ ଆଗଭର ହୁଅନ୍ତି ।

ବନ୍ଧୁଗଣ, ଦିଲ୍ଲୀର କନ୍ନଟ୍ ପ୍ଲେସରେ ଏଥର ଗାନ୍ଧୀ ଜୟନ୍ତୀ ଦିନ, ଗୋଟିଏ ଦିନରେ ହିଁ ଏକ କୋଟି ଟଙ୍କାର ଖଦି ସାମଗ୍ରୀ ବିକ୍ରୟ ହେଲା । ସେହିପରି, କରୋନା ସମୟରେ ଖଦି ତିଆରି ମାସ୍କ ମଧ୍ୟ ଖୁବ ଲୋକପ୍ରିୟ ହେଉଛି । ଦେଶରେ ଅନେକ ସ୍ଥାନରେ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଅନ୍ୟ ସଂସ୍ଥାଗୁଡ଼ିକ ଖଦୀ ମାସ୍କ ତିଆରି କରୁଛନ୍ତି । ଉତରପ୍ରଦେଶର ବାରାବଙ୍କିର ଜଣେ ମହିଳା ହେଉଛନ୍ତି ସୁମନ ଦେବୀ । ସୁମନ ଦେବୀ ନିଜ ସାଥୀ ମହିଳାମାନଙ୍କୁ ସାଙ୍ଗରେ ନେଇ ଖଦୀ ମାସ୍କ ତିଆରି କରିବା ଆରମ୍ଭ କଲେ । ଧୀରେ ଧୀରେ ତାଙ୍କ ସହିତ ଅନ୍ୟ ମହିଳାମାନେ ମଧ୍ୟ ମିଶିବାରେ ଲାଗିଲେ । ଏବେ ସେମାନେ ମିଶି ହଜାର ହଜାର ଖଦୀ ମାସ୍କ ତିଆରି କରୁଛନ୍ତି । ଆମ ସ୍ଥାନୀୟ ଉତ୍ପାଦଗୁଡ଼ିକର ବିଶେଷତ୍ୱ ହେଲା ଯେ, ତା’ସହିତ ଗୋଟିଏ ଦର୍ଶନ ଯୋଡ଼ି ହୋଇ ରହିଥାଏ ।

ମୋର ପ୍ରିୟ ଦେଶବାସୀଗଣ, ଆମେ ଯେତେବେଳେ ନିଜ ସାମଗ୍ରୀଗୁଡ଼ିକୁ ନେଇ ଗର୍ବ କରୁ, ସେତେବେଳେ ବିଶ୍ୱବାସୀଙ୍କ ଜିଜ୍ଞାସା ମଧ୍ୟ ଏ ଦିଗରେ ବୃଦ୍ଧିପାଏ । ଯେମିତିକି ଆମର ଆଧ୍ୟାତ୍ମିକତା, ଯୋଗ, ଆୟୁର୍ବେଦ ସମଗ୍ର ବିଶ୍ୱକୁ ଆକର୍ଷିତ କରିପାରିଛି, ସେହିଭଳି ଆମର କେତେକ ଖେଳ ମଧ୍ୟ ଦୁନିଆକୁ ଆକର୍ଷିତ କରୁଛି । ଆଜିକାଲି, ଆମର ମାଲଖମ୍ବ ମଧ୍ୟ ଅନେକ ଦେଶରେ ପ୍ରଚଳିତ ହେବାରେ ଲାଗିଛି । ଆମେରିକାରେ ଚିନ୍ମୟ ପାଟନକର ଏବଂ ପ୍ରଜ୍ଞା ପାଟନକର ଯେତେବେଳେ ନିଜ ଘରୁ ହିଁ ମାଲଖମ୍ବ ଶିଖାଇବା ଆରମ୍ଭ କରିଥିଲେ, ସେତେବେଳେ ସେମାନେ ଏଥିରେ ଏତେ ସଫଳତା ଲାଭ କରିବେ ବୋଲି ନିଜେ ମଧ୍ୟ କଳ୍ପନା କରି ନ ଥିଲେ । ଆମେରିକାରେ ଆଜି ଅନେକ ଜାଗାରେ ମାଲଖମ୍ବ ତାଲିମ କେନ୍ଦ୍ରମାନ ଚାଲିଛି । ଆମେରିକାର ଯୁବବର୍ଗ ବହୁ ସଂଖ୍ୟାରେ ଏଥିରେ ଯୋଗ ଦେଉଛନ୍ତି, ମାଲଖମ୍ବ ଶିଖୁଛନ୍ତି । ଆଜି ଜର୍ମାନୀ ହେଉ, ପୋଲାଣ୍ଡ ହେଉ, ମାଲେସିଆ ହେଉ, ଏଭଳି ପ୍ରାୟ 20ଟି ଅନ୍ୟ ଦେଶମାନଙ୍କରେ ମଧ୍ୟ ମାଲଖମ୍ବ ଖୁବ ଲୋକପ୍ରିୟ ହେବାରେ ଲାଗିଛି । ଏବେ ତ ଏହାର ବିଶ୍ୱ ଚମ୍ପିଆନ୍ସିପ୍ ପ୍ରତିଯୋଗିତା ଆରମ୍ଭ କରାଯାଇଛି, ଯେଉଁଥିରେ ଅନେକ ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି । ଭାରତରେ ତ ପ୍ରାଚୀନ କାଳରୁ ଏମିତି ଅନେକ ଖେଳ ରହିଛି, ଯାହା ଆମର ଅସାଧାରଣ ବିକାଶ ଘଟାଇଥାଏ । ଆମର ମନ ଓ ଶରୀରକୁ ସନ୍ତୁଳନର ଏକ ନୂତନ ସ୍ତରକୁ ନେଇଯାଇଥାଏ । କିନ୍ତୁ, ବୋଧହୁଏ, ନୂତନ ପିଢ଼ିର ଆମର ଯୁବବନ୍ଧୁଗଣ ମାଲଖମ୍ବ ସହ ସେତେଟା ପରିଚିତ ନ ଥିବେ । ଏ ସମ୍ପର୍କରେ ଆପଣ ଇଂଟରନେଟ୍ରେ ଅନୁସନ୍ଧାନ କରନ୍ତୁ ଏବଂ ନିଶ୍ଚୟ ଏହାକୁ ଦେଖନ୍ତୁ ।

ବନ୍ଧୁଗଣ, ଆମ ଦେଶରେ ଅନେକ Martial Arts ରହିଛି । ମୁଁ ଚାହୁଁଛି ଯେ, ଆମର ଯୁବବନ୍ଧୁଗଣ ଏଗୁଡ଼ିକ ସମ୍ପର୍କରେ ଜାଣନ୍ତୁ, ଏସବୁ ଶିଖନ୍ତୁ, ଏବଂ ସମୟ ସହ ତାଳ ଦେଇ ଏଗୁଡ଼ିକୁ Innovate ମଧ୍ୟ କରନ୍ତୁ । ଜୀବନରେ ଯେତେବେଳେ ବଡ଼ ଆହ୍ୱାନ ନ ଥାଏ, ତେବେ ବ୍ୟକ୍ତିତ୍ୱର ସର୍ବଶ୍ରେଷ୍ଠ ଗୁଣ ମଧ୍ୟ ପଦାକୁ ଆସେନି । ତେଣୁ, ନିଜେ ନିଜକୁ ସବୁବେଳେ ଚ୍ୟାଲେଞ୍ଜ କରିବା ଉଚିତ ।

ମୋର ପ୍ରିୟ ଦେଶବାସୀଗଣ, କଥାରେ ଅଛି – Learning is Growing. ଆଜି ‘ମନ୍ କି ବାତ୍’ରେ ମୁଁ ଏମିତି ଜଣେ ବ୍ୟକ୍ତିଙ୍କ ସହ ଆପଣଙ୍କ ପରିଚୟ କରାଇବି, ଯାହାଙ୍କ ରହିଛି ଗୋଟିଏ ନିଆରା ସଉକ । ଏହି ସଉକଟି ହେଲା – ରିଡିଙ୍ଗ୍ ଓ ଲର୍ଣ୍ଣିଂର ଖୁସିକୁ ଅନ୍ୟମାନଙ୍କ ସହ ବାଂଟିବା । ସେ ହେଉଛନ୍ତି ପନ୍ ମରିୟପ୍ପନ୍ । ପନ୍ ମରିୟପ୍ପନ୍ ତାମିଲନାଡ଼ୁର ତୁତୁକୁଡ଼ିରେ ବାସ କରନ୍ତି । ତୁତୁକୁଡ଼ି ପର୍ଲ ସିଟି ବା ମୋତିର ସହର ଭାବରେ ମଧ୍ୟ ପ୍ରସିଦ୍ଧ । ଏହା ଦିନେ ପାଣ୍ଡିଆନ୍ ସାମ୍ରାଜ୍ୟର ଗୋଟିଏ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଥିଲା । ଏଠାରେ ରହୁଥିବା ମୋର ବନ୍ଧୁ ପନ୍ ମରିୟପ୍ପନଙ୍କ ପେଶା ଚୁଟି କାଟିବା । ଏଠାରେ ତାଙ୍କର ଗୋଟିଏ ସେଲୁନ୍ ମଧ୍ୟ ରହିଛି । ବହୁତ ଛୋଟ ସେଲୁନଟିଏ । ସେ ଗୋଟିଏ ନିଆରା ଏବଂ ପ୍ରେରଣାଦାୟକ କାମ କରିଛନ୍ତି । ନିଜର ସେଲୁନ୍ର ଗୋଟିଏ ଅଂଶକୁ ହିଁ ସେ ଗୋଟିଏ ପୁସ୍ତକାଳୟ କରିଦେଇଛନ୍ତି । ସେଲୁନରେ ନିଜ ପାଳିକୁ ପ୍ରତୀକ୍ଷା କରୁଥିବା ଲୋକ ଯଦି ସେହି ସମୟରେ ସେଥିରୁ କିଛି ପଢ଼ି ସେ ବିଷୟରେ କିଛି ଲେଖେ, ତେବେ ପନ୍ ମରିୟପ୍ପନଜୀ ସେହି ଗ୍ରାହକଙ୍କୁ ରିହାତି ଦିଅନ୍ତି । ମଜାକଥା ନୁହେଁ କି? ତେବେ ଚାଲନ୍ତୁ ତୁତୁକୁଡ଼ି, ପନ୍ ମରିୟପ୍ପନଜୀଙ୍କ ସହ କଥାହେବା –

ପ୍ରଧାନମନ୍ତ୍ରୀ              :         ପନ୍ ମରିୟପାନାଜୀ, ୱଣକ୍କମ୍ … ନଲ୍ଲା ଇର କିଙ୍ଗଡା?

(ପ୍ରଧାନମନ୍ତ୍ରୀ            :         ପନ୍ ମରିୟପାନାଜୀ, ୱଣକ୍କମ୍ … ଆପଣ କେମିତି ଅଛନ୍ତି?)

ପନ୍ ମରିୟପ୍ପନ୍         :         (ତାମିଲରେ ଉତ୍ତର) …

(ପନ୍ ମରିୟପ୍ପନ୍        :         ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ, ୱଣକ୍କମ୍ (ନମସ୍କାର) ।)

ପ୍ରଧାନମନ୍ତ୍ରୀ              :         ୱଣକ୍କମ୍, ୱଣକ୍କମ୍ … ଉଙ୍ଗଲକ୍କେ ଇନ୍ଦ ଲାଇବ୍ରେରୀ ଆଇଡିଆ ୟେପ୍ପଡ଼ି ୱନ୍ଦଦା?

(ପ୍ରଧାନମନ୍ତ୍ରୀ            :         ୱଣକ୍କମ୍, ୱଣକ୍କମ୍ … ଏହି ପାଠାଗାର କରିବାର ଆଇଡିଆ ଆପଣଙ୍କ ମୁଣ୍ଡକୁ କେମିତି ଆସିଲା?)

ପନ୍ ମରିୟପ୍ପନ୍        :         ମୁଁ ଅଷ୍ଟମ ଶ୍ରେଣୀ ଯାଏ ପାଠ ପଢ଼ିଛି । ମୋର ପାରିବାରିକ ପରିସ୍ଥିତି ଯୋଗୁଁ ଆଗକୁ ପଢ଼ିପାରିଲିନି ।

ଶିକ୍ଷିତ ଲୋକଙ୍କୁ ଦେଖିଲେ ମୋତେ ନିଜ ଭିତରେ କିଛି ଊଣା ଅନୁଭବ ହେଉଥିଲା । ତେଣୁ, ମୋ ମନକୁ ଏ କଥା ଆସିଲା ଯେ, ଯଦି ଗୋଟିଏ ପାଠାଗାର

ପ୍ରତିଷ୍ଠା କରନ୍ତି ତାହେଲେ ଏହାଦ୍ୱାରା ଅନେକ ଲୋକଙ୍କ ଉପକାର ହେବ। ସେହି କଥା ମୋ ପାଇଁ ପ୍ରେରଣା ସାଜିଲା ।

ପ୍ରଧାନମନ୍ତ୍ରୀ             :         ଉଙ୍ଗଲ୍କେ ୟେନ୍ଦ୍ ପୁତହମ୍ ପିଡ଼ିକ୍କୁମ୍?

(ପ୍ରଧାନମନ୍ତ୍ରୀ            :         ଆପଣଙ୍କୁ କେଉଁ ବହି ବେଶୀ ଭଲ ଲାଗେ?)

ପନ୍ ମରିୟପ୍ପନ୍         :         ମୋର ତିରୁକୁରୁଲ୍ ବହୁତ ପ୍ରିୟ ।

ପ୍ରଧାନମନ୍ତ୍ରୀ              :         ଉଙ୍ଗକିଟ୍ଟ ପେସିୟଦିଲ୍ ୟେନକ୍କ । ରୋମ୍ବା ମଗିଲଚି । ନଲ ୱାଡ଼  ତୁକ୍କଲ୍ …

(ପ୍ରଧାନମନ୍ତ୍ରୀ            :         ଆପଣଙ୍କ ସହ କଥା ହୋଇ ବହୁତ ଖୁସି ଲାଗିଲା । ଆପଣଙ୍କୁ  ଅନେକ ଅନେକ ଶୁଭକାମନା ।)

ପନ୍ ମରିୟପ୍ପନ୍         :         ପ୍ରଧାନମନ୍ତ୍ରୀଙ୍କ ସହିତ କଥା ହେଇ ମୁଁ ବି ବହୁତ ଖୁସି ଅନୁଭବ  କରୁଛି ।

ପ୍ରଧାନମନ୍ତ୍ରୀ              :         ନଲ ୱାଡ଼ ତୁକ୍କଲ୍ (ଅନେକ ଶୁଭକାମନା)

ପନ୍ ମରିୟପ୍ପନ୍          :         ଧନ୍ୟବାଦ ପ୍ରଧାନମନ୍ତ୍ରୀ ମହୋଦୟ ।

ପ୍ରଧାନମନ୍ତ୍ରୀ              :         Thank You

ବର୍ତ୍ତମାନ ଆମେ ପନ୍ ମରିୟପାନାଜୀଙ୍କ ସହ କଥା ହେଲେ । ଦେଖନ୍ତୁ, ଲୋକଙ୍କ ଚୁଟି କାଟିବା ସହ ସେ କେମିତି ସେମାନଙ୍କୁ ନିଜ ଜୀବନକୁ ସରସ ସୁନ୍ଦର କରିବା ପାଇଁ ମଧ୍ୟ ସୁଯୋଗ ଦେଉଛନ୍ତି । ତିରୁକୁରଲର ଲୋକପ୍ରିୟତା ବିଷୟରେ ଶୁଣି ମଧ୍ୟ ଖୁବ ଭଲ ଲାଗିଲା । ତିରୁକୁରଲ୍ର ଲୋକପ୍ରିୟତା ବିଷୟରେ ଆପଣମାନେ ମଧ୍ୟ ଶୁଣିଲେ । ଏହା ଆଜି ଭାରତର ସମସ୍ତ ଭାଷାରେ ଉପଲବ୍ଧ । ସୁଯୋଗ ପାଇଲେ ନିଶ୍ଚୟ ଏହା ପଢ଼ିବା ଉଚିତ । ଜୀବନ ପାଇଁ ଏହା ଏକ ପ୍ରକାର ମାର୍ଗଦର୍ଶକ ।

ବନ୍ଧୁଗଣ, ଏ କଥା ଜାଣି ଆପଣମାନେ ଖୁସି ହେବେ ଯେ, ସାରା ଭାରତରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଜ୍ଞାନର ପ୍ରଚାର ପ୍ରସାର ଦ୍ୱାରା ଖୁବ ଖୁସି ଅନୁଭବ କରିଥାନ୍ତି । ଏମାନେ ସେହି ଲୋକ, ଯେଉଁମାନେ ଏ କଥାକୁ ନେଇ ସର୍ବଦା ତତ୍ପର ଥାଆନ୍ତି ଯେ, ସବୁ ଲୋକ ପଠନ ପାଇଁ ପ୍ରେରିତ ହୁଅନ୍ତୁ । ମଧ୍ୟପ୍ରଦେଶର ସିଙ୍ଗ୍ରୋଲିର ଶିକ୍ଷୟିତ୍ରୀ ଉଷା ଦୁବେ ଜୀ ତ ନିଜ ସ୍କୁଟିକୁ ହିଁ ମୋବାଇଲ୍ ଲାଇବ୍ରେରୀରେ ପରିଣତ କରିଦେଇଛନ୍ତି । ସେ ପ୍ରତିଦିନ ନିଜର ଏହି ଭ୍ରାମ୍ୟମାଣ ପୁସ୍ତକାଳୟ ସହ କୌଣସି ନା କୌଣସି ଗାଁ କୁ ପହଂଚିଯାଆନ୍ତି ଆଉ ସେଠାରେ ପିଲାମାନଙ୍କୁ ପାଠ ପଢ଼ାନ୍ତି । ପିଲାମାନେ ତାଙ୍କୁ ସ୍ନେହରେ ବହିବାଲି ଦିଦି ବୋଲି ଡାକନ୍ତି । ଚଳିତ ବର୍ଷ ଅଗଷ୍ଟ ମାସରେ ଅରୁଣାଚଳ ପ୍ରଦେଶର ନିରଜୁଲିର ରାୟୋ ଗାଁରେ ଗୋଟିଏ ସ୍ୱୟଂ ସହାୟକ ଲାଇବ୍ରେରୀ ନିର୍ମାଣ କରାଯାଇଛି । ଏଠାକାର ମିନା ଗୁରୁଙ୍ଗ ଏବଂ ଦିୱାଙ୍ଗ୍ ହୋସାଇ ଯେତେବେଳେ ଜାଣିଲେ ଯେ, ସେହି ଅଂଚଳରେ କୌଣସି ପାଠାଗାର ନାହିଁ ସେତେବେଳେ ସେମାନେ ଏଥିପାଇଁ ଅର୍ଥ ଯୋଗାଇବା ପାଇଁ ଆଗେଇ ଆସିଲେ । ଏକଥା ଜାଣି ଆପଣମାନେ ଆଶ୍ଚର୍ଯ୍ୟାନ୍ୱିତ ହେବେ ଯେ, ଏହି ଲାଇବ୍ରେରୀ ପାଇଁ କୌଣସି ମେମ୍ବରଶିପ୍ ନାହିଁ । ଯେକୌଣସି ବ୍ୟକ୍ତି ଦୁଇ ସପ୍ତାହ ପାଇଁ ଏଠାରୁ ବହି ନେଇଯାଇପାରେ । ପଢ଼ିସାରିବା ପରେ ବହି ଫେରାଇବାକୁ ହୁଏ । ଏହି ପାଠାଗାର ସପ୍ତାହକୁ ସାତଦିନ ଦିନରାତି ଖୋଲା ରହେ । ଆଖପାଖର ଅଭିଭାବକମାନେ ଏହା ଦେଖି ଖୁସି ଯେ, ସେମାନଙ୍କ ପିଲାମାନେ ବହି ପଢ଼ିବାରେ ଲାଗଛନ୍ତି, ବିଶେଷକରି ସେହି ସମୟରେ ଯେତେବେଳେ କି ସ୍କୁଲଗୁଡ଼ିକ ଅନ୍ଲାଇନ୍ କ୍ଲାସ୍ ଆରମ୍ଭ କରିଛନ୍ତି । ସେହିପରି, ଚଣ୍ଡିଗଡ଼ରେ ଏକ ସ୍ୱେଚ୍ଛାସେବୀ ସଂସ୍ଥା ଚଳାଉଥିବା ସନ୍ଦିପ କୁମାର ଗୋଟିଏ ମିନି ଭ୍ୟାନରେ ଭ୍ରାମ୍ୟମାଣ ପାଠାଗାରଟିଏ ତିଆରି କରିଛନ୍ତି । ଏହା ମାଧ୍ୟମରେ ଗରିବ ପିଲାମାନଙ୍କୁ ପଢ଼ିବା ପାଇଁ ବହି ମାଗଣାରେ ଦିଆଯାଉଛି । ତା’ସହିତ ଗୁଜରାଟର ଭାବନଗରର ମଧ୍ୟ ଦୁଇଟି ସଂସ୍ଥା ସମ୍ପର୍କରେ ମୁଁ ଜାଣିଛି, ଯେଉଁମାନେ ଏ ଦିଗରେ ଭଲ କାର୍ଯ୍ୟ କରୁଛନ୍ତି । ସେଥିରୁ ଗୋଟିକର ନାଁ ହେଲା ବିକାଶ ବର୍ତୁଳ ଟ୍ରଷ୍ଟ । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ସଂସ୍ଥା ଖୁବ ସହାୟକ ହେଉଛି । ଏହି ଟ୍ରଷ୍ଟ 1975 ମସିହାରୁ କାର୍ଯ୍ୟ କରୁଛି । ଏହା 5000 ବହି ସାଙ୍ଗକୁ 140ଟିରୁ ଅଧିକ ମ୍ୟାଗାଜିନ୍ ଉପଲବ୍ଧ କରାଉଛି । ଏଭଳି ଆଉ ଗୋଟିଏ ସଂସ୍ଥା ହେଉଛି ପୁସ୍ତକ ପରବ୍ । ଏହା ଗୋଟିଏ innovative project ଯାହା ସାହିତ୍ୟ ପୁସ୍ତକ ସାଙ୍ଗକୁ ଅନ୍ୟ ବହିଗୁଡ଼ିକ ମଧ୍ୟ ମାଗଣାରେ ଉପଲବ୍ଧ କରାଉଛି । ଏହି ଲାଇବ୍ରେରୀରେ ଅଧ୍ୟାତ୍ମିକ, ଆୟୁର୍ବେଦୀୟ ଚିକିତ୍ସା ଏବଂ ଅନ୍ୟ ଅନେକ ବିଷୟ ସମ୍ବନ୍ଧିତ ପୁସ୍ତକ ରହିଛି । ଯଦି ଆପଣ ଏଭଳି କୌଣସି ପ୍ରଚେଷ୍ଟା ସମ୍ପର୍କରେ ଜାଣିଛନ୍ତି ତେବେ ସାମାଜିକ ଗଣମାଧ୍ୟମରେ ତାହାକୁ ଶେୟାର କରିବା ପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି । ଏହି ଉଦାହରଣ ବହି ପଢ଼ିବା କିମ୍ବା ପାଠାଗାର ଖୋଲିବା ଯାଏ କେବଳ ସୀମିତ ନୁହେଁ, ବରଂ ଏହା ସେହି ନୂତନ ଭାରତର ଭାବନାର ମଧ୍ୟ ପ୍ରତୀକ, ଯେଉଁଥିରେ ସମାଜର ଉନ୍ନତି ପାଇଁ ପ୍ରତ୍ୟେକ କ୍ଷେତ୍ର ଏବଂ ପ୍ରତ୍ୟେକ ଶ୍ରେଣୀର ଲୋକେ ନୂଆ ନୂଆ ଏବଂ innovative ଉପାୟ ଅବଲମ୍ବନ କରୁଛନ୍ତି । ଭଗବଦ୍ ଗୀତାରେ କୁହାଯାଇଛି –

ନ ହି ଜ୍ଞାନେନ ସଦୃଶଂ ପବିତ୍ର ମିହ ବିଦ୍ୟତେ ।

ଅର୍ଥାତ ଜ୍ଞାନ ସମ ସଂସାରରେ କିଛି ମଧ୍ୟ ପବିତ୍ର ନୁହେଁ । ମୁଁ ଜ୍ଞାନର ପ୍ରସାର କରୁଥିବା, ଏପରି ମହତ୍ ପ୍ରୟାସ କରୁଥିବା ସମସ୍ତ ମହୋଦୟଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି ।

ମୋର ପ୍ରିୟ ଦେଶବାସୀଗଣ, କିଛିଦିନ ପରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଜୀଙ୍କ ଜୟନ୍ତୀ 31 ଅକ୍ଟୋବରରେ ଆମେ ସମସ୍ତ ‘ଜାତୀୟ ଏକତା ଦିବସ’ ଭାବେ ପାଳନ କରିବା । ‘ମନ କୀ ବାତ୍’ରେ ପୂର୍ବରୁ ମଧ୍ୟ ମୁଁ ସର୍ଦ୍ଦାର ପଟେଲଙ୍କ ଉପରେ ବିସ୍ତୃତ ଭାବେ କହିଥିଲି । ତାଙ୍କର ବିରାଟ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ଉପରେ ମୁଁ ଆଲୋଚନା କରିଥିଲି । ବହୁତ କମ୍ ଲୋକ ଅଛନ୍ତି, ଯାହାଙ୍କ ବ୍ୟକ୍ତିତ୍ୱରେ ଏକସଙ୍ଗେ ବହୁତ ତତ୍ୱ ମିଳିପାରିବ – ଯେପରିକି ବୈଚାରିକ ଗଭୀରତା, ନୈତିକ ସାହସ, ରାଜନୀତିକ ବିଲକ୍ଷଣତା, କୃଷିକ୍ଷେତ୍ର ସମ୍ପର୍କରେ ଗଭୀର ଜ୍ଞାନ ଏବଂ ଜାତୀୟ ଏକତା ପ୍ରତି ସମର୍ପଣ ଭାବ । ଆପଣ ସର୍ଦ୍ଦାର ପଟେଲଙ୍କ ସମ୍ପର୍କରେ ଗୋଟିଏ କଥା କ’ଣ ଜାଣନ୍ତି ଯାହା ତାଙ୍କର sense of humourକୁ ଦର୍ଶାଏ । ଟିକିଏ ସେହି ଲୌହ-ପୁରୁଷଙ୍କ ଛବି କଳ୍ପନା କରନ୍ତୁ ଯିଏ ରାଜାରାଜୁଡ଼ାଙ୍କ ସହ ଆଲୋଚନା କରୁଥିଲେ, ପୂଜ୍ୟ ବାପୁଙ୍କ ଜନଆନେ୍ଦାଳନର ପରିଚାଳନା କରୁଥିଲେ, ତା’ସହ ଇଂରେଜଙ୍କ ସଂଗେ ମଧ୍ୟ ଲଢ଼େଇ କରୁଥିଲେ; ଏବଂ ଏସବୁ ମଧ୍ୟରେ ତାଙ୍କର sense of humour ଦେଖିବା ଭଳି ଥିଲା । ବାପୁ ସର୍ଦ୍ଦାର ପଟେଲଙ୍କ ସମ୍ପର୍କରେ କହିଥିଲେ – ତାଙ୍କର ବିନୋଦପୂର୍ଣ୍ଣ କଥା ମୋତେ ଏତେ ହସାଉଥିଲା ଯେ ହସିହସି ପେଟ ଦରଜ ହୋଇଯାଉଥିଲା; ଏପରି ଦିନକ ଭିତରେ ଥରେ ନୁହେଁ, ଅନେକ ଥର ହେଉଥିଲା । ଏଥିରେ ଆମ ପାଇଁ ମଧ୍ୟ ଶିକ୍ଷା ଥିଲା, ପରିସ୍ଥିତି ଯେତେ ବିଷମ ହେଉନା କାହିଁକି ନିଜର sense of humourକୁ ବଂଚାଇ ରଖନ୍ତୁ । ଏହା ଆମକୁ ସହଜ ତ ରଖିବ, ଆମେ ଆମ ସମସ୍ୟାର ସମାଧାନ ମଧ୍ୟ ବାହାର କରିପାରିବା । ସର୍ଦ୍ଦାର ସାହେବ ଏହା ହିଁ ତ କରୁଥିଲେ!

ମୋର ପ୍ରିୟ ଦେଶବାସୀଗଣ, ସର୍ଦ୍ଦାର ପଟେଲ ନିଜର ସମଗ୍ର ଜୀବନ ଦେଶର ଏକତା ପାଇଁ ସମର୍ପିତ କରିଦେଇଥିଲେ । ସେ ଭାରତୀୟ ଜନମାନସକୁ ସ୍ୱାଧୀନତା ଆନେ୍ଦାଳନ ସହ ଯୋଡ଼ିଥିଲେ । ସେ ସ୍ୱାଧୀନତା ସହ ଚାଷୀଙ୍କ ପ୍ରସଙ୍ଗକୁ ଯୋଡ଼ିବାର କାର୍ଯ୍ୟ କରିଥିଲେ । ସେ ରାଜାରାଜୁଡ଼ାଙ୍କୁ ଆମ ରାଷ୍ଟ୍ର ସହ ଏକାଠି କରିଥିଲେ । ସେ ବିବିଧତା ମଧ୍ୟରେ ଏକତାର ମନ୍ତ୍ର ପ୍ରତ୍ୟେକ ଭାରତୀୟଙ୍କ ମନରେ ଜାଗ୍ରତ କରିଥିଲେ ।

ବନ୍ଧୁଗଣ, ଆଜି ଆମେ ନିଜର କଥା, ନିଜର ବ୍ୟବହାର, ନିଜର କର୍ମ ଦ୍ୱାରା ପ୍ରତିକ୍ଷଣ ସେହିସବୁ କଥାକୁ ଆଗକୁ ବଢ଼ାଇବା ଆବଶ୍ୟକ, ଯାହା ଆମକୁ ଏକାଠି କରିଥାଏ, ଯାହା ଦେଶର ଗୋଟିଏ ଭାଗରେ ରହୁଥିବା ନାଗରିକଙ୍କ ମନରେ ଅନ୍ୟ କୋଣରେ ରହୁଥିବା ନାଗରିକଙ୍କ ପାଇଁ ସହଜତା ଓ ଆପଣାପଣର ଭାବ ସଷ୍ଟି କରିବ । ଆମର ପୂର୍ବପୁରୁଷ ନିରନ୍ତର ଏପରି ପ୍ରୟାସ କରିଛନ୍ତି । ଏବେ ଦେଖନ୍ତୁ, କେରଳରେ ଜନ୍ମ ହୋଇଥିବା ପୂଜ୍ୟ ଆଦି ଶଙ୍କରାଚାର୍ଯ୍ୟ ଭାରତର ଚାରୋଟି ଦିଗରେ ଚାରିଟି ମହତ୍ୱପୂର୍ଣ୍ଣ ମଠ ସ୍ଥାପନ କରିଥିଲେ – ଉତ୍ତରରେ ବଦ୍ରିକାଶ୍ରମ, ପୂର୍ବରେ ପୁରୀ, ଦକ୍ଷିଣରେ ଶୃଙ୍ଗେରୀ ଏବଂ ପଶ୍ଚିମରେ ଦ୍ୱାରକା । ସେ ଶ୍ରୀନଗରକୁ ମଧ୍ୟ ଯାଇଥିଲେ; ଏହି କାରଣରୁ ସେଠାରେ ଏକ “sankaracharya hill” ରହିଛି । ତୀର୍ଥାଟନ ସ୍ୱୟଂ ଭାରତକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିଥାଏ । ଜ୍ୟୋର୍ତିଲିଙ୍ଗଗୁଡ଼ିକ ଏବଂ ଶକ୍ତିପୀଠଗୁଡ଼ିକର ସମାହାର ଭାରତକୁ ଗୋଟିଏ ସୂତ୍ରରେ ବାନ୍ଧିଥାଏ । ତ୍ରିପୁରାଠାରୁ ଆରମ୍ଭ କରି ଗୁଜରାଟ ଯାଏ, ଜମ୍ମୁ-କଶ୍ମୀରଠୁ ତାମିଲନାଡୁ ପର୍ଯ୍ୟନ୍ତ ସ୍ଥାପିତ ଆମର ଆସ୍ଥାର କେନ୍ଦ୍ର ଆମକୁ ଏକାଠି କରିଥାଏ । ସମଗ୍ର ଭାରତରେ ଭକ୍ତି ଆନ୍ଦୋଳନ ଏକ ବଡ଼ ଜନଆନ୍ଦୋଳନ ହୋଇଯାଇଥିଲା, ଯାହା ଆମକୁ ଭକ୍ତି ମାଧ୍ୟମରେ ଏକଜୁଟ କଲା । ଆମର ଦୈନନ୍ଦିନ ଜୀବନରେ ମଧ୍ୟ ଏକଥା ମିଶିଯାଇଛି, ଯେଉଁଥିରେ ଏକତାର ଶକ୍ତି ରହିଛି । ପ୍ରତ୍ୟେକ କାର୍ଯ୍ୟ ପୂର୍ବରୁ ବିଭିନ୍ନ ନଦୀକୁ ଆହ୍ୱାନ କରାଯାଏ – ଏଥିରେ ସୂଦୁର ଉତରରେ ଥିବା ସିନ୍ଧୁ ନଦୀରୁ ନେଇ ଦକ୍ଷିଣ ଭାରତର ଜୀବନଦାୟିନୀ କାବେରୀ ନଦୀ ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ । ସ୍ନାନ କରିବା ସମୟରେ ଆମର ଏଠି ଲୋକେ ପ୍ରାୟ ପବିତ୍ର ଭାବ ନେଇ ଏକତାର ମନ୍ତ୍ର ଗାଆନ୍ତି- ଗଙ୍ଗେ ଚ ୟମୁନେ ଚୈବ ଗୋଦାବରୀ ସରସ୍ୱତୀ, ନର୍ମଦେ ସିନ୍ଧୁ କାବେରୀ ଜଳେସ୍ମିନ୍ ସନ୍ନିଧିଂ କୁରୁ ।

ଏହିପରି ଶିଖଙ୍କର ପବିତ୍ର ସ୍ଥଳ ମଧ୍ୟରେ ‘ନାନ୍ଦେଡ଼ ସାହିବ’ ଏବଂ ‘ପଟନା ସାହିବ’ ଗୁରୁଦ୍ୱାରା ଅନ୍ତର୍ଭୁକ୍ତ । ଆମର ଶିଖ୍ ଗୁରୁମାନେ ମଧ୍ୟ ନିଜ ଜୀବନ ଓ ସତ୍କାର୍ଯ୍ୟ ମାଧ୍ୟମରେ ଏକତାର ଭାବନାକୁ ଦୃଢ଼ କରିଛନ୍ତି । ଗତ ଶତାବ୍ଦୀରେ ଆମ ଦେଶରେ ଡ. ବାବାସାହେବ ଆମ୍ବେଦକରଙ୍କ ଭଳି ମହାପୁରୁଷ ଥିଲେ, ଯିଏ ଆମ ସମସ୍ତଙ୍କୁ ସମ୍ବିଧାନ ମାଧ୍ୟମରେ ଏକଜୁଟ କରିଥିଲେ ।

ବନ୍ଧୁଗଣ,

Unity is Power, Unity is strength,

Unity is Progress, Unity is Empowerment,

              United we will scale new heights

ତେବେ ଏପରି ମଧ୍ୟ ଶକ୍ତି ରହିଛନ୍ତି ଯେଉଁମାନେ ସର୍ବଦା ଆମ ମନରେ ସନେ୍ଦହର ବୀଜ ବୁଣିବାର ପ୍ରୟାସ କରୁଥାନ୍ତି; ଦେଶକୁ ଭାଗଭାଗ କରିବାର ଚେଷ୍ଟା କରନ୍ତି । ଦେଶ ସବୁବେଳେ ଏପରି ଦୁରଭିସନ୍ଧିକାରୀଙ୍କୁ ମୁହଁତୋଡ଼ ଜବାବ ଦେଇଛି । ଆମେ ସର୍ବଦା ନିଜର ସୃଜନଶୀଳତା ଦ୍ୱାରା, ପ୍ରେମ ଦ୍ୱାରା ପ୍ରତି ମୁହୂର୍ତ୍ତରେ ପ୍ରୟାସ କରି ନିଜର କ୍ଷୁଦ୍ରାତିକ୍ଷୁଦ୍ର କାମରେ ମଧ୍ୟ ‘ଏକ ଭାରତ-ଶ୍ରେଷ୍ଠ ଭାରତ’ର ସୁନ୍ଦରତାକୁ ସାମ୍ନାକୁ ଆଣିବାକୁ ହେବ, ଏକତାର ନୂଆ ରଂଗ ଭରିବାକୁ ହେବ ଏବଂ ଏକଥା ପ୍ରତ୍ୟେକ ନାଗରିକଙ୍କୁ ଭରିବାକୁ ହେବ । ଏହି ପ୍ରସଙ୍ଗରେ ମୁଁ ଆପଣ ସମସ୍ତଙ୍କୁ ଗୋଟିଏ ୱେବସାଇଟ୍ ଦେଖିବାକୁ ଅନୁରୋଧ କରୁଛି – ekbharat.gov.in (ଏକ୍ ଭାରତ ଡଟ୍ ଗଭ୍ ଡଟ୍ ଇନ୍) । ଏଥିରେ ଜାତୀୟ ସଂହତି ପାଇଁ ଆମର ଅଭିଯାନକୁ ଆଗକୁ ବଢ଼ାଇବାର ଅନେକ ପ୍ରୟାସ ଦେଖିପାରିବେ । ଏଥିରେ ଏକ ମଜାଦାର ବିଭାଗ ରହିଛି – ଆଜିର ବାକ୍ୟ । ଏଥିରେ ଆମେ ପ୍ରତିଦିନ ଗୋଟିଏ ବାକ୍ୟକୁ ଭିନ୍ନ ଭିନ୍ନ ଭାଷାରେ କିପରି କୁହାଯାଏ ତାହା ଶିଖିପାରିବା । ଆପଣ ଏହି ୱେବସାଇଟ୍ ପାଇଁ contribute ମଧ୍ୟ କରନ୍ତୁ, ଯେପରିକି ପ୍ରତ୍ୟେକ ରାଜ୍ୟ ଓ ସଂସ୍କୃତିରେ ଭିନ୍ନ ଭିନ୍ନ ଖାଦ୍ୟପାନୀୟ ରହିଥାଏ । ଏହି ବ୍ୟଞ୍ଜନ ସ୍ଥାନୀୟ ସ୍ତରର ସ୍ୱତନ୍ତ୍ର ingredients, ଅର୍ଥାତ ଖାଦ୍ୟାନ୍ନ ଓ ମସଲାରେ ତିଆରି କରାଯାଇଥାଏ । ଆମେ କ’ଣ ଏସବୁ ସ୍ଥାନୀୟ ଖାଦ୍ୟକୁ local ingredients ନାମ ସହିତ ‘ଏକ ଭାରତ-ଶ୍ରେଷ୍ଠ ଭାରତ’ ୱେବସାଇଟରେ share କରିପାରିବାନି? Unity ଏବଂ Immunityକୁ ବଢ଼ାଇବା ପାଇଁ ଏହାଠୁ ଭଲ ମାଧ୍ୟମ ଆଉ କ’ଣ ହୋଇପାରେ!

ବନ୍ଧୁଗଣ, ଏଇ ମାସ 31 ତାରିଖରେ ମୋତେ କେୱଡିଆରେ ଐତିହାସିକ Statue of Unity ଉପରେ ହେଉଥିବା କେତେକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ମିଳିବ । ଆପଣମାନେ ନିଶ୍ଚିତ ଯୋଗଦେବେ ।

ମୋର ପ୍ରିୟ ଦେଶବାସୀଗଣ, 31 ଅକ୍ଟୋବରରେ ଆମେ ‘ବାଲ୍ମୀକି ଜୟନ୍ତୀ’ ମଧ୍ୟ ପାଳନ କରିବା । ମୁଁ ମହର୍ଷି ବାଲ୍ମୀକିଙ୍କୁ ପ୍ରଣିପାତ କରୁଛି ଏବଂ ଏହି ସ୍ୱତନ୍ତ୍ର ଦିନ ପାଇଁ ଦେଶବାସୀଙ୍କୁ ହାର୍ଦିକ ଶୁଭେଚ୍ଛା ଜଣାଉଛି । ମହର୍ଷି ବାଲ୍ମୀକିଙ୍କ ମହାନ ବିଚାର କୋଟି କୋଟି ଲୋକଙ୍କୁ ପ୍ରେରଣା ଦେଇଥାଏ, ଶକ୍ତି ପ୍ରଦାନ କରିଥାଏ । ସେ ଲକ୍ଷଲକ୍ଷ-କୋଟିକୋଟି ଗରିବ ଓ ଦଳିତଙ୍କ ପାଇଁ ବହୁତ ବଡ଼ ଆଶା । ସେମାନଙ୍କ ଭିତରେ ସେ ଆଶା ଓ ବିଶ୍ୱାସ ସଂଚାର କରିଥାନ୍ତି । ସେ କହୁଥିଲେ – କୌଣସି ମନୁଷ୍ୟର ଇଚ୍ଛାଶକ୍ତି ଯଦି ତା’ ସହ ଅଛି, ତେବେ ସେ ଯେତେ ବଡ଼ କାର୍ଯ୍ୟ ହେଲେ ହେଁ ସହଜରେ କରିପାରିବ । ଇଚ୍ଛାଶକ୍ତି ଏମିତି ଯେ ଯାହା ଯୁବବର୍ଗଙ୍କୁ ଅସାଧାରଣ କାର୍ଯ୍ୟ କରିବାର ଶକ୍ତି ପ୍ରଦାନ କରେ । ମହର୍ଷି ବାଲ୍ମୀକି ସକାରାତ୍ମକ ଭାବନା ଉପରେ ଜୋର୍ ଦେଇଥିଲେ – ତାଙ୍କ ପାଇଁ ସେବା ଓ ମାନବୀୟ ଗରିମାର ସ୍ଥାନ ସର୍ବୋପରି ଥିଲା । ମହର୍ଷି ବାଲ୍ମୀକିଙ୍କ ଆଚାର, ବିଚାର ଓ ଆଦର୍ଶ ଆଜି New  Indiaର ଆମର ସଙ୍କଳ୍ପ ନିମନ୍ତେ ପ୍ରେରଣା ଏବଂ ଦିଗ୍ଦର୍ଶନ ମଧ୍ୟ । ଆମେ ମହର୍ଷି ବାଲ୍ମୀକିଙ୍କ ପ୍ରତି ସର୍ବଦା କୃତଜ୍ଞ ରହିବା ଯେ ସେ ଆଗାମୀ ପିଢ଼ିର ମାର୍ଗଦର୍ଶନ ପାଇଁ ରାମାୟଣ ଭଳି ମହାଗ୍ରନ୍ଥର ରଚନା କରିଛନ୍ତି ।

31 ଅକ୍ଟୋବରରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କୁ ଆମେ ହରାଇଥିଲୁ । ମୁଁ ସମ୍ମାନର ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ମୋର ପ୍ରିୟ ଦେଶବାସୀଗଣ, ଆଜି, କାଶ୍ମୀରର ପୁଲୱାମା ସମଗ୍ର ଦେଶକୁ ପଢ଼ାଇବାର ମହତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି । ଆଜି ସାରା ଦେଶର ପିଲାମାନେ ନିଜର Home Work କରୁଛନ୍ତି, Notes ପ୍ରସ୍ତୁତ କରୁଛନ୍ତି, ତେବେ କେଉଁଠି ନା କେଉଁଠି ଏହା ପଛରେ ପୁଲୱାମାର ଲୋକଙ୍କ କଠିନ ପରିଶ୍ରମ ରହିଛି । କାଶ୍ମୀର ଘାଟି, ସମଗ୍ର ଦେଶର ପ୍ରାୟ 90 ପ୍ରତିଶତ Pencil Slate, କାଠପଟିର ଚାହିଦା ପୂରଣ କରିଥାଏ ଏବଂ ଏଥିରେ ବହୁତ ବଡ଼ ଭାଗ ପୁଲୱାମାର ରହିଛି । ଦିନ ଥିଲା ଆମେ ବିଦେଶରୁ ପେନସିଲ୍ ପାଇଁ କାଠ ମଗାଉଥିଲୁ, କିନ୍ତୁ ଏବେ ଆମର ପୁଲୱାମା, ଏ କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭର କରୁଛି । ବାସ୍ତବରେ ପୁଲୱାମାର ଏହି Pencil Slate ରାଜ୍ୟଗୁଡ଼ିକ ଭିତରେ ପାର୍ଥକ୍ୟକୁ କମ୍ କରୁଛି । ଘାଟିର ଚିନାର୍ କାଠରେ ଅଧିକ ଆର୍ଦ୍ରତା ଥାଏ ଏବଂ ଏହା କୋମଳ ହୋଇଥିବାରୁ ପେନସିଲ୍ ନିର୍ମାଣ ପାଇଁ ସର୍ବୋକ୍ରୃଷ୍ଟ ବିବେଚନା କରାଯାଏ । ପୁଲୱାମାରେ, ‘ଉଖୁ’ Pencil Village ଭାବେ ଜଣାଶୁଣା । ଏଠାରେ Pencil Slate ନିର୍ମାଣ ପାଇଁ ଅନେକ କାରଖାନା ଅଛି, ଯାହା ରୋଜଗାର ଦେଉଛି ଏବଂ ସେଠାରେ ବହୁତ ସଂଖ୍ୟାରେ ମହିଳାମାନେ କାମ କରନ୍ତି ।

ବନ୍ଧୁଗଣ, ପୁଲୱାମାର ଏହି ନିଜର ପରିଚୟ ସେତେବେଳେ ସ୍ଥାପିତ ହେଲା, ଯେତେବେଳେ ସେଠାକାର ଲୋକ କିଛି ନୂଆ କରିବାର ସଂକଳ୍ପ କଲେ; କାମ ପାଇଁ Risk ନେଲେ ଏବଂ ନିଜକୁ ସେଥିପ୍ରତି ସମର୍ପିତ କରିଦେଲେ । ଏପରି କର୍ମଠ ଲୋକଙ୍କ ଭିତରୁ ଜଣେ ହେଉଛନ୍ତି – ମଂଜୁର୍ ଅହମଦ ଅଲାଇ । ଆଗରୁ ମଂଜୁର୍ ଭାଇ କାଠ କାଟୁଥିବା ଜଣେ ସାଧାରଣ ଶ୍ରମିକ ଥିଲେ । ମଂଜୁର ଭାଇ ନୂଆକିଛି କରିବାକୁ ଚାହୁଁଥିଲେ, ଯେପରି ତାଙ୍କର ଆଗାମୀ ପିଢ଼ି ଦାରିଦ୍ର୍ୟ ଭିତରେ ରହିବେ ନାହିଁ । ସେ ନିଜର ପୁରୁଣା ଜମିକୁ ବିକିଦେଲେ ଓ Apple Wooden Box, ଅର୍ଥାତ ସେଓ ରଖାଯାଉଥିବା କାଠବାକ୍ସ ତିଆରି କରିବାର କାରଖାନା ଆରମ୍ଭ କଲେ । ନିଜର ଛୋଟିଆ ବ୍ୟବସାୟ କରୁଥିଲାବେଳେ ମଂଜୁର ଭାଇଙ୍କୁ କେଉଁଠୁ ଖବର ମିଳିଲା ଯେ ପେନସିଲ୍ ନିର୍ମାଣରେ ପପ୍ଲାର୍ କାଠର ଉପଯୋଗ କରାଯାଉଛି । ଏହି ସୂଚନା ମିଳିବା ପରେ ମଂଜୁର ଭାଇ ନିଜ ଉଦ୍ଯୋଗପଣର ପରିଚୟ ଦେଇ କେତେକ ବିଖ୍ୟାତ ପେନ୍ସିଲ ତିଆରି କାରଖାନାକୁ ପପ୍ଲାର୍ କାଠବକ୍ସ ଯୋଗାଇବା ଆରମ୍ଭ କଲେ । ମଂଜୁର ଜୀଙ୍କୁ ଏହା ବହୁତ ଲାଭଜନକ ମନେହେଲା ଓ ତାଙ୍କର ଆୟ ମଧ୍ୟ ବଢ଼ିବାକୁ ଲାଗିଲା । ସମୟକ୍ରମେ ସେ Pencil Slate Manufacturing Machinery ଆଣିଲେ ଓ ତା’ପରେ ସେ ଦେଶର ବଡ଼ ବଡ଼ କମ୍ପାନୀକୁ Pencil Slateଯୋଗାଇବା ଆରମ୍ଭ କଲେ । ଆଜି ମଂଜୁର ଭାଇଙ୍କ ଏହି ବ୍ୟବସାୟର Turnover କୋଟିକୋଟି ଟଙ୍କାର ଏବଂ ସେ ପ୍ରାୟ ଦୁଇ ଶହ ଲୋକଙ୍କୁ ରୋଜଗାର ମଧ୍ୟ ଦେଇଛନ୍ତି । ଆଜି ‘ମନ କୀ ବାତ୍’ ମାଧ୍ୟମରେ ସମସ୍ତ ଦେଶବାସୀଙ୍କ ତରଫରୁ ମୁଁ ମଂଜୁର ଭାଇଙ୍କ ସମେତ ପୁଲୱାମାର ପରିଶ୍ରମୀ ଭାଇଭଉଣୀଙ୍କୁ ଏବଂ ସେମାନଙ୍କ ପରିବାର ଲୋକଙ୍କୁ ପ୍ରଶଂସା କରୁଛି- ଆପଣମାନେ ଦେଶର ଯୁବପିଢ଼ିକୁ ଶିକ୍ଷିତ କରିବା ପାଇଁ ନିଜର ବହୁମୂଲ୍ୟ ଅବଦାନ ଦେଉଛନ୍ତି ।

ମୋର ପ୍ରି୍ରୟ ଦେଶବାସୀଗଣ, ଲକ୍ଡାଉନ ସମୟରେ Technology-Bases Service delivery ଅନେକ ପ୍ରୟୋଗ ଆମ ଦେଶରେ ହୋଇଛି ଓ ଏବେ ଆଉ ସେକଥା ନାହିଁ ଯେ ବହୁତ ବଡ଼ technology ଏବଂ logistics companies ହିଁ ଏହା କରିପାରିବେ । ଝାଡ଼ଖଣ୍ଡର ଏହି କାମ ମହିଳାମାନଙ୍କ ସ୍ୱୟଂସହାୟିକା ଗୋଷ୍ଠୀ କରିକି ଦେଖାଇଛନ୍ତି । ଏହି ମହିଳାମାନେ ଚାଷୀଙ୍କ କ୍ଷେତରୁ ପନିପରିବା ଓ ଫଳ ଆଣି ସିଧାସଳଖ ଘରମାନଙ୍କରେ ପହଂଚାଇ ଦେଉଛନ୍ତି । ଏହି ମହିଳାମାନେ ‘ଆଜୀବିକା farm fresh’ ନାମକ ଏକ app ତିଆରି କରିଛନ୍ତି, ଯାହା ଜରିଆରେ ଲୋକେ ସହଜରେ ପନିପରିବା ମଗାଇପାରିବେ । ଏହି ସମଗ୍ର ପ୍ରଚେଷ୍ଟାରେ ଚାଷୀଙ୍କୁ ନିଜର ପନିପରିବା ଓ ଫଳର ଉଚିତ ମୂଲ୍ୟ ମିଳିଲା ଏବଂ ଲୋକଙ୍କୁ ମଧ୍ୟ ତାଜା ପନିପରିବା ଖାଇବାକୁ ମିଳିଲା । ସେଠାରେ ‘ଆଜୀବିକା farm fresh’ app ବହୁତ ଲୋକପ୍ରିୟ ହେବାରେ ଲାଗିଛି । ଲକ୍ଡାଉନ ସମୟରେ ଏମାନେ 50 ଲକ୍ଷରୁ ବି ଅଧିକ ଟଙ୍କାର ଫଳ-ପନିପରିବା ଲୋକଙ୍କ ପାଖରେ ପହଂଚାଇଥିଲେ । ବନ୍ଧୁଗଣ, କୃଷିକ୍ଷେତ୍ରରେ ନୂତନ ସମ୍ଭାବନା ତିଆରି ହେବା ଦେଖି ଆମର ବହୁସଂଖ୍ୟକ ଯୁବକଯୁବତୀ ମଧ୍ୟ ଏଥିସହ ଯୋଡ଼ି ହେବାରେ ଲାଗିଛନ୍ତି । ମଧ୍ୟପ୍ରଦେଶର ବଡ଼ୱାନୀରେ ଅତୁଲ ପାଟୀଦାର ନିଜ ଅଂଚଳର 4 ହଜାର ଚାଷୀଙ୍କୁ digital ମାଧ୍ୟମରେ ଯୋଡ଼ିସାରିଛନ୍ତି । ଏହି ଚାଷୀମାନେ ଅତୁଲ ପାଟୀଦାରଙ୍କ E-platform farm card ମାଧ୍ୟମରେ ସାର, ବିହନ, କୀଟନାଶକ, ଫିମ୍ପିନାଶକ ଆଦି କୃଷି ସାମଗ୍ରୀର home delivery ପାଉଛନ୍ତି, ଅର୍ଥାତ ଚାଷୀଙ୍କ ଘରପର୍ଯ୍ୟନ୍ତ ସେମାନଙ୍କ ଜରୁରୀ ଜିନିଷଗୁଡ଼ିକ ପହଂଚିଯାଉଛି । ଏହି digital platformରେ ଆଧୁନିକ କୃଷି ଉପକରଣ ମଧ୍ୟ ଭଡ଼ାରେ ମିଳୁଛି । ଲକ୍ଡାଉନ ସମୟରେ ମଧ୍ୟ ଏହି digital platform ଜରିଆରେ ଚାଷୀଙ୍କୁ ହଜାର ହଜାର pocket delivery କରାଯାଇଛି, ଯେଉଁଥିରେ କପା ଓ ପନିପରିବା ମଞ୍ଜି ମଧ୍ୟ ଥିଲା । ଅତୁଲ ଜୀ ଏବଂ ତାଙ୍କର team ଚାଷୀମାନଙ୍କୁ ପ୍ରଯୁକ୍ତିଗତ ଭାବେ ସଚେତନ କରୁଛନ୍ତି; on line payment ଓ ବିକ୍ରିବଟା ଶିଖାଉଛନ୍ତି ।

ବନ୍ଧୁଗଣ, ଏବେ ମହାରାଷ୍ଟ୍ରର ଗୋଟିଏ ଘଟଣା ମୋ ଦୃଷ୍ଟିକୁ ଆସିଛି । ସେଠାରେ ଏକ farmer producer କମ୍ପାନୀ ମକା ଚାଷୀଙ୍କଠାରୁ ମକା କିଣିଛି । କମ୍ପାନୀ ଚାଷୀଙ୍କୁ ଏଥର ଦାମ୍ ବ୍ୟତୀତ bonus ମଧ୍ୟ ଦେଇଛି । ଚାଷୀଙ୍କ ପାଇଁ ମଧ୍ୟ ଏହା ଏକ ସୁଖଦ ଆଶ୍ଚର୍ଯ୍ୟ । ଯେତେବେଳେ ସେହି କମ୍ପାନୀକୁ ପଚରାଗଲା, ସେ କହିଲା ଯେ ଭାରତ ସରକାର ଯେଉଁ ନୂଆ କୃଷି ଆଇନ ଆଣିଛନ୍ତି ଏବେ ତା’ ବଳରେ ଚାଷୀ ଭାରତର ଯେକୌଣସି ଜାଗାରେ ଫସଲ ବିକିପାରୁଛି ଏବଂ ତାକୁ ଭଲ ଦାମ୍ ମିଳୁଛି, ସେଥିପାଇଁ ସେ ଭାବିଲେ ଯେ ଅତିରିକ୍ତ ଲାଭକୁ ଚାଷୀଙ୍କ ଭିତରେ ବାଂଟିବା ଉଚିତ । ସେଥିରେ ତାଙ୍କର ମଧ୍ୟ ଅଧିକାର ଅଛି ଏବଂ ସେ ଚାଷୀଙ୍କୁ bonus ଦେଇଛନ୍ତି । ବନ୍ଧୁଗଣ, bonus ଏବେ ହୁଏତ ଛୋଟ କଥା ହୋଇପାରେ, କିନ୍ତୁ ଏହି ଆରମ୍ଭ ବହୁତ ବଡ଼ । ଏଥିରୁ ଜଣାପଡ଼ୁଛି ଯେ ନୂତନ କୃଷି-ଆଇନ ଦ୍ୱାରା ତୃଣମୂଳ ସ୍ତରରେ ଚାଷୀଙ୍କର କେଉଁଭଳି ପରିବର୍ତ୍ତନ ଆସିବାର ସମ୍ଭାବନା ଭରି ରହିଛି ।

ମୋର ପ୍ରିୟ ଦେଶବାସୀଗଣ, ଆଜି ‘ମନ କୀ ବାତ୍’ରେ ଦେଶବାସୀଙ୍କର ଅସାଧାରଣ କାର୍ଯ୍ୟ ଆମ ଦେଶ, ଆମ ସଂସ୍କୃତିର ଭିନ୍ନ ଭିନ୍ନ ଦିଗ ଉପରେ ଆପଣମାନଙ୍କ ସହ ଆଲୋଚନା କରିବାର ସୁଯୋଗ ଆଣିଦେଲା । ଆମ ଦେଶରେ ପ୍ରତିଭାବାନ ଲୋକଙ୍କର ଅଭାବ ନାହିଁ । ଯଦି ଆପଣ ମଧ୍ୟ ଏପରି ଲୋକଙ୍କୁ ଜାଣନ୍ତି, ତେବେ ସେମାନଙ୍କ ବିଷୟରେ ଆଲୋଚନା କରନ୍ତୁ, ଲେଖନ୍ତୁ ଏବଂ ସେମାନଙ୍କ ସଫଳତାକୁ share କରନ୍ତୁ । ଆଗାମୀ ପର୍ବଗୁଡ଼ିକ ପାଇଁ ଆପଣଙ୍କୁ ଓ ଆପଣଙ୍କ ପୂରା ପରିବାରକୁ ବହୁତ ବହୁତ ଅଭିନନ୍ଦନ । କିନ୍ତୁ ଗୋଟିଏ କଥା ମନେରଖନ୍ତୁ ଏବଂ ପର୍ବପର୍ବାଣୀ ସମୟରେ ବିଶେଷଭାବେ ମନେରଖନ୍ତୁ – ମାସ୍କ ପିନ୍ଧିବା, ହାତ ସାବୁନରେ ଧୋଇବା, ଦୁଇ ଗଜର ଦୂରତା ରଖିବା ।

ବନ୍ଧୁଗଣ, ଆସନ୍ତା ମାସରେ ପୁଣି ଆପଣଙ୍କ ସହ ‘ମନ୍ କୀ ବାତ୍’ ହେବ । ବହୁତ ବହୁତ ଧନ୍ୟବାଦ ।

 

Leave A Reply

Your email address will not be published.