ଇସ୍ତଫା ଦେଇପାରନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦିୟୁରପ୍ପା

ବେଙ୍ଗାଲୁରୁ, ୨୫।୭: କର୍ଣ୍ଣାଟକ ବିଜେପି ସରକାରରେ ନେତୃତ୍ୱ ପରିବର୍ତ୍ତନକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦିୟୁରପ୍ପାଙ୍କ ଏକ ବଡ ବିବୃତ୍ତି ସାମ୍ନାକୁ ଆସିଛି। ସେ କହିଛନ୍ତି, ଆଜି ସନ୍ଧ୍ୟା ସୁଦ୍ଧା ସେ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କଠାରୁ ମାର୍ଗଦର୍ଶନ ପାଇପାରିବେ। ମିଳିଥିବା ସୂଚନା ମୁତାବକ,  ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା ଆଜି ଇସ୍ତଫା ଦେଇ ପାରନ୍ତି । ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା କହିଛନ୍ତି, ନିଷ୍ପତ୍ତି କ’ଣ ହେବ, ତାହା ଶୀଘ୍ର ଜଣାପଡ଼ିବ।

ପ୍ରକାଶ ଥାଉକି, ଜୁଲାଇ ୧୭ ତାରିଖରେ, ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା ତାଙ୍କ ଦିଲ୍ଲୀଗସ୍ତ ସମୟରେ ତାଙ୍କ ଇସ୍ତଫା ଖବରକୁ ସଂପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଥିଲେ ଓ କହିଥିଲେ ଏକ ପ୍ରକଳ୍ପ ସଂପର୍କରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାକୁ ଆସିଛନ୍ତି। ସେ ଆସନ୍ତା ମାସରେ ଦିଲ୍ଲୀଗସ୍ତ କରିବେ ବୋଲି ଜଣାପଡ଼ିଛି।

ଉଲ୍ଲେଖନୀୟ, ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କ ଦିଲ୍ଲୀଗସ୍ତ ରାଜନୈତିକ ମହଲରେ ଏକ ଆଲୋଚନା ସୃଷ୍ଟି କରିଥିଲା ​​ଓ କର୍ଣ୍ଣାଟକର କ୍ୟାବିନେଟରେ ପୁନଃପରିବର୍ତ୍ତନ ହେବ ବୋଲି ଆଶା କରାଯାଉଥିଲା। ସୂଚନାନୁସାରେ, ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା ଏଥିପାଇଁ ଅନୁମତି ପାଇବା ପାଇଁ ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିବାକୁ ଦିଲ୍ଲୀ ଆସିଥିଲେ। ତେବେ ୟେଦୁରୁପ୍ପାଙ୍କ ବିରୋଧୀମାନେ ଦାବି କରିଛନ୍ତି, ଦଳରେ ବଢୁଥିବା ଅସନ୍ତୋଷ ବିଷୟରେ ଆଲୋଚନା କରିବା ପାଇଁ ୟେଦୁରପ୍ପାଙ୍କୁ ଦିଲ୍ଲୀ ଡକାଯାଇଥିଲା। ସେ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ସୂଚନା ଥାଉକି, ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପା ଲିଙ୍ଗାୟତ ସମାଜରୁ ଆସିଛନ୍ତି। ତାଙ୍କ ସମାଜରୁ ମୁଖ୍ୟମନ୍ତ୍ରୀଙ୍କର ବହୁତ ସମର୍ଥନ ରହିଛି। ଏବେ ଏହା ଦେଖିବାକୁ ପଡ଼ିବ ଯେ, ଯଦି ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା ଇସ୍ତଫା ଦିଅନ୍ତି, ତେବେ କର୍ଣ୍ଣାଟକରେ ବିଜେପି ନୂତନ ମୁଖ୍ୟମନ୍ତ୍ରୀ କାହାକୁ କରିବ।

Comments are closed.