ମୟୁରଭଞ୍ଜରେ ନୂଆ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟିଲେ ମୁଖ୍ୟମନ୍ତ୍ରୀ

0

ମୟୁରଭଞ୍ଜ, ୨୨/୧୦ମୟୁରଭଞ୍ଜ ଜିଲ୍ଲା ପାଇଁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲ୍ଲାର ୨୧ ଲକ୍ଷ ୪୦ ହଜାର ଲୋକ ଏହି ସୁବିଧା ପାଇବେ। ପୂର୍ବରୁ ରାଜ୍ୟର ୬ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେପ୍ଟେମ୍ବର ୨୦୨୧ ଓଡିଶାର ସ୍ଵାସ୍ଥ୍ୟ ସେବା ଇତିହାସରେ ଏକ ନୂଆ ଯୁଗ ଆରମ୍ଭ କରିଛି। ସେପ୍ଟେମ୍ବର ପହିଲାରୁ ଓଡ଼ିଶାରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ଜରିଆରେ ସ୍ଵାସ୍ଥ୍ୟ ସେବା ପ୍ରଦାନ ଆରମ୍ଭ ହୋଇଛି। ଏହି କାର୍ଡଟି ବିପଦ ସମୟର ପ୍ରକୃତ ବନ୍ଧୁ। ଏହାଦ୍ଵାରା ଜନସାଧାରଣଙ୍କ ଜୀବନରେ ବଡ ପରିବର୍ତ୍ତନ ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ। ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ, ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ଵାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ଏହାଦ୍ଵାରା ଗରିବ ଲୋକମାନେ ସ୍ଵାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ଵାସ୍ଥ୍ୟ ସମସ୍ୟାରେ ପଡ଼ିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ।

ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ, ଚାଷୀ ହେଉ ବା ମୂଲିଆ ଅବା ରିକ୍‌ସା ବାଲା ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ। ମୟୁରଭଞ୍ଜ ଜିଲ୍ଲାରେ ବିକାଶ କାମକୁ ତ୍ଵରାନିତ୍ଵ କରାଯାଉଛି। ଗତ ଜୁଲାଇରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପରେ କେନାଲରୁ ପାଣି ଛଡା ଯାଇଥିବା ବେଳେ, ୯୪ଟି ଗାଁର ୧୫ ହଜାର ହେକ୍ଟର ଜମି ପାଣି ପାଉଛି। ସେହିପରି ମୟୁରଭଞ୍ଜର ସବୁ ପରିବାରକୁ ପାଇପ ପାଣି ଯୋଗାଇ ଦେବା ପାଇଁ ୩୨୦୦ କୋଟି ଟଙ୍କାର ମେଗା ପାଇପ ପାଣି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଏହି ଧାରାକୁ ଆଗେଇ ନେଇ ଆଜି ଆହୁରି ୨୩୦୦ କୋଟି ଟଙ୍କାର ୫୦୦ରୁ ଅଧିକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ଦିଆଯାଉଛି।

ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ମୟୁରଭଞ୍ଜ ମାଟିରେ ଜନ୍ମ ନେଇଥିବା ମହାପୁରୁଷ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ମହାରାଜ ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ, ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଅବଦାନକୁ ମନେ ପକାଇବା ସହ ଭାଷା ଓ ଜାତିକୁ ସଶକ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପଣ୍ଡିତ ରଘୁନାଥ ମୁର୍ମୁ, ଗୁରୁ ରୋହିଦାସ ସିଂ ନାଗ ଓ ଗୁରୁ ଲାକୋ ବଦ୍ରାଙ୍କ ଅବଦାନକୁ ସ୍ମରଣ କରିଥିଲେ। ମୟୁରଭଞ୍ଜର କଳା ଓ ସାହିତ୍ୟର ଉଚ୍ଚପ୍ରଶଂସା କରି ଝୁମର ଗୀତ ଓ ଛଉ ନାଚର ପ୍ରସିଦ୍ଧି ସଂପର୍କରେ ମଧ୍ୟ ଆଲୋକପାତ କରିଥିଲେ ମୁଖ୍ୟମନ୍ତ୍ରୀ।

ଏହି କାର୍ଯ୍ୟକ୍ରମରେ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ, ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ରାଜସ୍ଵ ମନ୍ତ୍ରୀ ସୁଦାମ ମାର୍ଣ୍ଡି ପ୍ରମୁଖ ଯୋଗ ଦେଇ ରାଜ୍ୟରେ ସ୍ଵାସ୍ଥ୍ୟ ସେବାର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତାର ଉଚ୍ଚ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସଂପନ୍ନ ନେତୃତ୍ଵ ଯୋଗୁ ଓଡିଶା କରୋନା ସମୟରେ ୧୮ଟି ରାଜ୍ୟକୁ ଅକ୍‌ସିଜେନ ଯୋଗାଇ ବହୁ ଜୀବନ ରକ୍ଷା କରିପାରିଥିଲା । BSKY Smart Card ଲୋକଙ୍କୁ ଉତ୍ତମ ସ୍ଵାସ୍ଥ୍ୟ ଯୋଗାଇ ଦେବା ପାଇଁ ଏକ ଐତିହାସିକ ପଦକ୍ଷେପ ବୋଲି ସେମାନେ ବର୍ଣ୍ଣନା କରିଛନ୍ତି।

Leave A Reply

Your email address will not be published.