ଓଡ଼ିଶା ଦେଶର ସବୁଠୁ ଗରିବ ରାଜ୍ୟ

ଦେଶର ଗ୍ରାମାଞ୍ଚଳ ହାରାହାରି ଘର ପିଛା ସମ୍ପତ୍ତିର ମୂଲ୍ୟ ଓଡ଼ିଶାରେ ଅଧାରୁ କମ୍

0

ଭୁବନେଶ୍ବର, ୧୭/୯: ଓଡ଼ିଶା ଦେଶର ସବୁଠୁ ଗରିବ ରାଜ୍ୟ। ଏଠାରେ ଲୋକମାନଙ୍କ ଘର ପିଛା ସମ୍ପତିର ମୂଲ୍ୟରେ ଦେଶର ଅନ୍ୟ ରାଜ୍ୟମାନଙ୍କଠାରୁ ବି ନିମ୍ନ। ‘ନ୍ୟାସନାଲ ସାମ୍ପୁଲ ସର୍ଭେ ଅର୍ଗାନାଇଜେସନ’ କରିଥିବା ରିପୋର୍ଟରେ ଓଡ଼ିଶା ବାବଦରେ ଏଭଳି ସାଂଘାତିକ ସତ୍ୟ ସାମନାକୁ ଆସିଛି। ଅନ୍ୟପଟେ ପଡ଼ୋଶୀ ଝାଡ଼ଖଣ୍ଡ ଆମଠାରୁ ଅଧିକ ଧନୀ ବୋଲି ଏହି ସର୍ଭେ ରିପୋର୍ଟ କହିଛି।

ଏନ୍‌ଏସ୍‌ଏସ୍‌ଓ ଯେଉଁ ରିପୋର୍ଟ ଜାରି କରିଛି ସେଥିରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ରହୁଥିବା ଲୋକଙ୍କର ହାରାହାରି ସମ୍ପତ୍ତି ବାବଦରେ ସର୍ବେକ୍ଷଣ କରିଛି। ଯାହାକୁ ନେଇ ଏପରି ଏକ ରିପୋର୍ଟ ସାମ୍ନାକୁ ଆସିଛି। ରାଜ୍ୟର ଗ୍ରାମାଞ୍ଚଳରେ ଘର ପିଛା ସମ୍ପତ୍ତିର ମୂଲ୍ୟ (ଆଭରେଜ ଆସେଟ ଭେଲ୍ୟୁ) ୫.୩୨ ଲକ୍ଷ ଟଙ୍କା ରହିଥିବା ବେଳେ ସହରାଞ୍ଚଳରେ ଏହା ୧୩.୪୧ ଲକ୍ଷ ରହିଛି। କିନ୍ତୁ ପଡ଼ୋଶୀ ଆସାମର ଗ୍ରାମାଞ୍ଚଳର ଘର ପିଛା ସମ୍ପତ୍ତିର ମୂଲ୍ୟ ୭ ଲକ୍ଷ ଟଙ୍କା ରହିଥିବା ବେଳେ ଝାଡ଼ଖଣ୍ଡରେ ଏହା ୮.୬ ଲକ୍ଷ ରହିଛି । ସେହିପରି ଛତିଶଗଡ଼ରେ ଏହା ୮.୯ ଲକ୍ଷ ଟଙ୍କା ଏବଂ ପଶ୍ଚିମବଙ୍ଗରେ ୭.୮୯ ଲକ୍ଷ ରହିଛି। ତେବେ ଦେଶର ଗ୍ରାମାଞ୍ଚଳମାନଙ୍କରେ ହାରାହାରି ଘର ପିଛା ସମ୍ପତ୍ତିର ମୂଲ୍ୟ ତୁଳନାରେ ଓଡ଼ିଶା ଅଧାରୁ ଟିକିଏ କମ୍ ରହିଛି। ଅର୍ଥାତ୍ ୪୦ ପ୍ରତିଶତ ରହିଛି। ତେବେ ସାରା ଦେଶର ୧୮ଟି ମୁଖ୍ୟ ରାଜ୍ୟ ମଧ୍ୟରୁ ଓଡ଼ିଶା ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ଘର ପିଛା ସମ୍ପତ୍ତି ମୂଲ୍ୟରେ ତଳେ ରହିଛି।

ସେହିପରି ଚାଷୀଙ୍କୁ ନେଇ ଏନ୍‌ଏସ୍‌ଏସ୍‌ଓ ଏକ ରିପୋର୍ଟ ଜାରି କରିଛି। ଯେଉଁଥିରେ ଚାଷୀଙ୍କୁ ଆର୍ଥିକ ସହାୟତା କରୁଥିବା କାଳିଆ ଯୋଜନା ୧୦ଟି ପ୍ରମୁଖ ରାଜ୍ୟର ଯୋଜନା ମଧ୍ୟରେ ରହିଛି। ହେଲେ ଓଡ଼ିଶାର ଚାଷୀମାନେ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ଋଣ ବୋଝରେ ରହିଥିବା ଜଣାପଡ଼ିଛି। ରାଜ୍ୟରେ ଚାଷୀଙ୍କର ମୁଣ୍ଡପିଛା ସମ୍ପତ୍ତି ୬.୨୧ ଲକ୍ଷ ରହିଛି। ମୋଟ୍ ଚାଷୀଙ୍କ ମଧ୍ୟରୁ ୪୬.୪ ପ୍ରତିଶତ ଚାଷୀ ଋଣ ବୋଝରେ ରହିଛନ୍ତି।

ତେବେ ଚାଷୀ ଋଣ ନେବା ତାଲିକାରେ ଓଡ଼ିଶା ନବମ ସ୍ଥାନରେ ରହିଛି। ହେଲେ ମୋଟ୍ ଚାଷୀଙ୍କ ମଧ୍ୟରେ ମାତ୍ର ୨୪ ପ୍ରତିଶତ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ସରକାରୀ ଅନୁମୋଦିତ ସଂସ୍ଥାରୁ ଋଣ ନେଇଛନ୍ତି। ଯାହାକି ଚିନ୍ତାର ବିଷୟ। କାରଣ ଏବେ ବି ଗ୍ରାମାଞ୍ଚଳରେ ସାହୁକାର ବା ଜମିଦାରୀ ପ୍ରଥା ରହିଛି। ଅନେକ ସମୟରେ ଋଣ ବୋଝ ସହିନପାରି ଚାଷୀ ଆତ୍ମହତ୍ୟା କରୁଥିବାର ନଜିର ରହିଥିବା ବେଳେ ଋଣ ଆଣିଥିବା ଜମିଦାରକୁ ନିଜ ଜମି ଶାଗ, ମାଛ ଦରରେ ବିକ୍ରି କରୁଥିବା ମଧ୍ୟ ଅନେକ ସମୟରେ ଦେଖିବାକୁ ମିଳିଛି।

Leave A Reply

Your email address will not be published.