ଭାଙ୍ଗିଲା ପାକ୍‌ ପାର୍ଲାମେଣ୍ଟ, ୩ ମାସ ପରେ ସାନି ନିର୍ବାଚନ

0

ଇସ୍‌ଲାମାବାଦ୍‌, ୩।୪: ଭାଙ୍ଗିଲା ପାକିସ୍ତାନ ସଂସଦ। ଅନାସ୍ଥା ଭୋଟ୍‌କୁ ଉପବାଚସ୍ପତି ଖାରଜ କରିବା ପରେ ଏବେ ପାକ୍ ସଂସଦ ଭାଙ୍ଗି ଦିଆଯାଇଥିବା ଜଣାପଡ଼ିଛି। ଅନାସ୍ଥା ଭୋଟ୍‌ ପ୍ରସ୍ତାବ କାଟ୍‌ ଖାଇବା ପରେ ପାର୍ଲାମେଣ୍ଟ୍‌ ଭଙ୍ଗ କରିବା ପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦେଇଥିଲେ। ଇମ୍ରାନଙ୍କ ପରାମର୍ଶର କିଛି ସମୟ ପରେ ସଂସଦ ଭଙ୍ଗ କରାଯାଇଥିବା ଜଣାପଡ଼ିଛି। ଏବେ ସଂସଦ ଭଙ୍ଗ ହେବା ସହ ୩ ମାସ ପରେ ସାନି ନିର୍ବାଚନ ହେବ ବୋଲି କୁହାଯାଇଛି।

ସମ୍ବିଧାନର ଧାରା ୨୨୪ ଅନୁଯାୟୀ ପ୍ରଧାନମନ୍ତ୍ରୀ ନିଜର କାର୍ଯ୍ୟ ଜାରି ରଖିବେ। ପାକିସ୍ତାନ ପାର୍ଲାମେଣ୍ଟ୍‌ ଭଙ୍ଗ ହୋଇଛି ବୋଲି ପାକିସ୍ତାନ ମନ୍ତ୍ରୀ ଫୱାଦ ଚୌଧୁରୀ କହିଛନ୍ତି। ତେବେ ରାଷ୍ଟ୍ରପତିଙ୍କୁ ପାର୍ଲାମେଣ୍ଟ୍‌ ଭାଙ୍ଗିବା ନେଇ ପତ୍ର ଲେଖିବା ପରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଇମ୍ରାନ କହିଥିଲେ,ପାର୍ଲାମେଣ୍ଟ୍‌ ଭାଙ୍ଗି ଦେବା ପାଇଁ ମୁଁ ରାଷ୍ଟ୍ରପତିଙ୍କୁ ପତ୍ର ଲେଖିଛି। ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ହେବା ଉଚିତ। ନିର୍ବାଚନ ପାଇଁ ପ୍ରସ୍ତୁତି କରିବାକୁ ମୁଁ ପାକିସ୍ତାନ ଜନସାଧାରଣଙ୍କୁ କହୁଛି। ଅନାସ୍ଥା ଭୋଟ୍‌ ପାଇଁ ଉପବାଚସ୍ପତି ଅନୁମତି ଦେଇ ନ ଥିବାରୁ ଦେଶବାସୀ ଆନନ୍ଦିତ। ଅନାସ୍ଥା ପ୍ରସ୍ତାବ ବିଦେଶୀ ଷଡ଼ଯନ୍ତ୍ରର ଅଂଶବିଶେଷ ଥିଲା। ତେଣୁ, ପାର୍ଲାମେଣ୍ଟ୍‌ ଭାଙ୍ଗି ଦେବାକୁ ମୁଁ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦେଇଛି। କାମଚଳା ସରକାର ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି।

ଅନାସ୍ଥା ପ୍ରସ୍ତାବ ଆଗତ ହେବା ପୂର୍ବରୁ ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ରାଷ୍ଟ୍ରପତି ଆରିଫ୍‌ ଅଲ୍‌ୱିଙ୍କୁ ଭେଟି ଦେଶର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ବିଷୟରେ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ, ଉପବାଚସ୍ପତି କାସିମ୍ ଖାନ୍‌ ସୁରିଙ୍କ ଅଧ୍ୟକ୍ଷତାରେ ପାକିସ୍ତାନ ପାର୍ଲାମେଣ୍ଟ୍‌ରେ ଅଧିବେଶନ ଆରମ୍ଭ ହେବା ପରେ ବିରୋଧୀମାନେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ।

Leave A Reply

Your email address will not be published.