ସହିଦ ଭଗତ ସିଂହଙ୍କ ଗାଁରେ ଶପଥ ଗ୍ରହଣ କରିବେ ଭଗୱନ୍ତ ମାନ୍

ପୂରା ପଞ୍ଜାବକୁ ଦେଲେ ନିମନ୍ତ୍ରଣ

0

ଭୁବନେଶ୍ବର, ୧୨।୩: ପଞ୍ଜାବରେ ଐତିହାସିକ ବିଜୟ ଲାଭ କରିଥିବା ଆମ ଆଦମୀ ପାର୍ଟି(ଆପ୍‌) ଆଜି ବିଧିବଦ୍ଧ ଭାବେ ସରକାର ଗଠନ କରିବାକୁ ରାଜ୍ୟପାଳଙ୍କୁ ପତ୍ର ଦେଇଛି। ଆପ୍‌ର ବିଧାୟକ ଦଳ ନେତା ଭଗୱନ୍ତ ମାନ ଆଜି ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କୁ ଭେଟି ସରକାର ଗଠନ ପାଇଁ ଅନୁମତି ଲୋଡ଼ିଛନ୍ତି।

ଶପଥ ଉତ୍ସବ ଆସନ୍ତା ୧୬ ତାରିଖ ମଧ୍ୟାହ୍ନ ୧୨.୩୦ରେ ଅନୁଷ୍ଠିତ ହେବ। ମାନ୍‌ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହ ଗାଁରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏଥିପାଇଁ ସେ ପୂରା ପଞ୍ଜାବକୁ ସହିଦ ଭଗତ ସିଂହଙ୍କ ଗାଁକୁ ନିମନ୍ତ୍ରଣ କରିଛନ୍ତି। ରାଜ୍ୟପାଳଙ୍କୁ ଭେଟିବା ପରେ ସେ କହିଛନ୍ତି, ‘ପଞ୍ଜାବର ପ୍ରତି ଘରକୁ ଲୋକମାନେ ଶପଥ ପାଠ କାର୍ଯ୍ୟକ୍ରମରେ ଯୋଗଦେବେ। ସେମାନେ ଭଗତ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ମଧ୍ୟ ଜଣାଇବେ। ଆମେ ଭଲ କ୍ୟାବିନେଟ ଗଠନ କରିବୁ। ପୂର୍ବରୁ କେବେ ହେଲେ ନିଆ ଯାଇନଥିବା ନିଷ୍ପତ୍ତି ନେବୁ। ତେଣୁ ଆପଣମାନଙ୍କୁ ସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।’

ରାଜ୍ୟପାଳଙ୍କୁ ବିଧାୟକମାନଙ୍କ ସମର୍ଥିତ ପତ୍ର ହସ୍ତାନ୍ତର କରିବା ବେଳର ଫଟୋ ମଧ୍ୟ ମାନ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ଆପ୍ ପଞ୍ଜାବରେ ମାନ୍‌ଙ୍କୁ ମିଶାଇ ମୋଟ ୯୨ ଆସନରେ ଜିତିଛି। ଶୁକ୍ରବାର ସମସ୍ତ ୯୨ ଜଣ ବିଧାୟକଙ୍କ ବୈଠକ ବସିଥିଲା। ଏହି ବୈଠକରେ ସର୍ବସମ୍ମତିକ୍ରମେ ମାନ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ବିଧାୟକ ଦଳ ନେତା ହୋଇଥିବାରୁ ମାନ ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

ଏହାପୂର୍ବରୁ ବିଧାୟକମାନଙ୍କୁ ସେ ଲୋକଙ୍କ ପାଇଁ କାମ କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, “ଆପଣମାନେ କେବେ ବି ଅହଂକାରୀ ହେବେ ନାହିଁ। ଯେଉଁମାନେ ଆମକୁ ଭୋଟ ଦେଇ ନାହାନ୍ତି, ସେମାନଙ୍କ ପାଇଁ ମଧ୍ୟ ଆମେ କାମ କରିବା। ଆପଣମାନେ ପଞ୍ଜାବୀଙ୍କ ବିଧାୟକ। ସେମାନେ ଆମକୁ ସରକାର ଗଠନ କରିବାକୁ ଅନୁମତି ଦେଇଛନ୍ତି। ଆମେ ସେମାନଙ୍କ ବିଶ୍ୱାସକୁ କେବେ ହେଲେ ଭାଙ୍ଗିବା ନାହିଁ।”

Leave A Reply

Your email address will not be published.