ଏପ୍ରିଲ ୨୯ରୁ ମେ ୭ ମାଟ୍ରିକ ପରୀକ୍ଷା, ପ୍ରକାଶ ପାଇଲା ପରୀକ୍ଷା ସୂଚୀ

0

ଭୁବନେଶ୍ବର, ୧୪।୩: ପୂର୍ବଘୋଷଣା ଅନୁସାରେ ଆସନ୍ତା ଏପ୍ରିଲ ୨୯ ତାରିଖରୁ ମେ’ ୭ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ ଓ ଏନେଇ ଆଜି ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ବିସ୍ତୃତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। କେଉଁ ଦିନ କ’ଣ ପରୀକ୍ଷା ରହିଛି ସେ ନେଇ ବୋର୍ଡ କର୍ତ୍ତୃପକ୍ଷ କାର୍ଯ୍ୟସୂଚୀ ଜାରି କରିବା ସହ ସକାଳ ୮ଟାରୁ ୨ଘଣ୍ଟା ପାଇଁ ପରୀକ୍ଷା ହେବ। କେବଳ ଗଣିତ ବିଷୟ ପାଇଁ ପରୀକ୍ଷା ୨ଘଣ୍ଟା ୧୫ମିନିଟର ହେବ। ଏହାସହ ନବମ ଶ୍ରେଣୀ ପରୀକ୍ଷା ପାଇଁ ମଧ୍ୟ ବୋର୍ଡ କର୍ତ୍ତୃପକ୍ଷ କାର୍ଯ୍ୟସୂଚୀ ଜାରି କରିଛନ୍ତି।

ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡଙ୍କ ଦ୍ୱାରା ଜାରି କାର୍ଯ୍ୟସୂଚୀ ଅନୁସାରେ, ଆସନ୍ତା ୨୯ ତାରିଖରେ ଦ୍ୱିତୀୟ ଭାଷା ଇଂରାଜୀ ଥିବା ବେଳେ ମେ’ ୨ରେ ଗଣିତ, ୪ରେ ବିଜ୍ଞାନ, ୫ରେ ପ୍ରଥମ ଭାଷା ଓଡ଼ିଆ, ୬ରେ ତୃତୀୟ ଭାଷା ହିନ୍ଦି/ସଂସ୍କୃତ, ମଇ ୭ରେ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ୮୦ ମାର୍କ ବିଶିଷ୍ଟ ହେବ। ଏଥିରେ ୫୦ ମାର୍କ ସଂକ୍ଷିପ୍ତ ଓ ୩୦ ମାର୍କ ଦୀର୍ଘ ଉତ୍ତରମୂଳକ ବୋଲି ଜଣାପଡ଼ିଛି।

ସେହିପରି ଏପ୍ରିଲ ୧୩ରୁ ନବମ ସମ୍ମେଟିଭ ପରୀକ୍ଷା-୨ ଆରମ୍ଭ ହେବ। ସକାଳ ୮ଟାରୁ ନିଜ ସ୍କୁଲରେ ନବମ ଶ୍ରେଣୀ ପିଲାମାନେ ପରୀକ୍ଷା ଦେବେ। ଏହି ପରୀକ୍ଷା ଏପ୍ରିଲ ୧୩ରୁ ୨୧ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନରେ ଦ୍ୱିତୀୟ ଭାଷା, ଏପ୍ରିଲ ୧୬ରେ ଗଣିତ, ଏପ୍ରିଲ ୧୮ରେ ବିଜ୍ଞାନ, ଏପ୍ରିଲ ୧୯ରେ ପ୍ରଥମ ଭାଷା ଓଡ଼ିଆ, ଏପ୍ରିଲ ୨୦ରେ ସାମାଜିକ ବିଜ୍ଞାନ ଓ ଏପ୍ରିଲ ୨୧ରେ ତୃତୀୟ ଭାଷା ହିନ୍ଦି ଅବା ସଂସ୍କୃତ ପରୀକ୍ଷା ରହିଛି।

ସୂଚନାଯୋଗ୍ୟ, ଓଡ଼ିଶା ମାଧ୍ୟମିକ ବୋର୍ଡ ସଭାପତି ରାମାସିସ୍ ହଜରା ପୂର୍ବରୁ କହିଥିଲେ ଯେ, ଛାତ୍ରଛାତ୍ରୀଙ୍କ ପାଇଁ ସମ୍ମେଟିଭ ପରୀକ୍ଷା-୨  ବାଧ୍ୟତାମୂଳକ କରାଯାଇଛି। ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ପରୀକ୍ଷା ହେବ। ତେବେ କେବଳ ରାଜ୍ୟ ମୁକ୍ତ ବିଦ୍ୟାଳୟର ସାର୍ଟିଫିକେଟ୍ ପରୀକ୍ଷା ୩ଦିନ ପାଇଁ ୨ଟି ସିଟିଂରେ ହେବ। ପ୍ରଥମ ସିଟିଂ ସକାଳ ୮ଟାରୁ ୧୦ଟା ଓ ଦ୍ୱିତୀୟ ସିଟିଂ ସକାଳ ୧୧ଟାରୁ ଦିନ ୧ଟା ପର୍ଯ୍ୟନ୍ତ ହେବ।

 

Leave A Reply

Your email address will not be published.