କଂଗ୍ରେସ ଛାଡ଼ିଲେ ପ୍ରଦୀପ ମାଝୀ

0

ଭୁବନେଶ୍ଵର, ୨୨୧୦କଂଗ୍ରେସ ଦଳ ଛାଡ଼ିଲେ ବରିଷ୍ଠ ନେତା ପ୍ରଦୀପ ମାଝୀ। କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପ୍ରଦୀପ। ସେ ସୋନିଆ ଗାନ୍ଧୀଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି। କଂଗ୍ରେସରେ ଜନସେବାର ସୁଯୋଗ ନଥିବା କହି ସେ ଦଳରୁ ଇସ୍ତଫା ଦେଇଛନ୍ତି। ସେ ନବରଙ୍ଗପୁରର ପୂର୍ବତନ ସାଂସଦ ଥିଲେ। ଏନେଇ ପ୍ରଦୀପ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲେ। ଅତି ଦୁଃଖ ଓ କଷ୍ଟରେ ନିଷ୍ପତ୍ତି ନେଇଥିବା ସେ ତାଙ୍କ ଚିଠିରେ ପ୍ରକାଶ କରିଛନ୍ତି। କଂଗ୍ରେସର ଟାଣୁଆ ନେତା ତଥା ପିପିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଗତ କିଛି ଦିନ ହେବ କଂଗ୍ରେସ ଛାଡ଼ୁଛନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଥିଲା। ଏଥିରେ ଏବେ ଯବନିକା ପଡ଼ିଛି। ଗତ କିଛି ଦିନ ହେବ ଦଳ ପ୍ରତି ସେ ଅସନ୍ତୋଷ ଥିଲେ। ତେବେ ସେ ବିଜେଡ଼ିକୁ ଡେଇଁବେ ବୋଲି ଚର୍ଚ୍ଚା ଜୋର୍ ଧରିଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରଦୀପଙ୍କ ବିଷୟକୁ ନେଇ ଆଲୋଚନା ହୋଇଥିଲା ଓ ଆନୁଷ୍ଠାନିକ କାର୍ଯ୍ୟକାରୀ ହେବା ବାକି ରହିଛି ବୋଲି ଚର୍ଚ୍ଚା ହେଉଥିଲା। ପ୍ରଦୀପଙ୍କ ଅନେକ ସମର୍ଥକ ଏହି ଖବର ସତ୍ୟ ବୋଲି କହୁଛନ୍ତି । ପ୍ରଦୀପଙ୍କ ବାପା ଭଗବାନ ମାଝୀ ରାଜନୀତି ଜୀବନ ବିଜୁବାବୁଙ୍କଠାରୁ ଆରମ୍ଭ କରିଥିଲେ । ଏଣୁ ଚର୍ଚ୍ଚା ମିଛ ହୋଇନପାରେ ବୋଲି ରାଜନୀତି ମହଲରୁ ଶୁଣିବାକୁ ମିଳୁଛି ।

ଏଭଳି ସସ୍‌ପେନ୍ସ ଉପରୁ ପରଦା ହଟୁନଥିବାବେଳେ ତୃଣମୂଳସ୍ତରର କର୍ମୀମାନେ ପ୍ରଦୀପଙ୍କୁ ଫୋନ୍‌ କରି ନୟାନ୍ତ କରୁଥିବା ଜଣାପଡ଼ିଛି । ଫୋନକଲ୍‌ଗୁଡ଼ିକୁ କୌଣସି ସ୍ପଷ୍ଟ ଉତ୍ତର ଦେଇ ନପାରି ଥକିଗଲିଣି ବୋଲି ପ୍ରଦୀପ ନିଜେ କହିଛନ୍ତି । ବିଜେଡି ଜିଲ୍ଲା ସଭାପତି ତଥା ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି ବି ପ୍ରସଙ୍ଗକୁ ନେଇ ଅନ୍ଧାରରେ ରହିଛନ୍ତି । ସେ ଖାଲି ଶୁଣୁଥିବା କହିଛନ୍ତି । ପ୍ରସଙ୍ଗକୁ ପ୍ରଦୀପ ଦୃଢ଼ତାର ସହ ଖଣ୍ଡନ କରୁ ନଥିବାରୁ ଜିଲ୍ଲାବାସୀଙ୍କ ମନରେ ସନ୍ଦେହ ବଢ଼ିବାରେ ଲାଗିଛି ।

ପ୍ରଦୀପଙ୍କ ବାପା ଭଗବାନ ମାଝୀ ନିଜ ରାଜନୀତି ଜୀବନ ବିଜୁବାବୁଙ୍କଠାରୁ ଆରମ୍ଭ କରିଥିଲେ । ବିଜୁବାବୁ ଭଗବାନଙ୍କୁ ଜନତା ଦଳରୁ ୧୯୯୪ରେ ରାଜ୍ୟସଭାକୁ ପଠାଇଥିଲେ । ପରବର୍ତ୍ତୀ ସମୟରେ ଭଗବାନ କଂଗ୍ରେସରେ ସାମିଲ ହୋଇଥିଲେ । କିନ୍ତୁ ପ୍ରଦୀପ କଂଗ୍ରେସରୁ ନିଜ ରାଜନୀତି ଆରମ୍ଭ କରିଛନ୍ତି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପରେ ସେ ସିଧାସଳଖ ୨୦୦୯ରେ ନବରଙ୍ଗପୁର ସାଂସଦ ନିର୍ବାଚିତ ହୋଇଥିଲେ । ପରେ ଦୁଇ ଥର ନିର୍ବାଚନରେ ପରାଜୟ ହୋଇଥିଲେ । ରାଜନୀତି ଜୀବନରେ ସଂଘର୍ଷ କରି କେବଳ ଅବିଭକ୍ତ କୋରାପୁଟ ନୁହେଁ ରାଜ୍ୟ ରାଜନୀତିକୁ ପ୍ରଭାବିତ କରିଛନ୍ତି । ରାଜ୍ୟସ୍ତରର ଜଣେ ଦକ୍ଷନେତା ଭାବେ ନିଜ ସ୍ଥାନ ଏବେ ବି ବଜାୟ ରଖିଛନ୍ତି । ପ୍ରଦୀପ ବିଜେଡିରେ ସାମିଲ ହେବା ଥୟ ବୋଲି ଆଶଙ୍କା ପ୍ରକାଶ ପାଉଥିଲେ ହେଁ କେବେ ଏଥିରୁ ପରଦା ହଟିବ ତାହାକୁ ଜିଲ୍ଲା ତଥା ରାଜ୍ୟବାସୀ ଚାହିଁ ରହିଛନ୍ତି ।

Leave A Reply

Your email address will not be published.