ଜେଲ୍‌ରେ ଜୁଲମ୍‌ କରୁଛନ୍ତି ପ୍ରଦୀପ ! ନାକେଦମ୍ ହେଲେଣି ଜେଲ୍‌ କର୍ମଚାରୀ

0

ଭୁବନେଶ୍ବର,୮/୧୨ : ବିଭିନ୍ନ ସଙ୍ଗୀନ୍ ମାମଲାରେ ଛନ୍ଦି ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ପାଞ୍ଚ ଦିନ ହେଲା‌ ଝାରପଡ଼ା ଜେଲ୍‌ରେ ବନ୍ଦୀ ଜୀବନ କାଟୁଛନ୍ତି। ସବୁବେଳେ ଅୟସ୍‌ ଆରାମରେ ଜୀବନ ବିତାଉଥିବା ଓ ଚାର୍ଟର୍‌ ଫ୍ଲାଇଟ୍‌ରେ ବୁଲି ତାରକା ହୋଟେଲ୍‌ରେ ଲକ୍ଷ ଲକ୍ଷ ଟଙ୍କା ଉଡ଼ାଉଥିବା ଏହି ବିଧାୟକ ଏବେ ଜେଲ୍‌ରେ ସାଧାରଣ ବିଚାରାଧୀନ କଏଦୀ ପରି ରହୁଛନ୍ତି। କିନ୍ତୁ ଜେଲ୍‌ରେ ପ୍ରଦୀପ ଜେଲ୍‌ କର୍ମଚାରୀମାନଙ୍କୁ ନାଲି ଆଖି ଦେଖାଉଥିବାର ଅଭିଯୋଗ ଆସୁଛି। ଜେଲ୍‌ରେ ସେ ରାଜକୀୟ ଜୀବନଶୈଳୀ ଖୋଜୁଥିବାର ଜଣାପଡ଼ିଛି। କରୋନା ସମୟରେ ନିଜ ଭାବି ଜ୍ବାଇଁ ସହିତ ତାଜ୍‌ ହୋଟେଲ୍‌ରେ ଅୟସ କରି ନିଜ ନୈତିକତାକୁ ଜଳାଞ୍ଜଳି ଦେଇଥିବା ଏହି ଜନ ପ୍ରତିନିଧି ଜଣଙ୍କ ଜେଲ୍‌ରେ ବି ଭଲ ଖାଦ୍ୟ ଓ ଆରାମଦାୟକ ଜୀବନ ପାଇଁ କର୍ମଚାରୀଙ୍କ ଉପରେ ଏକ ପ୍ରକାର ଜୁଲମ ଆରମ୍ଭ କରି ଦେଇଥିବା ଆଲୋଚନା ହେଉଛି।
ଜେଲ୍‌ରେ ଦିଆଯାଉଥିବା ସକାଳର ଉପମା – ତରକାରୀ, ମଧ୍ୟାହ୍ନ ଭୋଜନର ଭାତ-ଡାଲି-ତରକାରୀ ଏବଂ ରାତ୍ରି ଭୋଜନରେ ରୁଟି-ସନ୍ତୁଳା ଏବେ ବିଧାୟକଙ୍କୁ ରୁଚୁ ନାହିଁ। ପ୍ରଥମ ଦୁଇ ଦିନ ଯେନତେନ ଉପାୟରେ ଏଥିରେ କାମ ଚଳାଇ ଦେଇଥିଲେ। କିନ୍ତୁ ଏବେ ସେ ରାଜକୀୟ ଜୀବନ ଖୋଜିବା ଆରମ୍ଭ କରିଛନ୍ତି। ଜେଲ୍‌ ଅଧିକାରୀ ଓ କର୍ମଚାରୀମାନଙ୍କୁ ପ୍ରଭାବିତ କରି ବିଭିନ୍ନ ସୁବିଧା ସୁଯୋଗ ‌ପାଇଁ ବିକଳ ହେଉଛନ୍ତି। କର୍ମଚାରୀମାନେ ମନା କରିଦେଲା ପରେ ନାଲି ଆଖି ଦେଖାଇବାକୁ ବି ପଛାଉ ନାହାନ୍ତି। ଏହାକୁ ନେଇ ଜେଲ୍‌ କର୍ମଚାରୀମାନେ ବି ଚିନ୍ତାରେ ପଡ଼ିଯାଇଥିବା ଜଣାପଡ଼ିଛି। ଗତକାଲି ଠାରୁ ଝାରପଡ଼ା ଜେଲ୍‌ରେ ଏହା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଶ୍ରୀ ପାଣିଗ୍ରାହୀ ଏପରି ହାବଭାବ ନ ବଦଳାଇଲେ ତାଙ୍କୁ ଅନ୍ୟ ଜେଲ୍‌କୁ ସ୍ଥାନାନ୍ତର କରାଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ।
ଯେତେବେଳେ କରୋନା କବଳରେ ଗଞ୍ଜାମ ଜିଲ୍ଲା ଛଟପଟ ହେଉଥିଲା, ସେହି ସମୟରେ ପ୍ରଦୀପ ପାଣିଗ୍ରାହୀ ଜଣେ ନିର୍ବାଚିତ ଜନ ପ୍ରତିନିଧି ହୋଇ ମଧ୍ୟ ନୈତିକତାକୁ ଜଳ‌ାଞ୍ଜଳି ‌େଦଇଥିଲେ। ଭାବି ଜ୍ବାଇଁ ଆକାଶ ପାଠକ ଓ ତାଙ୍କ ପରିବାର ସହ ଚାର୍ଟର୍‌ ଫ୍ଲାଇଟ୍‌ରେ ଏକାଧିକ ଥର ରାଜ୍ୟ ବାହାରକୁ ଉଡ଼ିଥିଲେ। ବଡ଼ ବଡ଼ ହୋଟେଲ୍‌ରେ ଲକ୍ଷାଧିକ ଟଙ୍କା ଉଡ଼ାଇଥିଲେ। ପୁଣି କ‌େରାନା ସମୟରେ ଶ୍ରୀ ପାଣିଗ୍ରାହୀଙ୍କ ଆକାଉଣ୍ଟ୍‌କୁ ବିଭିନ୍ନ ଉତ୍ସରୁ କୋଟି କୋଟି ଟଙ୍କା ଆସିଥିବାର ଜଣାପଡ଼ିଥିଲା। ଏଥିରେ ମଦ ମାଫିଆ ଓ ବାଲି ମାଫିଆଙ୍କର ମଧ୍ୟ ଟଙ୍କା ରହିଥିଲା। ପୁଣି ଟାଟା ମୋଟର୍ସରେ ଚାକିରି ଦେବା ପାଇଁ କହି ତାଙ୍କ ଭାବି ଜ୍ବାଇଁ ଲୋକଙ୍କୁ ଠକୁଥିଲା ବେଳେ ଏଥିରେ ମଧ୍ୟ ଶ୍ରୀ ପାଣିଗ୍ରାହୀ ସାଥ୍‌ ଦେଉଥିଲେ।
ଏପରି ଜନବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା ବେଳେ କ୍ରାଇମ୍‌ବ୍ରାଞ୍ଚ୍‌ ତାଙ୍କୁ ଗିରଫ କରିଥିଲା। ଜାମିନ୍ ନାମଞ୍ଜୁର ହୋଇଯିବାରୁ ସେ ଏବେ ଝାରପଡ଼ା ଜେଲ୍‌ର ଚାରିକାନ୍ଥ ଭିତରେ ଦିନ କାଟୁଛନ୍ତି। ଜଣେ ତିନି ଥରର ବିଧାୟକ ହୋଇଥିଲେ ବି ତାଙ୍କ ସପକ୍ଷ‌େର ନା ତାଙ୍କ ନିର୍ବାଚନମଣ୍ଡଳୀରୁ କେହି ବାହାରୁଛନ୍ତି ନା ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ତାଙ୍କ ପ୍ରତି ସିମ୍ପାଥି ଦେଖିବାକୁ ମିଳୁଛି। ଏହା ମଧ୍ୟରେ ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତିକୁ ନେଇ ସରକାର ଆହୁରି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ତାଙ୍କ ଦୁର୍ନୀତିର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଲୋକାୟୁକ୍ତଙ୍କୁ ସୁପାରିସ୍‌ କରିଛନ୍ତି। ରାଜ୍ୟରେ ଲୋକାୟୁକ୍ତ ଗଠନ ହେଲା ପରେ ଶ୍ରୀ ପାଣିଗ୍ରାହୀଙ୍କ ଦୁର୍ନୀତି ପ୍ରଥମ ମାମଲା, ଯାହାକୁ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୁପାରିସ୍‌ କରାଯାଇଛି।

Leave A Reply

Your email address will not be published.