ବାତ୍ୟା କ୍ଷୟକ୍ଷତି ସମୀକ୍ଷା ପାଇଁ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

0

ଭୁବନେଶ୍ୱର: ବାତ୍ୟା ‘ୟାସ’ର କ୍ଷୟକ୍ଷତି ସମୀକ୍ଷା ପାଇଁ ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶା ସମେତ ପଶ୍ଚିମବଙ୍ଗ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଶୁକ୍ରବାର ପ୍ରଥମେ ଭୁବନେଶ୍ୱରେ ପହଞ୍ଚିବା ପରେ ସେଠାରେ ରାଜ୍ୟ ସରକାରଙ୍କ ସହିତ ବାତ୍ୟା ସମୀକ୍ଷା ବୈଠକରେ ଯୋଗ ଦେବେ। ଏହାପରେ ଆକାଶ ମାର୍ଗରୁ ହେଲିକପ୍ଟର ଯୋଗେ ବାତ୍ୟା ପ୍ରଭାବିତ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ବୁଲି ଦେଖିବେ। ଏହାପରେ ପଶ୍ଚିମବଙ୍ଗ ଯାଇ ସେଠାରେ ବାତ୍ୟା ସ୍ଥିତି ସମୀକ୍ଷା କରିବା ସହିତ ରାଜ୍ୟର ବତ୍ୟା ପ୍ରଭାବିତ ପୂର୍ବ ମେଦିନାପୁର ଜିଲ୍ଲା ବୁଲି ଦେଖିବେ। ପଶ୍ଚିମବଙ୍ଗ ବୈଠକରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଉପସ୍ଥିତି ରହିବେ।

ତେବେ ଏହା ପୂର୍ବରୁ ଆଜି ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିଦର୍ଶନ କରିଛନ୍ତି। ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରାୟ ୧ ଘଣ୍ଟା ଧରି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପୂର୍ବରୁ ଗତକାଲି ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ। ଗୁରୁବାର ୧୨ଟା ୩୦ମିନିଟ୍ ରେ ମୁଖ୍ୟମନ୍ତ୍ରୀ ବିମାନବନ୍ଦରରୁ ହେଲିକପ୍ଟର ଯୋଗେ ଉଡ଼ାଣ ଭରିଥିଲେ। ପରେ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବାତ୍ୟା ‘ୟାସ୍’ ଦୁର୍ବଳ ହୋଇ ଝାଡଖଣ୍ଡରେ ପହିଞ୍ଚିଛି ବାତ୍ୟା ‘ୟାସ୍’ ଯୋଗୁଁ ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ବେଶୀ କ୍ଷୟକ୍ଷତି ହୋଇଛି । ବିଭିନ୍ନ ସ୍ଥାନରେ ରାସ୍ତାରେ ବଡ ବଡ ଗଛ ପଡିଛି । କେଉଁଠି ମୂଳ ମାଟିରୁ ଉପୁଡି ଯାଇଛି ।

ଲୋକଙ୍କ ଘର ଉପରେ ମଧ୍ୟ ପଡିଛି ଗଛ । ବିଦ୍ୟୁତ ଖୁଣ୍ଟି ଭାଙ୍ଗି ଯାଇଛି । ବଡ ବଡ ହୋର୍ଡିଂ ସବୁକୁ ଫିଙ୍ଗି ଦେଇଛି ପବନ । ବାତ୍ୟା ଅପସରି ଯାଇଥିବା ବେଳେ ଜୋରଦାର ହୋଇଛି ପୁନରୁଦ୍ଧାର କାମ । ପ୍ରଭାବିତ ଅଞ୍ଚଳରେ ଓଡ୍ରାଫ, ଏନଡିଆରଏଫ୍ ଓ ଅଗ୍ନିଶମ ବାହୀନି ଗଛ ପଡିଥିବା ସ୍ଥାନରେ ସଫେଇକୁ ଜୋରଦାର କରିଛନ୍ତି । ବିଭିନ୍ନ ଜିଲ୍ଲାରେ ୬୦ରୁ ଓଡ୍ରାଫ ଟିମ୍, ଏନଡିଆରଏଫର ୫୨ଟି ଟିମ୍ ଓ ଅଗ୍ନିଶମ ବାହିନୀର ଶହେରୁ ଅଧିକ ଟିମ୍ ମୁତୟନ ଅଛନ୍ତି ।

ଅନ୍ୟପଟେ ବାତ୍ୟା ‘ୟାସ୍’ ଯୋଗୁଁ ପ୍ରଭାବିତ ଜିଲ୍ଲାରେ କୃଷି କ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତିର ଆକଳନ କରି ପ୍ରାଥମିକ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ। ବିଭାଗୀୟ ଅଧିକାରୀଙ୍କୁ ରିପୋର୍ଟ ଦେବାକୁ ମନ୍ତ୍ରୀ ଅରୁଣ ସାହୁ ନିର୍ଦ୍ଦେଶ ଦେଇଛନ୍ତି । ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.