ଉତ୍ତରାଖଣ୍ଡର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂହ ଧାମୀ

0

ଡେରାଡୁନ, ୪।୭: ମାତ୍ର ୪୫ ବର୍ଷ ବୟସରେ ଉତ୍ତରାଖଣ୍ଡର ସର୍ବକନିଷ୍ଠ ତଥା ୧୧ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ପୁଷ୍କର ସିଂହ ଧାମୀ। ରାଜ୍ୟପାଳ ବେବୀ ରାଣୀ ମୌର୍ଯ୍ୟ ଆଜି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶପଥ ନେବା ପୂର୍ବରୁ ଧାମୀ ଅସନ୍ତୋଷ ବିଜେପି ନେତାମାନଙ୍କ ଭେଟିଥିଲେ। ଚୌବାଟ୍ଟଖାଲର ବିଧାୟକ ତଥା କ୍ୟାବିନେଟ୍‌ ମନ୍ତ୍ରୀ ସତ୍ୟପାଲ ମହାରାଜଙ୍କୁ ତାଙ୍କ ବାସଭବନରେ ଭେଟି ଫୁଲ ତୋଡ଼ା ଦେଇଥିଲେ ଧାମୀ।

ଉତ୍ତରାଖଣ୍ଡରେ ତୀରଥ ସିଂହ ରାୱତ୍‌ଙ୍କ ଇସ୍ତଫା ପରେ ଶନିବାର ଡେରାଡୁନ୍‌ରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ପୁଷ୍କର ସିଂହ ଧାମୀଙ୍କ ନାମ ଉପରେ ମୋହର ବାଜିଥିଲା। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ପ୍ରଦେଶ ପ୍ରଭାରୀ ଦୁଷ୍ୟନ୍ତ କୁମାର ଗୌତମଙ୍କ ଉପସ୍ଥିତିରେ ବିଜେପିର ୫୭ ଜଣ ବିଧାୟକ ଏହି ବୈଠକରେ ଯୋଗ ଦେଇଥିଲେ। ବୈଠକରେ ଅନ୍ୟ କାହାର ନାମ ସଂପର୍କରେ ଚର୍ଚ୍ଚା ହୋଇନଥିଲା। କେବଳ ପୁଷ୍କର ସିଂହ ଧାମୀଙ୍କ ନାମ ଉଠାଯାଇଥିଲା। ସର୍ବସହମତିରେ ତାଙ୍କୁ ବିଧାୟକ ଦଳର ନେତା ଓ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ବଛାଯାଇଥିଲା।

ଉତ୍ତରାଖଣ୍ଡର କୁମାଉଁ ଅଞ୍ଚଳ(ଖଟିମା ବିଧାନସଭା ଆସନ)ରୁ ବିଧାୟକ ଅଛନ୍ତି ସେ। ୧୯୭୫ ମସିହା ସେପ୍ଟେମ୍ବର ୧୬ ତାରିଖରେ ରାଜ୍ୟର ପିଥୋରଗଡ଼ ଜିଲ୍ଲାର କାନାଲିଚିନ୍ନାରେ ତାଙ୍କର ଜନ୍ମ ହୋଇଥିଲା। ଲାଖଲୁ ବିଶ୍ୱବିଦ୍ୟାଳୟରୁ ସେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ। ଧାମୀ ମ୍ୟାନେଜମେଣ୍ଟରେ ସ୍ନାତକୋତ୍ତର ଶିକ୍ଷା ଶେଷ କରିଛନ୍ତି। ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ଏଲଏଲ୍‌ବି ଶିକ୍ଷା ଗ୍ରହଣ କରିଛନ୍ତି । ୧୯୯୦-୧୯୯୯ ମସିହା ଯାଏ ଏବିଭିପିର ଭିନ୍ନ ଭିନ୍ନ ପଦରେ ଧାମୀ କାମ କରିଥିଲେ। ୨୦୦୨-୨୦୦୬ ଯାଏ ସେ ଦଳର ଯୁବାମୋର୍ଚ୍ଚାର ପ୍ରଦେଶ ଅଧ୍ୟକ୍ଷ ବି ଥିଲେ। ୨୦୧୨ରେ ସେ ପ୍ରଥମ ଥର ପାଇଁ ଖଟିମା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୭ରେ ସେହି ଆସନରୁ ସେ ପୁଣି ଥରେ ବିଜୟ ଲାଭ କରିବାରେ ସଫଳ ହୋଇଥିଲେ। ଧାମିଙ୍କୁ ଆରଏସ୍‌ଏସ୍‌ ସହ ଘନିଷ୍ଠ ଭାବେ ମଧ୍ୟ ବିବେଚନା କରାଯାଇଥାଏ। ୪୫ ବର୍ଷୀୟ ଏହି ନେତା ଜଣକ ଜଣେ ନିର୍ବିବାଦୀୟ ଚେହେରା ଭାବେ ମଧ୍ୟ ଜଣାଶୁଣା।

Leave A Reply

Your email address will not be published.