ଭାରତ ପହଞ୍ଚିଲା ସ୍ଫୁଟନିକ୍‌-ଭି ଟିକା

0

ନୂଆଦିଲ୍ଲୀ, ୧।୫ : ଋଷରେ ପ୍ରସ୍ତୁତ କରୋନା ଭାଇରସ୍ ଟିକା ‘ସ୍ଫୁଟନିକ୍-ଭି’ର ପ୍ରଥମ ପର୍ଯ୍ୟାୟ ଶନିବାର ଭାରତରେ ପହଞ୍ଚିଛି । ଏହାଦ୍ୱାରା ଏବେ ଦେଶରେ ଟିକାକରଣ ଅଭିଯାନ ଜୋରଦାର ହେବ। ଋଷରୁ ଆସିଥିବା ସ୍ପୁଟନିକ୍-ଭି ଟିକା ଆଜି ହାଇଦ୍ରାବାଦ ବିମାନବନ୍ଦରରେ ପହଞ୍ଚିଛି। ଦେଶରେ କୋଭିଶିଲ୍ଡ ଓ କୋଭାକ୍ସିନ୍ ଟିକା ପରେ ଏବେ ଋଷରେ ପ୍ରସ୍ତୁତ ସ୍ଫୁଟନିକ୍-ଭି ଟିକା ମଧ୍ୟ ଦିଆଯିବ । ବର୍ତ୍ତମାନ ଭାରତରେ କରୋନା ସଂକ୍ରମଣକୁ ରୋକିବା ପାଇଁ କୋଭିଶିଲ୍ଡ ଓ କୋଭାକ୍ସିନ୍ ଟିକା ଦିଆଯାଉଛି । କିନ୍ତୁ ଏବେ ରୁଷର ସ୍ପୁଟନିକ୍-ଭି ଟିକା ଭାରତରେ ପହଞ୍ଚିବା ପରେ ଏଠାରେ କରୋନା ଟିକାକରଣ ଅଭିଯାନ ଆହୁରି ଦ୍ରୁତ ହେବ ।

ମିଳିଥିବା ରିପୋର୍ଟ ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ଦେଢ଼ ଲକ୍ଷ ଡୋଜ୍ ଭାରତରେ ପହଞ୍ଚିଛି। ବାକି ୩୦ ଲକ୍ଷ ଡୋଜ ଚଳିତ ମାସ ଶେଷରେ ପହଞ୍ଚିବ। ସ୍ପୁଟନିକ୍-ଭି ଟିକା ପ୍ରଥମ ଡୋଜ୍ ନେବାର ୨୧ ଦିନ ପରେ ଦ୍ୱିତୀୟ ଟିକା ନେବାକୁ ପଡ଼ିବ । ଟିକା ନେବାର ୨୮ରୁ ୪୨ ଦିନ ଭିତରେ କରୋନା ଭାଇରସ୍ ବିରୋଧରେ ପ୍ରତିରୋଧକ କ୍ଷମତା ବିକଶିତ ହେବ ।

ଏପ୍ରିଲ୍‌ ମାସରେ ଭାରତରେ ରୁଷର କରୋନା ଟିକା ସ୍ପୁଟନିକ୍-ଭିର ଜରୁରୀକାଳୀନ ବ୍ୟବହାରକୁ ମଞ୍ଜୁରୀ ଦିଆଯାଇଥିଲା । ଭାରତରେ କେନ୍ଦ୍ରୀୟ ଔ‌ଷଧୀ ପ୍ରାଧିକରଣର ଏକ ବିଶେଷଜ୍ଞ କମିଟି ଦେଶରେ କିଛି ସର୍ତ୍ତ ସହ ରୁଷର କରୋନା ଟିକା ‘ସ୍ପୁଟନିକ୍-ଭି’ର ଜରୁରୀକାଳୀନ ବ୍ୟବହାର କରିବା ପାଇଁ ସୁପାରିସ୍ କରିଥିଲା, ଯାହା ଉପରେ ଡିସିଜିଆଇ ମୋହର ଲଗାଇଥିଲା। ଗମାଲେୟା ଇନଷ୍ଟିଚ୍ୟୁଟ୍ ଦୃଢ଼ତାର ସହ କହିଛି ଯେ କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଏପର୍ଯ୍ୟନ୍ତ ଯେଉଁସବୁ ଟିକା କାର୍ଯ୍ୟକାରୀ ହେଉଛି, ସେଥିମଧ୍ୟରୁ ସ୍ଫୁଟନିକ୍-ଭି ସବୁଠାରୁ ଅଧିକ ପ୍ରଭାବଶାଳୀ।

Leave A Reply

Your email address will not be published.