ଗୋଟିଏ ଟିକାର ଭିନ୍ନ ଭିନ୍ନ ଦାମ୍‌କୁ ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଯୋଗୁ ସୃଷ୍ଟି ହୋଇଥିବା ପରିସ୍ଥିତିର ଶୁଣାଣି କରୁଥିବା ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କରିଛନ୍ତି। ଗୋଟିଏ ପ୍ରକାରର କରୋନା ଟିକାର ଦାମ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ଭିନ୍ନ ଭିନ୍ନ କାହିଁକି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।

ଏଥିସହ ଦେଶରେ ଲକଡାଉନ, ଅକ୍ସିଜେନ ଆବଣ୍ଟନ ଓ ଔଷଧ ଉପଲବ୍ଧ କରାଇବାରେ କ’ଣ ସବୁ ଯୋଜନା କରାଯାଇଛି, ସେ ବିଷୟରେ ବି କେନ୍ଦ୍ର ସରକାରଙ୍କୁ ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି।

ଗତ ସପ୍ତାହରେ ସୁପ୍ରିମକୋର୍ଟ ନିଜ ଆଡ଼ୁ ଅକ୍ସିଜେନ ସପ୍ଲାଏ, ଡ୍ରଗ ସପ୍ଲାଏ ଓ କରୋନା ନିୟନ୍ତ୍ରଣ ପାଇଁ ହୋଇଥିବା ବ୍ୟବସ୍ଥାଗୁଡ଼ିକର ଶୁଣାଣି କରୁଛନ୍ତି। ଆଜି ଶୁଣାଣି ବେଳେ କୋର୍ଟ ସୋସାଲ ମିଡିଆରେ କରୋନା ସମ୍ପର୍କିତ ତଥ୍ୟ ପୋଷ୍ଟ କରୁଥିବା ଲୋକଙ୍କ ବିରୋଧରେ ପୁଲିସ୍‌ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ନାହିଁ ବୋଲି କହିଛନ୍ତି।

କୋର୍ଟଙ୍କ ମତରେ ଲୋକକମାନେ କରୋନା ସଂକ୍ରମଣ ସମୟରେ ଅକ୍ସିଜେନ, ବେଡ୍‌ର ଅଭାବନ ଓ ଚିକିତ୍ସା ସମ୍ପର୍କରେ ଯେକୌଣସି ଅଭିଯୋଗ ସୋଶାଲ ମିଡିଆରେ ପୋଷ୍ଟ କଲେ ମଧ୍ୟ ସେମାନଙ୍କୁ ଗିରଫ କରାଯାଇ ପାରିବ ନାହିଁ। ଯଦି କାହାକୁ ଗିରଫ କରାଯାଏ, ତା’ହେଲେ ଏହାକୁ ଅଦାଲତ ଅବମାନନା ଭାବେ ବିଚାର କରାଯିବ।

ଏଭଳି ଏକ ମାନବ ସଙ୍କଟ ପରିସ୍ଥିତିରେ ଯଦି ଅଭାବ ଓ ଆବଶ୍ୟକର ଖବର ସୋଶାଲ ମିଡିଆରେ ଆସିଥାଆନ୍ତା, ତା’ହେଲେ ଆମେ ନିଶ୍ଚିତ ଭଲ ସ୍ଥିତିରେ ରହିଥାଆନ୍ତୁ। ସେହିପରି ଉକ୍ତ ପୋଷ୍ଟ ଗୁଡ଼ିକ ଆଧାରରେ ସମସ୍ୟାର ସମାଧାନ ମଧ୍ୟ କରିପାରିଥାଆନ୍ତୁ ବୋଲି କୋର୍ଟ କହିଛନ୍ତି।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଏଲଏନ୍‌ ରାଓ ଓ ଜଷ୍ଟିସ ଏସ୍‌ଆର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଆମ ପାଖରେ ଏମିତି କିଛି ଆବେଦନ ପହଞ୍ଚିଛି, ଯାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗୋଟିଏ କମ୍ପାନୀର ଟିକା କେନ୍ଦ୍ର, ରାଜ୍ୟ ଓ ଘରୋଇ ହସ୍ପିଟାଲ ପାଇଁ ଭିନ୍ନଭିନ୍ନ ରହୁଛି।

ଏହା ପଛର କାରଣ କ’ଣ? ଏହା ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। କାହିଁକି ସରକାର ସବୁ ଟିକା କିଣି ଜାତୀୟ ସ୍ତରରେ ଶୃଙ୍ଖଳିତ ଢଙ୍ଗରେ ଟିକାକରଣ କରୁନାହାନ୍ତି? ସରକାର ଜାତୀୟ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ବିଚାର କରନ୍ତୁ। ସେହିପରି ବିଭିନ୍ନ ଟିକାକୁ ଦେଶର ସମସ୍ତ ନାଗରିକଙ୍କୁ ମାଗଣାରେ ଟିକାର ଦେବାର ବ୍ୟବସ୍ଥା ହେବା ଉଚିତ।

ଘରୋଇ ଟିକା ଉତ୍ପାଦନକାରୀ କମ୍ପାନୀ କେଉଁ ରାଜ୍ୟକୁ କେତେ ଟିକା ଦିଆଯିବ, ତା’ର ନିଷ୍ପତ୍ତି ନେଇପାରିବେ ନାହିଁ। ଟିକା ପାଇବାରେ କ’ଣ ଗୋଟିଏ ରାଜ୍ୟ ତୁଳନାରେ ଆଉ ଗୋଟିଏ ରାଜ୍ୟକୁ ଅଧିକ ଗୁରୁତ୍ୱ ଦିଆଯିବ? ଉତ୍ପାଦନକାରୀ କମ୍ପାନୀ କେମିତି ଟିକାର ସମାନ ଆବଣ୍ଟନ କରିବେ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଏହା ଶୁଣି କେନ୍ଦ୍ର ସରକାର ୧୮ରୁ ୪୫ ବର୍ଷ ବୟସର କେତେ ଲୋକ ରହିଛନ୍ତି, ତା’ର ତଥ୍ୟ କୋର୍ଟରେ ଦାଖଲ କରାଯିବ ବୋଲି କହିଛନ୍ତି।

ଲକଡାଉନ ସମ୍ପର୍କରେ ପ୍ରଶ୍ନ କରି କୋର୍ଟ କହିଛନ୍ତି, କ’ଣ କେନ୍ଦ୍ର ସରକାର କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଲକଡାଉନ ଲାଗୁ କରିବାକୁ ଯୋଜନା କରୁଛନ୍ତି କି? ଏହା ଉପରେ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରିବେ ବୋଲି କହିଛନ୍ତି। ବିଭିନ୍ନ ସ୍ଥାନରେ ଜୀବନ ରକ୍ଷାକାରୀ କରୋନା ଔଷଧ ରେମଡେସିଭିରର ଅଭାବ ଦେଖାଯାଉଛି। ଏହା ଉପରେ କୋର୍ଟ କହିଛନ୍ତି, ବର୍ତ୍ତମାନ ସମୟରେ ଆମେ ରେମଡେସିଭିର୍‌ର ପାଣ୍ଟେଟ ନିୟମ ବଦଳାଇ ପାରିବା। ଭାରତ ପଡ଼ୋଶୀ ବାଂଲାଦେଶ ଠାରୁ ରେମଡେସିଭିର ଔଷଧ ନିଜ ଦେଶରେ ଉତ୍ପାଦନ କରିବାକୁ ଅନୁମତି ମଧ୍ୟ ଆଣିପାରିବ।

ଅକ୍ସିଜେନ ସପ୍ଲାଏ ଟ୍ୟାଙ୍କର ଓ ସିଲିଣ୍ଡର ଆବଶ୍ୟକ କରୁଥିବା ଲୋକଙ୍କ ପାଖରେ ପହଞ୍ଚାଇବାକୁ କ’ଣ ସବୁ ବ୍ୟବସ୍ଥା କରାଯାଇଛି? ଦେଶରେ ଦୈନିକ ପ୍ରାୟ ୮,୫୦୦ ମେଟ୍ରିକ ଟନ୍‌ର ଅକ୍ସିଜେନ ଆବଶ୍ୟକ ପଡ଼ୁଛି। କ’ଣ କେନ୍ଦ୍ର ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ରହିଛି ବୋଲି କୋର୍ଟ ପ୍ରଶ୍ନ କରିଥିଲେ। ଏହା ଶୁଣି ସଲିସିଟର ଜେନେରାଲ କହିଥିଲେ, ଦୈନିକ ଆମ ପାଖରେ ୧୦,୦୦୦ ମେଟ୍ରିନ ଟନ୍‌ ଅକ୍ସିଜେନ ଉପଲବ୍ଧ ହେଉଛି। ଭାରତରେ ଅକ୍ସିଜେନର କୌଣସି ଅଭାବ ନାହିଁ। ତେବେ କିଛି ସ୍ଥାନରେ ରାଜ୍ୟ ସରକାରଙ୍କ ଅବହେଳା ପାଇଁ ଅଭାବ ସୃଷ୍ଟି ହେଉଛି।

 

 

Comments are closed.