ଆଖି ବୁଜିଲେ ଆଜ୍‌ ତକ୍‌ର ସମ୍ବାଦ ଉପସ୍ଥାପକ ରୋହିତ ସରଦାନା

ନୂଆଦିଲ୍ଲୀ, ୩୦।୪: ଆଉ ଶୁଣିବାକୁ ମିଳିବନି ଦଙ୍ଗଲ୍‌ର ସେଇ ଦମ୍‌ଦାର୍‌ ସ୍ବର। ‘ନମସ୍କାର ଆପ୍ ଦେଖ ରହେ ହେଁ ଆଜ ତକ, ମେ ହୁଁ ଆପକେ ରୋହିତ ସରଦାନା, ସାମ କେ ପାଞ୍ଚ ବଜ ରହେ ହେଁ। ଅବ ଓ୍ୱକ୍ତ ହୋ ଚଲା ହେ ଦଙ୍ଗଲକା’… ଏହି ଡାଏଲଗ ଯୋଗୁ ଘରେ ଘରେ ପରିଚିତ ହୋଇ ପାରିଥିବା ‘ଆଜ ତକ’ର ନ୍ୟୁଜ ଆଙ୍କର ରୋହିତ ସରଦାନା (୪୨) କରୋନାରେ ଆଖି ବୁଜିସାରିଛନ୍ତି।

କୋଭିଡ ପଜିଟିଭ୍ ହେବା ପରେ ତାଙ୍କର ହୃଦଘାତ ହେବାରୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତାଙ୍କର ଦୁଇ ଝିଅ ଓ ପତ୍ନୀ ରହିଛନ୍ତି। ସେ ଦିଲ୍ଲୀରେ ପରିବାର ବର୍ଗଙ୍କ ସହ ରହୁଥିଲେ। ରୋହିତ ସଂକ୍ରମିତ ହୋଇ ସୁସ୍ଥ ହେଉଥିଲେ। ଗୁରୁବାର ରାତିରେ ନିଜର ସହକର୍ମୀଙ୍କୁ ଫୋନ୍ କରି କଥା ମଧ୍ୟ ହୋଇଥିଲେ। ହେଲେ ବିଳମ୍ୱିତ ରାତିରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ନୋଏଡାର ମେଟ୍ରୋ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ହୃଦଘାତ ହେବାରୁ ତାଙ୍କର ବିୟୋଗ ହୋଇଛି।

ହରିଆଣାର କୁରୁକ୍ଷେତ୍ର ନିବାସୀ ରୋହିତ ସରଦାନା ଅନେକ ଥର ବେଷ୍ଟ ଆଙ୍କର ଆଓ୍ୱାର୍ଡ ମଧ୍ୟ ପୁରସ୍କୃତ ହୋଇଛନ୍ତି। ରୋହିତ ଦେଶର ଅନ୍ୟତମ ଲୋକପ୍ରିୟ ଆଙ୍କର। ସେ ପ୍ରଥମେ ତାଙ୍କର କ୍ୟାରିଅର ଅଲ୍ ଇଣ୍ଡିଆ ରେଡିଓରୁ ଆରମ୍ଭ କରିଥିଲେ। ଏହାପରେ ଇଟାଓ୍ୱା, ସାହାରା ସମୟ, ଜି ନ୍ୟୁଜ ପରେ ୨୦୧୮ରେ ଆଜତକରେ ଯୋଗ ଦେଇଥିଲେ।

‘ଆଜ ତକ୍’ ପୂର୍ବରୁ ସେ ଜୀ ନ୍ୟୁଜରେ ଥିଲେ। ଜି ନ୍ୟୁଜର ସମ୍ପାଦକ ସୁଧୀର ଚୌଧୁରୀ ଟ୍ୱିଟ୍ କରି ରୋହିତଙ୍କ ବିୟୋଗ ବାବଦରେ ସୂଚନା ଦେଇଛନ୍ତି। ସୁଧୀର ଟ୍ୱିଟ୍ କରି କହିଛନ୍ତି, ତାଙ୍କୁ ତାଙ୍କର ସହଯୋଗୀ ଜିତେନ୍ଦ୍ର ଶର୍ମା ଫୋନ୍ କରି ରୋହିତଙ୍କ ବିୟୋଗ ବାବଦରେ ସୂଚନା ଦେଇଥିଲେ। ସେ ଏହି ଖବର ଶୁଣି ମର୍ମାହତ। ନିଜର ବନ୍ଧୁ ତଥା ସହକର୍ମୀ ରୋହିତଙ୍କ ମୃତ୍ୟୁ ଖବରକୁ ସେ ଆକଳନ କରିପାରୁ ନାହାନ୍ତି ବୋଲି କହିଛନ୍ତି।

Comments are closed.