ବିଶ୍ବର ଦୀର୍ଘତମ ଜାହାଜର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ: ୩୨୦୦ କିଲୋମିଟର କରିବ ଯାତ୍ରା

0

ନୂଆଦିଲ୍ଲୀ, ୧/୧: ବିଶ୍ବର ଦୀର୍ଘତମ ଜାହାଜର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜାନୁଆରୀ ୧୩ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୋଦୀ କ୍ରୁଜ୍‌ର ଉଦ୍‌ଘାଟନ କରିବେ। ଏହି କ୍ରୁଜ୍ ଉତ୍ତରପ୍ରଦେଶର ବାରାଣାସୀରୁ ଆରମ୍ଭ ହୋଇ ବାଂଲାଦେଶ ଦେଇ ଆସାମର ଦିବ୍ରୁଗଡରେ ଯାତ୍ରା ଶେଷ କରିବ। ୫୦ ଦିନରେ, ଏହି କ୍ରୁଜ୍ ଗଙ୍ଗା-ଭାଗୀରଥୀ-ହୁଗୁଲି, ବ୍ରହ୍ମପୁତ୍ର ଏବଂ ପଶ୍ଚିମ ତଟ କେନାଲ ସମେତ ୨୭ ଟି ନଦୀ ଦେଇ ୩୨୦୦ କିଲୋମିଟର ଯାତ୍ରା କରିବ।

ଉଲ୍ଲେଖନୀୟ କଥା ହେଉଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୩୦ରେ କହିଥିଲେ ଯେ ଏହି କ୍ରୁଜ୍ ବିଶ୍ୱର ସବୁଠାରୁ ଅନନ୍ୟ କ୍ରୁଜ୍ ହେବ। ଏହା ଭାରତର ବୃଦ୍ଧି ପାଉଥିବା ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ। ଏହି ସୁଯୋଗରସମ୍ପୂର୍ଣ୍ଣ ଫାଇଦା ନେବାକୁ ମୁଁ ପଶ୍ଚିମବଙ୍ଗର ଲୋକଙ୍କୁ ନିବେଦନ କରୁଛି ବୋଲି କହିଛନ୍ତି ମୋଦୀ। । ପଶ୍ଚିମବଙ୍ଗ ପାଇଁ ଅନେକ ଯୋଜନା ଉଦ୍ଘାଟନ କରୁଥିବାବେଳେ ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ଏପରି କହିଛନ୍ତି। ଏହି କାର୍ଯ୍ୟକ୍ରମ ସମୟରେ ସେ ୧୩ ତାରିଖରେ ହେବାକୁ ଥିବା ଉଦ୍‌ଘାଟନି ଉତ୍ସବ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ।

ସୂଚନା ଅନୁଯାୟୀ, ଏହି ଯାତ୍ରା ସମୟରେ ଏହି କ୍ରୁଜ୍ ଅନେକ ଐତିହ୍ୟ ସ୍ଥଳ ସମେତ ୫୦ଟି ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କରାଇବ। ଏଥିରେ ବାରାଣାସୀର ଗଙ୍ଗା ଆରତୀ, କାଜିରଙ୍ଗା ଜାତୀୟ ଉଦ୍ୟାନ ଏବଂ ସୁନ୍ଦରବନ ଅନ୍ତର୍ଭୁକ୍ତ। ଏହି କ୍ରୁଜ୍ ବାଂଲାଦେଶରେ ପ୍ରାୟ ୧୧୦୦ କିଲୋମିଟର ଯାତ୍ରା କରିବ। ଟାଇମ୍ସ ଅଫ୍ ଇଣ୍ଡିଆର ଖବର ଅନୁଯାୟୀ, ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣର ଜଣେ ଅଧିକାରୀ କହିଛନ୍ତି ଯେ ଏହି କ୍ରୁଜ୍ ଏକ ଘରୋଇ କମ୍ପାନୀ ଦ୍ୱାରା ପରିଚାଳିତ ହେବ। ବର୍ତ୍ତମାନ ଜଳପଥର ବିକାଶ ଉପରେ କେନ୍ଦ୍ର ସରକାରଙ୍କ ସମ୍ପୂର୍ଣ୍ଣ ଧ୍ୟାନ ରହିଛି। ବିଭାଗ ଏହା ଉପରେ ଅଧିକ ଗମ୍ଭୀରତାର ସହ କାର୍ଯ୍ୟ କରୁଛି। ଏହି କ୍ରୁଜ୍ ର ସଫଳତା ପାଇଁ ସମସ୍ତ ପ୍ରକାର ସୁବିଧାସୁଯୋଗ ଉପଲବ୍ଧ ରହିଛି।

ବନ୍ଦର, ପରିବହନ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ନିକଟରେ କହିଛନ୍ତି ଯେ ଉପକୂଳ-ନଦୀ ପରିବହନ, କ୍ରୁଜ୍ ସେବା କେନ୍ଦ୍ର ସରକାରଙ୍କ ପ୍ରମୁଖ ପ୍ରାଥମିକତା ମଧ୍ୟରେ ରହିଛି। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଦେଶରେ ୧୦୦ଟି ଜଳପଥ ନିର୍ମାଣ ପାଇଁ କେନ୍ଦ୍ର ସରକାର ଦାୟିତ୍ବ ଗ୍ରହଣ କରିଛନ୍ତି। ଏହା ସହିତ ତମାମ ଜଳପଥରେ କ୍ରୁଜ୍ ଜାହାଜ ଚଳାଇବା ପାଇଁ ମଧ୍ୟ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

Leave A Reply

Your email address will not be published.