କାଲି ଭାରତ ବନ୍ଦ; ସ୍କୁଲ୍‌, କଲେଜ ବନ୍ଦ ରହିବ, କଂଗ୍ରେସ, ବାମଦଳର ସମର୍ଥନ

ଭୁବନେଶ୍ବର,୨୫/୩ : ତିନିଟି କୃଷି ଆଇନ୍ ବିଲ୍ ପ୍ରତ୍ୟାହାର ଦାବିରେ ଗତ ୪ ମାସ ଧରି ଚାଷୀମାନେ ଦିଲ୍ଲୀରେ ଆନ୍ଦୋଳନ କରିଆସୁଛନ୍ତି। ମାର୍ଚ୍ଚ ୨୬ ତାରିଖରେ ଏହି ଆନ୍ଦୋଳନକୁ ୧୨୦ ଦିନ ପୂରିବ। ଏଥି ପାଇଁ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଶୁକ୍ରବାର ଦିନ ‘ଭାରତ ବନ୍ଦ’ ଡାକରା ଦିଆଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଭାରତ ବନ୍ଦ ରହିବ।
ଓଡ଼ିଶାରେ ବନ୍ଦକୁ ସଫଳ କରିବା ପାଇଁ ବିଭିନ୍ନ କୃଷକ ସଂଗଠନ ଆବଶ୍ୟକ ପ୍ରସ୍ତୁତି କରିଛନ୍ତି। ‘ଭାରତ ବନ୍ଦ’ ସମୟରେ ରାଜ୍ୟର ପ୍ରମୁଖ ହାଟ, ବଜାର ବନ୍ଦ ରହିବ ବୋଲି ସୂଚନା ମିଳିଛି। ଯାତ୍ରୀ ଓ ମାଲ୍‌ ପରିବହନ ମଧ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ଟ୍ରେନ୍‌ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇପାରେ। ଆନ୍ଦୋ‌ଳନକାରୀମାନେ ଜାତୀୟ ରାଜପଥ, କେନ୍ଦ୍ରୀୟ କାର୍ଯ୍ୟାଳୟ ସାମ୍ନା ଓ ଟ୍ରେନ୍‌ ଲାଇନ୍‌ରେ ପିକେଟିଂ କରିବାର ସମ୍ଭାବନା ରହିଛି। ବନ୍ଦ ପାଳନ ବେଳେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ, ସେଥି ପାଇଁ ପୁଲିସ୍ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି।
ଭାରତ ବନ୍ଦକୁ କଂଗ୍ରେସ ସମର୍ଥନ କରିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ କୃଷକମାନେ କୃଷି ଆଇନକୁ ବିରୋଧ କରିବା ସମ୍ପୂର୍ଣ୍ଣ ଯୁକ୍ତିସଙ୍ଗତ। ଦୀର୍ଘ ଦିନ ଧରି କଳା କୃଷି ଆଇନ ପ୍ରତ୍ୟାହାର ଦାବିରେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଆନ୍ଦୋଳନ, ଧର୍ମଘଟ ଜାରି ରହିଥିଲେ ମଧ୍ୟ କେନ୍ଦ୍ର ସରକାର ସେଥି ପ୍ରତି ଦୃଷ୍ଟି ନ ଦେବା ଦୁଃଖର ବିଷୟ। ସେଥି ପାଇଁ ରାଜ୍ୟ ଓ ଜିଲ୍ଲା ସ୍ତରରେ କଂଗ୍ରେସ ଏହି ବନ୍ଦକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି। ‘ଭାରତ ବନ୍ଦ’କୁ ବାମ ଦଳ ଓ କେନ୍ଦ୍ରୀୟ ଶ୍ରମିକ ସଂଗଠନଗୁଡ଼ିକ ସମର୍ଥନ କରିଛନ୍ତି।
‘ଭାରତ ବନ୍ଦ’ ପାଇଁ ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ ସବୁ ବନ୍ଦ ରହିବ। ଆଜି ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ସନ୍ଧ୍ୟାରେ ଏହି ଘୋଷଣା କରାଯାଇଛି।

Comments are closed.