ନାବାଳକ ସ୍କୁଟି ଚାଳକଙ୍କୁ ୨୬ ହଜାର ତଣ୍ଡ

0

ଭୁବନେଶ୍ବର, ୯।୧୨: ନାବାଳକଙ୍କୁ ବିନା ହେଲ୍‌ମେଟ୍‌ରେ ସ୍କୁଟି ଚଲାଇବା ପଡ଼ିଛି ମହଙ୍ଗା। ଟ୍ରାଫିକ୍‌ ପୁଲିସ ୨୬ ହଜାର ଟଙ୍କାର ମୋଟା ଅଙ୍କର ଫାଇନ୍‌ କାଟିଛି। ଭୁବନେଶ୍ବର ଖଣ୍ଡଗିରି ଛକରେ ବିନା ହେଲ୍‌ମେଟ୍‌ରେ ସ୍କୁଟି ଚଲାଉଥିବା ବେଳେ ଧରାପଡ଼ିଛନ୍ତି ଏହି ନାବାଳକ ଜଣକ।

ଗାଡ଼ିଚାଳକ ଜଣକ ନାବାଳକ ହୋଇଥିବା ‌ବେଳେ ତାଙ୍କ ପଛରେ ବସିଥିବା ବ୍ୟକ୍ତି ଜଣକ ବି ହେଲ୍‌ମେଟ୍‌ ପିନ୍ଧିନଥିଲେ। ୧୮ ବର୍ଷରୁ କମ୍‌ ହୋଇ ଗାଡ଼ି ଚଲାଇବା, ଡ୍ରାଇଭିଂ ଲାଇସେନ୍‌ସ୍‌ ନଥିବା ଓ ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଲାଇବା ବାବଦକୁ ପୁଲିସ ୨୫ ହଜାର ଟଙ୍କାର ଫାଇନ୍‌ କାଟିଥିବ‌ା ବେଳେ ପଛରେ ବସିଥିବା ବ୍ୟକ୍ତିଜଣକ ହେଲ୍‌ମେଟ୍‌ ପିନ୍ଧିନଥିବାରୁ ଆଉ ୧ ହଜାର ଟଙ୍କାର ଜରିମାନା କରିଛି ଟ୍ରାଫିକ୍‌ ପୁଲିସ।

ସୂଚନା ଅନୁସାରେ, ଜାନୁଆରୀ ପହିଲାରୁ ପୁଣି ଟ୍ରାଫିକ୍‌ ନିୟମ କଡ଼ାକଡ଼ି ହୋଇଥିବାବେଳେ ଏଣିକି ଉଭୟ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ହେଲମେଟ୍‌ ପିନ୍ଧିବା ବାଧ୍ୟତାମୂଳକ ହୋଇଛି। କେବଳ କଥାରେ ନୁହେଁ, ଏଥର ନିୟମକୁ କଡ଼ାକଡ଼ି କରାଯିବ ବୋଲି ସୂଚନା ଦିଆଯାଇଛି। ଆଇନ ୨୦୧୯ରୁ ପାସ୍‌ ହେଲାଣି। କରୋନା ପାଇଁ କାର୍ଯ୍ୟକାରୀ ହୋଇନଥିଲା ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗତକାଲି ସୂଚନା ଦେଇଥିଲେ।

ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ସୂଚନା ଦିଆଯାଇଥିଲେ। ଦୁଇ ଜଣ ଯାକ ହେଲମେଟ୍ ନପିନ୍ଧିଲେ ଲାଇସେନ୍ସ ରଦ୍ଧ ହେବ ବୋଲି କୁହାଯାଇଥିଲା । ଏହି ନୂଆ ନିୟମ, ଯେ କୌଣସି ମୂହୁର୍ତରେ ବି ଲାଗୁ ହୋଇପାରେ ବୋଲି ମଧ୍ୟ କୁହାଯାଇଥିଲା।ମୋଟର ଯାନ ଆକ୍ଟ ୨୦୧୯ ଆଧାରରେ ଏହି ନିୟମ ରାଜ୍ୟରେ କଡାକଡି ପାଳନ କରାଯିବ ବୋଲି ରାଜ୍ୟ ପରିବହନ ପ୍ରାଧୀକରଣ(ଏସଟିଏ) ପକ୍ଷରୁ ଶନିବାର ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଥିଲା ।

ଆଜି ମନ୍ତ୍ରୀ ପଦ୍ମନାଭ ବେହେରା ଏନେଇ ସୂଚନା ଦେଇ କହିଛନ୍ତି ଯେ, ଜାନୁଆରୀ ପହିଲାରୁ ଟ୍ରାଫିକ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଏଣିକି ଉଭୟ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ହେଲମେଟ୍‌ ପିନ୍ଧିବା ବାଧ୍ୟତାମୂଳକ । ତେବେ ଏହି ନୂଆ ନିୟମ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ନିଆଯାଇଥିବା କୁହାଯାଉଛି । ପୂର୍ବରୁ ମୋଟର ସାଇକେଲ ଚଳାଉଥିବା ଚାଳକ ହିଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ଥିଲା । ତେବେ ଜାନୁଆରୀ ପହିଲାରୁ ଉଭୟ ଚାଳକ ଏବଂ ସହଯାତ୍ରୀଙ୍କୁ ହେଲମେଟ୍ ପିନ୍ଧିବାକୁ ପଡ଼ିବ । ହେଲେ କୋଭିଡ୍-୧୯ ମହାମାରୀ କାରଣରୁ ଏହି ନିୟମକୁ ରାଜ୍ୟରେ ଲାଗୁ କରାଯାଇ ପାରିନଥିଲା । ବର୍ତ୍ତମାନ କରୋନା ପରିସ୍ଥିତିରେ ସୁଧାର ଆସିବା ପରେ ମୋଟର ଯାନ ଆଇନକୁ କଡା କଡି ଭାବେ ପାଳନ କରାଯିବା ପାଇଁ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ।

 

 

Leave A Reply

Your email address will not be published.