ରୋବଟ୍ ସହାୟତାରେ ସମ୍ ହସ୍ପିଟାଲ୍‌ରେ ଆଣ୍ଠୁ ପ୍ରତ୍ୟାରୋପଣର ସଫଳ ଅସ୍ତ୍ରୋପଚାର

0

ଭୁବନେଶ୍ୱର, ୮।୭: ବର୍ତ୍ତମାନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ରୋବଟ୍ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ କରାଯାଉଛି । ଏହି ପଦ୍ଧତିରେ ଅସ୍ତ୍ରୋପଚାର ଅଧିକ ସଫଳ ହେଉଛି ଏବଂ ଅଳ୍ପ ଦିନ ମଧ୍ୟରେ ରୋଗୀ ସୁସ୍ଥ ହେଉଛନ୍ତି ।

ପାରମ୍ପରିକ ଆଣ୍ଠୁ ପ୍ରତ୍ୟାରୋପଣ ପ୍ରକ୍ରିୟା ଓ ରୋବଟ ସହାୟତାର ପ୍ରକ୍ରିୟା ସମାନ ଅଟେ । ପ୍ରତ୍ୟାରୋପଣରେ ଆଣ୍ଠୁରେ ନଷ୍ଟ ହୋଇଯାଇଥିବା ତନ୍ତୁଗୁଡ଼ିକୁ ବାହାର କରାଯାଇ କୃତ୍ରିମ ଗଣ୍ଠି ଯୋଡା ଯାଇଥାଏ । ତେବେ ରୋବୋଟିକ ଆର୍ମ ସହାୟତାରେ ହେଉଥିବା ଅସ୍ତ୍ରୋପଚାରକୁ ସଫ୍ଟୱେୟାର ଏବଂ ସର୍ଜନ ନିୟନ୍ତ୍ରଣ କରିଥାନ୍ତି ବୋଲି ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ଅସ୍ଥିଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଅନିରୁଦ୍ଧ ଦାଶ ସୂଚନା ଦେଇଛନ୍ତି ।
ଜଟିଳ ସମସ୍ୟା ଥିବା କ୍ଷେତ୍ରରେ ରୋବଟ୍ ସହାୟତାରେ କରାଯାଉଥିବା ଆଣ୍ଠୁ ପ୍ରତ୍ୟାରୋପଣ ପ୍ରକ୍ରିୟା ଦ୍ୱାରା ଆଣ୍ଠୁ ଚତୁଃପାଶ୍ୱର୍ରେ ଥିବା କୋମଳ ତନ୍ତୁଗୁଡ଼ିକର ପ୍ରତ୍ୟାରୋପଣ ଓ ଗଣ୍ଠିର ଉତ୍ତମ ସଜ୍ଜିକରଣ ହୋଇପାରିଥାଏ ବୋଲି ସେ କହିଛନ୍ତି ।

ଓଡ଼ିଶାରେ ପ୍ରଥମ ଥର ପାଇଁ ଏକ ମେଡିକାଲ୍ କଲେଜ ହସ୍ପିଟାଲ୍ (ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌)ରେ ରୋବଟ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର କରାଯାଉଥିବା ବେଳେ ଭବିଷ୍ୟତରେ ଏହି ଉପାୟ ଅବଲମ୍ବନ କରାଯିବ ବୋଲି ପ୍ରଫେସର ଦାଶ କହିଛନ୍ତି । ଚିରାଚରିତ ଢ଼ଙ୍ଗରେ କରାଯାଉଥିବା ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ଓ ରୋବଟ୍ ସହାୟତାରେ କରାଯାଉଥିବା ଅସ୍ତ୍ରୋପଚାର ମଧ୍ୟରେ କିଛି ଫରକ ନାହିଁ । ତେଣୁ ରୋବଟ୍ ସହାୟତାରେ ଅସ୍ତ୍ରୋପଚାର ନିମନ୍ତେ ପ୍ରସ୍ତୁତ ହେଉଥିବା ରୋଗୀଙ୍କୁ ଅଲଗା ଭାବେ ପ୍ରସ୍ତୁତ ହେବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି ।
ତେବେ କେଉଁମାନେ ରୋବୋଟିକ୍ ଆଣ୍ଠୁ ପ୍ରତ୍ୟାରୋପଣ କରିପାରିବେ ସେ ନେଇ ପ୍ରଫେସର ଦାଶ କହିଛନ୍ତି ଯେ ସାଧାରଣ ଭାବେ ଆଣ୍ଠୁ ପ୍ରତ୍ୟାରୋପଣ ଆବଶ୍ୟକ କରୁଥିବା ବ୍ୟକ୍ତି ମଧ୍ୟ ରୋବଟ୍ ସହାୟତାରେ ଏହା କରାଇପାରିବେ । ଆଣ୍ଠୁ ଗଣ୍ଠିରେ ସମସ୍ୟା ଥିବା ଏବଂ କୌଣସି ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ରୋବଟ୍ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ ପ୍ରକ୍ରିୟା ଖୁବ୍ ଲାଭଦାୟକ ବୋଲି ସେ କହିଛନ୍ତି ।

ଏହାଛଡ଼ା ଏହି କ୍ଷେତ୍ରରେ ରୋବୋଟିକ ଅସ୍ତ୍ରୋପଚାର ସାଧାରଣ ଅସ୍ତ୍ରୋପଚାର ଅପେକ୍ଷା ଉତ୍ତମ ଫଳ ଦେଇଥାଏ କାରଣ ଏହାକୁ ପୂର୍ବରୁ ପରିକଳ୍ପନା କରାଯାଇ ନିର୍ଭୁଲ ଭାବେ କରାଯାଇପାରେ । ସ୍ୱତନ୍ତ୍ର ଥ୍ରୀଡି ଇମେଜ ନିଆଯାଇ ରୋବୋଟିକ୍ ଅସ୍ତ୍ରୋପଚାର କରାଯାଇଥାଏ । ଏହି ଇମେଜଗୁଡ଼ିକ ସର୍ଜନଙ୍କୁ ଉପଯୁକ୍ତ ଭାବେ ପ୍ରତ୍ୟାରୋପଣରେ ସହାୟକ ହୋଇଥାଏ ।

ରୋବୋଟିକ୍ ଟେକ୍ନୋଲୋଜି ଦ୍ୱାରା ସର୍ଜନମାନେ ପ୍ରତ୍ୟାରୋପଣ ନେଇ ଅଧିକ ଦକ୍ଷ ହୋଇପାରନ୍ତି । ଏହା ଦ୍ୱାରା ଶୀଘ୍ର ରୋଗୀ ସୁସ୍ଥ ହୋଇଥାଏ, ଖୁବ୍ କମ୍ ସମସ୍ୟା ଦେଖାଦେଇଥାଏ ଏବଂ ଆଉ ଥରେ ଅସ୍ତ୍ରୋପଚାରର ଆବଶ୍ୟକତା କମ୍ ଥାଏ ବୋଲି ପ୍ରଫେସର ଦାଶ କହିଛନ୍ତି ।

ତେବେ ଏହି ଅସ୍ତ୍ରୋପଚାରରେ କେବଳ ରୋବଟ୍ କାମ କରେ ନାହିଁ ସେ କେବଳ ସର୍ଜନମାନଙ୍କୁ ଅସ୍ତ୍ରୋପଚାରରେ ସାହାଯ୍ୟ କରିଥାଏ ବୋଲି ଡାକ୍ତର ଦାଶ କହିଛନ୍ତି । ପାରମ୍ପରିକ ଅସ୍ତ୍ରୋପଚାରରେ ସବୁକିଛି ସର୍ଜନଙ୍କ ନିୟନ୍ତ୍ରଣରେ ଥାଏ । ତେବେ ରୋବୋଟିକ୍ ସର୍ଜରୀ ଦ୍ୱାରା ଅଧିକ ସୁଫଳ ମିଳିଥାଏ ବୋଲି ସେ କହିଛନ୍ତି ।

 

Leave A Reply

Your email address will not be published.