ଶହେ ବର୍ଷ ପରେ ମହାପ୍ରଭୁଙ୍କ ନାମକୁ ଫେରିଲା ୧୦୬୦ କୋଟି ଟଙ୍କାର ୮୧ ଏକର ଜମି

0

କଟକ, ୨୯/୧୧: ପ୍ରାୟ ୧୦୦ ବର୍ଷ ପରେ ରାଜସ୍ୱ ରେକର୍ଡରେ ଥିବା ଅସଙ୍ଗତିର ଅନ୍ତ ଘଟିବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ରେକର୍ଡ ହୋଇଛି ୮୧ ଏକରରୁ ଊର୍ଦ୍ଧ୍ୱ ମୂଲ୍ୟବାନ ଜମି। ପୁରୀ ସହରର ସମଙ୍ଗରା ମୌଜାରେ ଥିବା ଏହି ଜମିର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୦୬୦ କୋଟି ଟଙ୍କା। ରାଜସ୍ୱ ପର୍ଷଦ ସଦସ୍ୟ ସତ୍ୟବ୍ରତ ସାହୁଙ୍କ ଏକ ଐତିହାସିକ ନିର୍ଦ୍ଦେଶ ପରେ ପୁରୀ ତହସିଲଦାର ଜମିର ମାଲିକାନା ରେକର୍ଡ ସଂଶୋଧନ ପାଇଁ ପଦକ୍ଷେପ ନେଇଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଇନଜୀବୀ ଅମ୍ବିକା ପ୍ରସାଦ ମିଶ୍ର ଏବଂ ସରକାରଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ଶଙ୍କର ଦାସ ମାମଲା ପରିଚାଳନା କରୁଥିଲେ।

ସୂଚନା ଅନୁସାରେ, ପୁରୀ ମହାନଗର ନିଗମ ଅନ୍ତର୍ଗତ ସମଙ୍ଗରା ମୌଜାରେ, ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲ ନିକଟରେ ଏହି ଜମି ଅବସ୍ଥିତ। ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ନିକଟରେ ଥିବାରୁ ଏହି ଅଞ୍ଚଳର ଗୁରୁତ୍ୱ ଅଧିକ। ଏହି ଜମିର ମାଲିକାନାକୁ ନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ରାଜସ୍ୱ ପର୍ଷଦରେ ଦୁଇଟି ମାମଲା ଦାୟର କରାଯାଇଥିଲା। ଏହାର ବିଚାର କରି ରାଜସ୍ୱ ପର୍ଷଦର ସଦସ୍ୟ ମନ୍ଦିର ପ୍ରଶାସନ ସପକ୍ଷରେ ରାୟ ଦେଇଛନ୍ତି। ଜମିର ସ୍ୱତ୍ୱଲିପି ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ ମାର୍ଫତ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ପୁରୀଙ୍କ ନାମରେ ସଂଶୋଧନ କରିବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ମହାପ୍ରଭୁଙ୍କ ଐତିହାସିକ ‘ସତେଇଶ ହଜାରୀ ମାହାଲ’ ଜମି ଏବଂ ପାରମ୍ପରିକ ‘କଳା ବେଠିଆ ସେବା’ରୁ ଏହି ବିବାଦର ସୂତ୍ରପାତ ହୋଇଥିଲା। ମନ୍ଦିର ପ୍ରଶାସନର ଯୁକ୍ତି ଅନୁସାରେ, ରଥଯାତ୍ରା ସମୟରେ କଳା ବେଠିଆ ସେବା କରିବା ବଦଳରେ କେତେକ ସେବାୟତଙ୍କୁ ଏହି ଜମିର ଭୋଗଦଖଲ ଅଧିକାର ଦିଆଯାଇଥିଲା। ଅର୍ଥାତ୍ ଜମି ଉପରେ ସେମାନଙ୍କ ଅଧିକାର ସେବା ସହ ଜଡ଼ିତ ଥିଲା। ତେବେ ୧୯୨୭ ମସିହାର ସାବିକ ବନ୍ଦୋବସ୍ତ ସମୟରେ ଏହି ଜମିକୁ ସ୍ଥିତିବାନ କିସମରେ ରେକର୍ଡ କରାଯାଇଥିଲା। ପରବର୍ତ୍ତୀ ସମୟରେ ୧୯୩୯ ମସିହାର ନିଲାମ ବିକ୍ରି ଓ ୧୯୪୨ ମସିହାର ଅଣପଞ୍ଜୀକୃତ ଲିଜ୍‌ ଦଲିଲ ଆଧାରରେ ବିଭିନ୍ନ ପକ୍ଷ ଜମି ଉପରେ ନିଜ ନିଜର ମାଲିକାନା ଦାବି କରିଥିଲେ। ପରବର୍ତ୍ତୀ ସମୟରେ ରାଜସ୍ୱ ରେକର୍ଡରେ ମଧ୍ୟ ସେମାନଙ୍କ ନାମ ରହିଥିଲା।

ରାଜସ୍ୱ ପର୍ଷଦ ଏହି ମାମଲାରେ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଏବଂ ସୁପ୍ରିମକୋର୍ଟଙ୍କ ଏକ ଶୁଣାଣିକୁ ଆଧାର କରି ବିଚାର କରିଥିଲେ। ପୁରୀ ତହସିଲଦାରଙ୍କ କ୍ଷେତ୍ର ତଦନ୍ତ ରିପୋର୍ଟରେ ୪୮ଟି ପ୍ଲଟ୍‌ର ସ୍ଥିତି ସମ୍ପର୍କରେ ତଥ୍ୟ ଦିଆଯାଇଥିଲା। ଏଥିରୁ ଅନେକ ଜମିରେ ବିଭିନ୍ନ ବ୍ୟକ୍ତି ବିନା ଆଇନଗତ ଅଧିକାର କିମ୍ବା ଅନୁମତିରେ ଜବରଦଖଲ କରିଥିବା ଜଣାପଡ଼ିଥିଲା। ପର୍ଷଦ ସ୍ପଷ୍ଟ କରିଛନ୍ତି ଯେ ବହୁଦିନ ଧରି ଜମି ଦଖଲରେ ରହିବା କିମ୍ବା ସେଠାରେ ନିର୍ମାଣ କରିବା ଦ୍ୱାରା ଆଇନଗତ ମାଲିକାନା ସୃଷ୍ଟି ହୁଏ ନାହିଁ। ସେହିପରି ରାଜସ୍ୱ ରେକର୍ଡରେ ବହୁଦିନ ଧରି କାହାରି ନାମ ରହିବା ମଧ୍ୟ ମାଲିକାନାର ପ୍ରମାଣ ନୁହେଁ। ସମସ୍ତ ଦସ୍ତାବିଜ, ଐତିହାସିକ ପ୍ରମାଣ ଓ ଆଇନଗତ ଦିଗର ଅନୁଧ୍ୟାନ ପରେ ରାଜସ୍ବ ପର୍ଷଦ ମନ୍ଦିର ପ୍ରଶାସନର ଦାବିକୁ ଗ୍ରହଣ କରିଛନ୍ତି। ରାୟ ପରେ ପୁରୀ ତହସିଲଦାର ମଧ୍ୟ ସମ୍ପୃକ୍ତ ଜମିର ସୁରକ୍ଷା ଦିଗରେ ପ୍ରଶାସନିକ ପଦକ୍ଷେପ ଆରମ୍ଭ କରିଛନ୍ତି।

 

Leave A Reply

Your email address will not be published.