ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ୨୧ ଜିଲ୍ଲା ସାମିଲ

ବାଲେଶ୍ବରର ୨୦ ଓ ଭଦ୍ରକର ୧୧ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡର ସୁବିଧା

0

ବାଲେଶ୍ବର,୨୬।୧୧:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ବାଲେଶ୍ବର ଓ ଭର୍ଚୁଆଲ ମାଧ୍ୟମରେ ଭଦ୍ରକ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ବାଲେଶ୍ବରର ୨୦ ଲକ୍ଷ  ଲୋକ ଏହି ସୁବିଧା ପାଇବା ବେଳେ ଭଦ୍ରକର ୧୧ ଲକ୍ଷରୁ ଅଧିକ ଲୋକ ସ୍ମାର୍ଟ କାର୍ଡ ପାଇବେ। ଏହାସହ ରାଜ୍ୟର ୨୧ଟି ଜିଲ୍ଲାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ।

ଏହି ଅବସରରେ ବାଲେଶ୍ବର ପାଇଁ  ମୁଖ୍ୟମନ୍ତ୍ରୀ ୧୫୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମସ୍ତଙ୍କ ପାଖରେ ଭଲ ପିଇବା ପାଣି ପହଞ୍ଚାଇବା ଆମର ଏକ ମୁଖ୍ୟ ଲକ୍ଷ୍ୟ। ବାଲେଶ୍ବରର ୬ଟି ବ୍ଲକ୍‌ରେ ୯୦୦ କୋଟିରୁ ଅଧିକ ଟଙ୍କାର ବିନିଯୋଗରେ ମେଗା ପାଇପ ପାଣି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ଏହାଦ୍ବାରା ୬୬୦ଟି ଗାଁର ୬.୫୦ ଲକ୍ଷ ଲୋକ ଭଲ ପିଇବା ପାଣି ପାଇପାରିବେ। ମାଛ ଉତ୍ପାଦନରେ ବାଲେଶ୍ବର ଏକ ଆଗୁଆ ଜିଲ୍ଲା ବୋଲି ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଜିଲ୍ଲାର ମତ୍ସ୍ୟଜୀବୀମାନଙ୍କ ସୁବିଧା ପାଇଁ ବସ୍ତାଠାରେ ୨୦ ଏକର ଜମିରେ ୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏକ ବଡ଼ ହୋଲସେଲ୍ ଫିସ୍ ମାର୍କେଟ କରାଯିବ। ଏହାଦ୍ବାରା ବାଲେଶ୍ବର ସହ କେନ୍ଦ୍ରାପଡ଼ା ଓ ଜଗତସିଂହପୁରର ମତ୍ସ୍ୟଜୀବୀମାନେ ଉପକାର ପାଇବେ। ଏହାପରେ ମାଛ ବିକିବା ପାଇଁ ସ୍ଥାନୀୟ ମତ୍ସ୍ୟଜୀବୀ ମାନଙ୍କୁ ଆଉ ଦୀଘା ମାଛ ମାର୍କେଟ ଉପରେ ନିର୍ଭର ହେବାକୁ ପଡ଼ିବ ନାହିଁ।

ପ୍ରଥମେ ମୁଖ୍ୟମନ୍ତ୍ରୀ ବ୍ୟାସକବି ଫକୀରମୋହନ ଓ କବିବର ରାଧାନାଥ ରାୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଓଡିଶାର ଭାଷା ଓ ସାହିତ୍ୟର ଗୌରବ ବୃଦ୍ଧି କ୍ଷେତ୍ରରେ ଏହି ଦୁଇ ମହାରଥୀଙ୍କ ଅବଦାନ ବିଷୟରେ ଆଲୋକପାତ କରିଥିଲେ । ସେହିପରି ସ୍ବାଧୀନତା ସଂଗ୍ରାମରେ ବାଲେଶ୍ବରର ସ୍ବତନ୍ତ୍ର ଅବଦାନ ବିଷୟରେ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ବାଲେଶ୍ବର ଜିଲ୍ଲା କୃଷି, ଶିଳ୍ପ, ପର୍ଯ୍ୟଟନ ସବୁ କ୍ଷେତ୍ରରେ ଆଗୁଆ । ଆମର ୮୦ କିଲୋମିଟର ବେଳାଭୂମି କେବଳ ବାଲେଶ୍ବରରେ ଅଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଧାନ, ପାନ, ମୀନ ପାଇଁ ବାଲେଶ୍ବର ଜଣାଶୁଣା। ବାଲେଶ୍ବରରେ ୬୦୦ ମିଶନ ଶକ୍ତିର ମା ମାନେ ମାଛ ଚାଷରେ ସାମିଲ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ। ଅନ୍ୟପଟେ ଶୁକ୍ରବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭଦ୍ରକ ଜିଲ୍ଲା ପାଇଁ ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ଯୋଜନା ଆରମ୍ଭ କରି ପ୍ରଥମେ ବନ୍ଦେ ଉତ୍କଳ ଜନନୀର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ସ୍ମରଣ କରିଥିଲେ ଏବଂ ଇରମ ମାଟିକୁ ପ୍ରଣାମ ଜଣାଇଥିଲେ।

ଭଦ୍ରକ ପାଇଁ ୩୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ସେଠାରେ ଜିଲ୍ଲା ମୁଖ୍ୟାଳୟ ପାଇଁ ଏକ ୩୦୦ ଶଯ୍ୟାବିଶିଷ୍ଟ ହସ୍‌ପିଟାଲ ବିଲ୍‌ଡିଂର ଭିତ୍ତି ରଖିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭଦ୍ରକ ଜିଲ୍ଲାରେ ୯୫୦ କୋଟି ଟଙ୍କାରେ ଦୁଇଟି ମେଗା ପାଇପ ପାଣି ପ୍ରକଳ୍ପ କାମ ଜାରି ରହିଛି । ଏହାଦ୍ବାରା ୭ ଲକ୍ଷରୁ ଅଧିକ ଲୋକ ଉପକାର ପାଇବେ। ଅନ୍ୟପଟେ ଭଦ୍ରକରେ ମିଶନ ଶକ୍ତିର ମା ମାନେ ଭଲ କାମ କରୁଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସରକାରଙ୍କ ବିଭିନ୍ନ ଯୋଜନାରେ ସହଭାଗୀ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବାଲେଶ୍ବର ବିଧାୟକ ସ୍ବରୂପ ଦାସ ପ୍ରମୁଖ ଯୋଗଦେଇଥିବାବେଳେ ଭଦ୍ରକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ,  ସାଂସଦ ମଞ୍ଜୁଲତା ମଣ୍ଡଳ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଓ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.