୧୩ରୁ କରୋନାର ୨ୟ ଡୋଜ୍ ଟିକା

ଭୁବନେଶ୍ବର, ୬।୧: କରୋନା ମହାମାରୀକୁ ମାତ ଦେବା ପାଇଁ ଦ୍ୱିତୀୟ ଡୋଜ୍ ଟିକାକରଣ କାର୍ଯ୍ୟକ୍ରମ ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବ। ଜାନୁଆରୀ ୧୬ ଅର୍ଥାତ ପ୍ରଥମ ଦିନ ଟିକା ନେଇଥିବା ଲୋକଙ୍କୁ ୧୩ ତାରିଖରେ ଟିକାର ଦ୍ୱିତୀୟ ଡୋଜ୍‌ ଦିଆଯିବ। ଏହାପରେ ପର୍ଯ୍ୟାୟ କ୍ରମେ କରୋନା ଟିକାର ପ୍ରଥମ ଡୋଜ୍ ନେଇଥିବା ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯିବ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେଉଁ ହିତାଧିକାରୀମାନେ କୋଭିସିଲ୍ଡ କିମ୍ବା କୋଭାକ୍ସିନ ଟିକାର ପ୍ରଥମ ଡୋଜ୍‌ ନେଇଥିବେ, ସେମାନଙ୍କୁ ସେହି ଟିକାର ଦ୍ୱିତୀୟ ଡୋଜ୍‌ ଦିଆଯିବ। ନିୟମ ଅନୁସାରେ ପ୍ରଥମେ ଡୋଜ୍‌ର ୨୮ ଦିନ ପରେ ଦ୍ୱିତୀୟ ଡୋଜ୍‌ ଦିଆଯାଇଥାଏ। ସେହିପରି ଏହାର ୧୪ ଦିନ ପରେ ଜଣେ ବ୍ୟକ୍ତିଙ୍କ ଶରୀରରେ କରୋନାକୁ ମାତ୍‌ ଦେବା ପାଇଁ ଆବଶ୍ୟକ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେବ।

ଅନ୍ୟପକ୍ଷରେ ଦେଶରେ ମାତ୍ର ୨୧ ଦିନ ମଧ୍ୟରେ ୫୦ ଲକ୍ଷ ଲୋକଙ୍କର ଟିକାକରଣ କରାଯାଇଛି। ବିଶ୍ୱର ଅନ୍ୟ କୌଣସି ରାଷ୍ଟ୍ରରେ ଏତେ କମ ଦିନରେ ଏତେ ସଂଖ୍ୟକ ଲୋକଙ୍କୁ ଟିକା ଦିଆଯାଇ ନଥିଲା। ସରକାର କହିଛନ୍ତି ଯେ ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୬୦% ସ୍ୱାସ୍ଥ୍ୟାକର୍ମୀଙ୍କୁ ଟିକା ଦିଆଯାଇଛି। ତଥାପି ସବୁ ରାଜ୍ୟକୁ ଟିକାକରଣ ପ୍ରତିଶତ ବୃଦ୍ଧି କରିବାକୁ ପରାମର୍ଶ ଦିଆଯାଇଛି।

ଆଜି ସରକାର ସବୁ ରାଜ୍ୟକୁ କହିଛନ୍ତି ଯେ ୨୦ ଫେବୃଆରୀ ମଧ୍ୟରେ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଅତିକମରେ ଗୋଟିଏ ଥର ଟିକା ଦିଆଯାଉ। ସେହିପରି ସମସ୍ତ ସମ୍ମୁଖ ଯୋଦ୍ଧାଙ୍କୁ ମାର୍ଚ୍ଚ ୬ ପୂର୍ବରୁ ଟିକାର ପ୍ରଥମ ଡୋଜ୍‌ ଦିଆଯାଉ। ବିଶେଷଜ୍ଞମାନେ କହିଛନ୍ତି, ବର୍ତ୍ତମାନ ବହୁତ କମ ହାରରେ ଟିକାକରଣରେ ଲୋକ ଭାଗ ନେଉଛନ୍ତି।

 

Comments are closed.