୭ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବେ ନିରଞ୍ଜନ

ଭୁବନେଶ୍ବର, ୬।୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ‘ମୋ ସ୍କୁଲ ଅଭିଯାନ’ରେ ସାମିଲ ହେବା ପାଇଁ ବିଧାୟକମାନଙ୍କୁ ଆହ୍ୱାନ କରାଯାଇଥିବା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ୭ଟି ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ସରକାରଙ୍କ ଅନୁମତି ଲୋଡ଼ିଛନ୍ତି।

ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଆଜି ଓପେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆଙ୍କୁ ଚିଠି ଲେଖି ସେ ଅତୀତରେ ପଢ଼ିଥିବା ସ୍କୁଲକୁ ସରକାରଙ୍କ ବିଧିବ୍ୟବସ୍ଥା ଅନୁସାରେ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିବାକୁ ଇଚ୍ଛା ବ୍ୟକ୍ତ କରିଛନ୍ତି। ସେହିସବୁ ସ୍କୁଲଗୁଡ଼ିକ ସହ ତାଙ୍କର ଭାବଗତ ସମ୍ପର୍କ ଓ କର୍ତ୍ତବ୍ୟ ପାଳନ ନିତ୍ୟାନ୍ତ ଆବଶ୍ୟକତା ଥିବାରୁ ଏଥିପାଇଁ ତାଙ୍କୁ ଯଥାଶୀଘ୍ର ସୁଯୋଗ ଦେବାକୁ ସେ ଅନୁରୋଧ କରିଛନ୍ତି।

ଶ୍ରୀ ପଟ୍ଟନାୟକ ଯେଉଁ ୭ଟି ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ କହିଛନ୍ତି ସେଥିରେ ୫ଟି କେନ୍ଦୁଝର ଜିଲ୍ଲା ଓ ୨ଟି ମୟୂରଭଞ୍ଜ ଜିଲ୍ଲାରେ ରହିଛି। ସେହି ସ୍କୁଲଗୁଡ଼ିକ ହେଲା କେନ୍ଦୁଝର ଜିଲ୍ଲାର ଆନନ୍ଦପୁରସ୍ଥିତ ମଡେଲ ସ୍କୁଲ, କେନ୍ଦୁଝର ଗଡ଼ସ୍ଥିତ ମୋଚିବନ୍ଧ ପ୍ରାଥମିକ ସ୍କୁଲ, ତେଲକୋଇ ପ୍ରାଥମିକ ସ୍କୁଲ, ଆନନ୍ଦପୁରସ୍ଥିତ ବିଏନ୍‌ ସରକାରୀ ହାଇସ୍କୁଲ, କେନ୍ଦୁଝରସ୍ଥିତ ଡିଏନ୍‌ ସରକାରୀ ହାଇସ୍କୁଲ ସମେତ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସରକାରୀ ହାଇସ୍କୁଲ ଓ ବାଙ୍ଗିରିପୋଷି ହାଇସ୍କୁଲ ରହିଛି।

Comments are closed.