ମାଲକାନଗିରି,୩୧।୩: ଆଜି ଆତ୍ମସମର୍ପଣ କରିଛନ୍ତି ୩ ଦୁର୍ଦ୍ଦାନ୍ତ ମାଓବାଦୀ। ମାଲକାନଗିରି ଏସପି ଋଷିକେଶ ଖିଲାରି ଓ ବିଏସଏଫ ଡିଆଇଜି ସଞ୍ଜୟ କୁମାର ସିଁଙ୍କ ନିକଟରେ ୩ ଜଣ ହାର୍ଡକୋର ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳରେ ଦୀର୍ଘ ୮ ବର୍ଷ ଧରି ମାଓ ନେତା ଭାବେ ସକ୍ରିୟ ଥିବା ଏହି ୩ ଦୁର୍ଦ୍ଦାନ୍ତ ମାଓ ନେତା ଲାଲଗଡ଼ର ଅନ୍ଧାରି ଦୁନିଆକୁ ଛାଡ଼ି ମୁଖ୍ୟ ସ୍ରୋତକୁ ଫେରିଛନ୍ତି। ମାଇନୁ ଖରା ଓ ରାମା ଆବତା ନାମକ ୨ ମାଓ ନେତା ଏସିଏମ୍ ଭାବେ କାର୍ଯ୍ୟ କରୁଥିବା ବେଳେ ରଘୁ ଖରା ମାଓଦଳରେ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ। ଏହି ୩ ଜଣ ଆନ୍ଧ୍ର ଓଡିଶା ସୀମାର ସ୍ପେଶାଲ ଜୋନାଲ କମିଟିର ମିଲେଟ୍ରୀ ପ୍ଲାଟୁନରେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ।
ମାଇନୁ ଖରା ଓ ରାମା ଆବତାଙ୍କ ଘର ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲାରେ ହୋଇଥିବା ବେଳେ ରଘୁଙ୍କ ଘର ସ୍ଵାଭିମାନ ଅଞ୍ଚଳ ବେଜିଙ୍ଗ ଗ୍ରାମରେ। ଚିତ୍ରକୋଣ୍ଡା ଅଞ୍ଚଳରେ ସକ୍ରିୟ ଥିବା ଏହି ନକ୍ସଲ ପନ୍ଥୀଙ୍କ ନାମରେ ପୂର୍ବରୁ ଅନେକ ମାମଲା ରହିଛି । ରାମା ଓ ମାଇନୁଙ୍କୁ ଧରିବା ଲାଗି ପୁର୍ବରୁ ରାଜ୍ୟ ସରକାର ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିବା ବେଳେ ରଘୁଙ୍କ ନାମରେ ୧ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ତେବେ ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ସ୍ଵାଭିମାନ ଅଞ୍ଚଳରେ ୪ଟି ବିଏସଏଫ କ୍ୟାମ୍ପ ଓ ଗୋଟିଏ ଥାନା ନିର୍ମାଣ ହୋଇଥିବା ବେଳେ ପୋଲିସର ଛାଉଣିରେ ସେଠାରେ ବିକାଶ ଧାରା ଆଗେଇ ଚାଲିଛି। ଯାହାକୁ ତେଲୁଗୁ ମାଓନେତାମାନେ ବିରୋଧ କରୁଥିବାରୁ ଏହି ୨ଜଣ ସଂଗଠନ ଛାଡି ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି ।
Comments are closed.