ସପ୍ତାହକ ମଧ୍ୟରେ ବିଦ୍ୟୁତ ଶୁଳ୍କ କମ୍‌ ନ କଲେ ରାଜରାସ୍ତାକୁ ଓହ୍ଲେଇବ କଂଗ୍ରେସ

ଭୁବନେଶ୍ବର, ୩୦।୩: କରୋନା ମହାମାରୀରେ ସବୁ ବର୍ଗର ଲୋକ ଆର୍ଥିକ ଦୁର୍ଦ୍ଦିନ ଭିତରେ ରହିଥିବା ବେଳେ ରାଜ୍ୟ ସରକାରଙ୍କ ସହାୟତାରେ ବିଜୁଳି ଶୁଳ୍କ ବୃଦ୍ଧି ପାଇଁ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆରସି)ଙ୍କ ନିଷ୍ପତ୍ତି ଖାଉଟିଙ୍କ ନିମନ୍ତେ ବୋଝ ଉପରେ ଲଳିତାବିଡ଼ା ସଦୃଶ ହୋଇଛି। ବର୍ଷକରେ ୨ ଥରରେ ୟୁନିଟ୍ ପିଛା ୫୦ ପଇସା ବିଦ୍ୟୁତ ଶୁ୍‌ଳ୍କ ବୃଦ୍ଧି ପାଇଛି। ସପ୍ତାହକ ମଧ୍ୟରେ ଏହି ବର୍ଦ୍ଧିତ ବିଦ୍ୟୁତ୍‌ ଶୁଳ୍କକୁ ପ୍ରତ୍ୟାହାର ନହେଲେ କଂଗ୍ରେସ କ୍ରମାଗତ ଭାବେ ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଚେତାବନୀ ଦେଇଛନ୍ତି।

ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ୨୦୧୬ ମସିହାର ଅପରିଣାମଦର୍ଶୀ ବିମୁଦ୍ରାୟନ ପରେ ପରେ କୋଭିଡ-୧୯ର ମାଡ଼ରେ ସବୁ ବର୍ଗର ଲୋକ ଆର୍ଥିକ ଦୁର୍ଗତି ଭିତରକୁ ଠେଲି ହୋଇ ଯାଇଛନ୍ତି। ପ୍ରତ୍ୟେକ ପରିବାରର ଆୟ କମିଛି। କ୍ଷୁଦ୍ର ମଧ୍ୟମ ଅଣୁଶିଳ୍ପ ସଂସ୍ଥାର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି। ସେମାନେ ଅଣ୍ଟା ସଳଖି ଛିଡ଼ା ହୋଇପାରି ନାହାନ୍ତି । ଆଉ ଏଭଳି ସମୟରେ ରାଜ୍ୟରେ ସବୁବର୍ଗର ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ରାଜ୍ୟ ସରକାରଙ୍କ ସହାୟତାରେ ଓଇଆରସି ପାହାର ପରେ ପାହାର ବସାଇ ଚାଲିଛି।

ସେ କହିଛନ୍ତି, ସରକାର ଓ ଓଇଆରସି ଏବେ ବିଦ୍ୟୁତ୍‌ ବିତରକ କମ୍ପାନୀମାନଙ୍କ ଉପରେ ନିୟନ୍ତ୍ରଣ ହରାଇଛନ୍ତି। ନଚେତ୍ କୌଣସି ସ୍ୱାର୍ଥରେ ସେମାନଙ୍କ ସହିତ ପକ୍ଷଭୁକ୍ତ ହୋଇ ଜନବିରୋଧୀ ନିଷ୍ପତ୍ତି ନେଇଛନ୍ତି। ଲାଗୁଛି ସତେଯେପରି ରାଜ୍ୟ ସରକାର ବିତରକ କମ୍ପାନୀମାନଙ୍କୁ ଲାଭ ଦେଇ ଦଳୀୟ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ତଥାକଥିତ କ୍ୱାସୀ ଜୁଡିସିଆଲ ସଂସ୍ଥା କୁହାଯାଉଥିବା ଓଇଆରସିକୁ ହାତବାରିସୀ କରିଛନ୍ତି।

 

Comments are closed.