ଯାଜପୁର-କେନ୍ଦୁଝରରୋଡ ଷ୍ଟେସନ୍‌ରେ ମାଲଗାଡ଼ି ମାଡ଼ିଯିବା ଘଟଣା: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି

0

ଯାଜପୁର, ୭/୫: ଯାଜପୁର-କେନ୍ଦୁଝରରୋଡ ଷ୍ଟେସନ୍‌ ନିକଟ ଚୁନଭାଟି ଠାରେ ଆଜି ସନ୍ଧ୍ୟା ସମୟରେ ଟ୍ରେନ୍‌ ମାଡ଼ିଯିବା ଘଟଣାରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ହୋଇଛି। ଏହି ଅଘଟଣ ଯୋଗୁଁ ଅନ୍ୟ ଜଣେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ମୃତକମାନେ ହେଲେ ଯାଜପୁର ଜିଲ୍ଲା କୋରୋଇ ବ୍ଲକର ବାଲିଆପାଳ ଗାଁର ଭୀମସେନା ଜେନା, ପ୍ରଶାନ୍ତ ଜେନା, ସୁଶାନ୍ତ ଜେନା, ଗମାରିଆର ଗୌତମ ସାମଲ, ମାନସ ସାମଲ ଓ ଗୋସଳାର ଦଳଗୋବିନ୍ଦ ପ୍ରଧାନ। ନବଘନ ବାରିକ ଓ ଅମର ସାହୁଙ୍କୁ ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି।

ସୂଚନା ଅନୁସାରେ ଆଜି ଅପରାହ୍‌ଣ ୫ଟା ୧୫ ସମୟରେ ଯାଜପୁରରୋଡ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଥିଲା। ଏହି ସମୟରେ ବର୍ଷାରୁ ବର୍ତ୍ତିବା ପାଇଁ ଶ୍ରମିକମାନେ ଯାଜପୁର-କେନ୍ଦୁଝରରୋଡ ରେଳଷ୍ଟେସନର ସାଈମନ୍ଦିର ରେଳଫାଟକ ନିକଟରେ ଅଟକିଥିବା ଏକ ମାଲଗାଡ଼ି ତଳେ ଆଶ୍ରୟ ନେଇଥିଲେ। ଷ୍ଟେସନ୍‌ରେ ଠିଆ ହୋଇଥିବା ଟ୍ରେନ୍‌ଟି ଅଳ୍ପ ସମୟ ପରେ ଆଗକୁ ବଢ଼ିଥିଲା। ଫଳରେ ଟ୍ରେନ୍‌ର ଚକା ତଳେ ରହି ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ୫ ଗୁରୁତରଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ୪ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣଙ୍କର ଚିକିତ୍ସା ଜାରି ରହିଛି। ତେଣେ ପୂର୍ବତଟ ରେଳ ପକ୍ଷରୁ କହାଯାଇଛି କି,  ରେଳ କାର୍ଯ୍ୟ ପାଇଁ ଜଣେ କଣ୍ଟ୍ରାକ୍ଟରଙ୍କ ଦ୍ୱାରା ନିୟୋଜିତ କେତେକ ଚୁକ୍ତିଭିତ୍ତିକ ଶ୍ରମିକ ଯାଜପୁର-କେନ୍ଦୁଝରରୋଡ ନିକଟରେ ପବନ ଏବଂ ବର୍ଷା ଠାରୁ ରକ୍ଷା ପାଇବା ପାଇଁ ରଖାଯାଇଥିବା ଏକ ମାଲଗାଡ଼ି ରେକ୍ ତଳେ ଆଶ୍ରୟ ନେଇଥିଲେ। ଆଜି ପ୍ରବଳ ବଜ୍ରପାତ ହେତୁ  ଇଞ୍ଜିନ ଲାଗି ନଥିଲେ ବି ରେକ୍ ଗଡ଼ିଯାଇଥିଲା। ଏହି ଘଟଣାରେ ୬ ଶ୍ରମିକଙ୍କ ମୃତ୍ୟୁ ପରେ ରେଳବାଇ ଦ୍ୱାରା ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଖୋର୍ଦ୍ଧା ଡିଆରଏମଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ଘଟଣାସ୍ଥଳକୁ ଯାଇଛନ୍ତି।

ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଯାଜପୁରରୋଡ ଅଞ୍ଚଳକୁ ବିଭିନ୍ନ ଅଞ୍ଚଳରୁ କାମ କରିବା ପାଇଁ ଶ୍ରମିକମାନେ ଆସିଥାନ୍ତି। ଯେଉଁ ଶ୍ରମିକମାନେ ମାଲବାହୀ ଟ୍ରେନ୍‌ ତଳେ ଆଶ୍ରୟ ନେଇ ଦୁର୍ଘଟଣାର ଶିକାର ହୋଇଛନ୍ତି, ସେମାନେ ମଧ୍ୟ କାମ କରିବାକୁ ଆସିଥାଇ ପାରନ୍ତି। ସେମାନେ କାମ ସାରି ଟ୍ରେନ୍‌କୁ ଅପେକ୍ଷା କରିଥିବା ଅନୁମାନ କରାଯାଉଛି। ତେବେ ଘଟଣାର ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଆଶା କରାଯାଉଛି।

 

Leave A Reply

Your email address will not be published.