କରୋନା ରୋଗୀଙ୍କ ପାଇଁ ରେଳ ମନ୍ତ୍ରାଳୟର ୮୦୦ଟି ବେଡର ବ୍ୟବସ୍ଥା

ନୂଆଦିଲ୍ଲୀ, ୧୮।୪: କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ବିଭିନ୍ନ ସ୍ଥାନରେ ଚିକିତ୍ସା ପାଇଁ ବେଡ୍‌ର ଅଭାବ ପରିଲିକ୍ଷିତ ହୋଇଛି। ଏହାକୁ ନଜରରେ ରଖି ରେଳ ମନ୍ତ୍ରାଳୟ ୮୦୦ଟି ବେଡର ବ୍ୟବସ୍ଥା କରିଛି। ରେଳ ବିଭାଗ ଦିଲ୍ଲୀର ବିଭିନ୍ନ ଷ୍ଟେସନରେ ଏଥିପାଇଁ ବଗି ବା କୋଚ ଛିଡ଼ା କରିଛି। ଏହି ବଗିରେ ଥିବା ବେଡ୍‌ଗୁଡ଼ିକୁ କୋଭିଡ୍ ବେଡ୍‌ ଭାବରେ ତିଆରି କରିଛି ରେଳ ବିଭାଗ। ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ପୀୟୁଷ ଗୋଏଲ।

ପୀୟୁଷ ଗୋଏଲ ଟ୍ୱିଟ୍ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର କରୋନା ବିରୋଧରେ ଲଢ଼େଇ ଜାରି ରଖିଛି। କୋଭିଡ୍ ଆଇସୋଲେସନ ପାଇଁ କୋଚ୍‌ ଶକୁର ବସ୍ତି ରେଲଓ୍ୱେ ଷ୍ଟେସନରେ ୫୦ଟି କୋଚ ଏବଂ ୨୫ଟି କୋଚ ଆନନ୍ଦ ବିହାର ବସ୍ତି ନିକଟରେ ଛିଡ଼ା ହେବ। ଏଥିରେ ୮୦୦ଟି ବେଡ୍ ତିଆରି କରାଯାଇଛି। ଯଦି ଆଗାମୀ ଦିନରେ ଅଧିକ ବେଡ୍‌ ପାଇଁ ଆବଶ୍ୟକ ପଡ଼ିବ ତା’ହେଲେ ରେଳ ବିଭାଗ ୩ ଲକ୍ଷରୁ ଅଧିକ ବେଡ୍‌ ଏକାକୀ ବ୍ୟବସ୍ଥା କରିପାରିବ ବୋଲି ରେଳ ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି।

ଏହା ପୂର୍ବରୁ ଉତ୍ତର ରେଲଓ୍ୱେ ମହାପ୍ରବନ୍ଧକ ଆଶୁତୋଷ ଗଙ୍ଗଲ କହିଥିଲେ ଅକ୍ସିଜେନ ସିଲିଣ୍ଡର ରେଳ ବିଭାଗ କିଣିସାରିଛି। ପ୍ରତି ଆଇସୋଲେସନ କୋଟରେ ଦୁଇଟି ସିଲିଣ୍ଡର ରହିବ। ଯଦି ଅଧିକ ଆବଶ୍ୟକ ପଡ଼ିବ ତା’ହେଲେ ରାଜ୍ୟ ସରକାର ଅକ୍ସିଜେନ ବାବଦରେ ବ୍ୟବସ୍ଥା କରିବେ।

ସୂଚନାଯୋଗ୍ୟ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୬୧ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧,୫୦୧ ଜଣଙ୍କର ମୃତ୍ୟୁ ହୋଇଛି। ଶନିବାର ତୁଳନାରେ ରବିବାର ପ୍ରାୟ ୧୧.୫ ପ୍ରତିଶତ ଅଧିକ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

 

 

Comments are closed.