ଭୁବନେଶ୍ୱର,୧୫/୩: ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣକୁ ବିରୋଧ କରି ବ୍ୟାଙ୍କ କର୍ମଚାରୀ ଏବଂ ଅଫିସର୍ସ ସଂଘଗୁଡ଼ିକ ମାର୍ଚ୍ଚ ୧୫ ଓ ୧୬ ତାରିଖରେ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛନ୍ତି । ସୋମବାର ଓ ମଙ୍ଗଳବାର ବ୍ୟାଙ୍କ ସେବା ପ୍ରଭାବିତ ହେବ। ବ୍ୟାଙ୍କ କର୍ମଚାରୀ ଏବଂ ଅଫିସର ସଂଘଗୁଡ଼ିକର ମିଳିତ ମଞ୍ଚ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ(ୟୁଏଫ୍ବିୟୁ) ଏହି ଧର୍ମଘଟ ଡାକରା ଦେଇଛି । ୟୁଏଫ୍ବିୟୁ ଅଧୀନରେ ଥିବା ସଂଘଗୁଡ଼ିକ ଧର୍ମଘଟରେ ସାମିଲ ହୋଇଛନ୍ତି । ଉଭୟ ଦିନରେ ଶାଖାରେ ଜମା ଏବଂ ଉଠାଣ, ଚେକ୍ କ୍ଲିୟରାନ୍ସ ଏବଂ ଋଣ ମଞ୍ଜୁରି ପ୍ରକ୍ରିୟା ଆଦି ପ୍ରଭାବିତ ହୋଇପାରେ । ସାରା ଭାରତରେ ୧୦ ଲକ୍ଷରୁ ଊର୍ଧ୍ବ ବ୍ୟାଙ୍କ କର୍ମଚାରୀ ଏବଂ ଅଧିକାରୀ ଧର୍ମଘଟରେ ଅଂଶଗ୍ରହଣ କରିବେ ।
ରାଜ୍ୟରେ ୫୫୦୦ରୁ ଊର୍ଧ୍ବ ଶାଖାରେ ଧର୍ମଘଟର ପ୍ରଭାବ ପଡ଼ିବ । ରାଜ୍ୟର ୩୦ ହଜାରରୁ ଅଧିକ ବ୍ୟାଙ୍କ କର୍ମଚାରୀ ଏବଂ ଅଧିକାରୀ ଏଥିରେ ସାମିଲ ହେବେ । ଏହି ପରିପ୍ରେକ୍ଷୀରେ ୟୁଏଫ୍ବିୟୁ, ଓଡ଼ିଶା ଶାଖାର ଆବାହକ ରଘୁନାଥ ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସର୍ବଭାରତୀୟ ବ୍ୟାଙ୍କ ଅଫିସର୍ସ ମହାସଂଘର ଓଡ଼ିଶା ସଭାପତି ଦାମୋଦର ନନ୍ଦ, ଏଆଇବିଇଏର ସଞ୍ଜୀବ ପତି, ବେଫିର ପ୍ରକାଶ ରାୟ ଓ ଏଆଇବିଓଏର ଅଜୟ ରାଉତରାୟ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଘରୋଇକରଣ ପ୍ରସ୍ତାବକୁ ଦୃଢ଼ ବିରୋଧ କରିଥିଲେ ।
ଭାରତୀୟ ଅର୍ଥନୀତିର ବିକାଶରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଓ ସାଧାରଣ ଜନତାଙ୍କ ସ୍ୱାସ୍ତ୍ୟ ଦୃଷ୍ଟିରୁ ଏହି ଜନବିରୋଧୀ ପ୍ରସ୍ତାବକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଏମାନେ ଦାବି କରିଛନ୍ତି । ୟୁଏଫ୍ବିୟୁ ଓଡ଼ିଶା ଶାଖା ଆବାହକ ରଘୁନାଥ ପ୍ରସାଦ ଦାସ କହିଛନ୍ତି ଯେ, ଦେଶର ଅର୍ଥନୈତିକ ବିକାଶ ଏବଂ ଅଭିବୃଦ୍ଧିରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଭୂମିକା ଉଲ୍ଲେଖନୀୟ । ଜନଗଣଙ୍କ କଷ୍ଟଅର୍ଜିତ ସଞ୍ଚିତ ରାଶିକୁ ସୁରକ୍ଷିତ ରଖିବା ସହ କୃଷି, ଶିଳ୍ପ, ଭିତ୍ତିଭୂମି ବିସ୍ତାର, ବିଶେଷ କରି ସରକାରଙ୍କ ଦାରିଦ୍ର୍ୟ ଦୂରୀକରଣ ଯୋଜନା ଓ ଆତ୍ମନିଯୁକ୍ତି ପାଇଁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ପୁଞ୍ଜି ବିନିଯୋଗ କରୁଛନ୍ତି । ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଘରୋଇକରଣ କରି ସରକାର ଜନବିରୋଧୀ କାର୍ଯ୍ୟ କରୁଛନ୍ତି ।
ଏଭଳି କ୍ଷେତ୍ରରେ ଆନ୍ଦୋଳନକୁ ବ୍ୟାପକ କରାଯିବ ।ଏହି ପରିପ୍ରେକ୍ଷୀରେ ଏଆଇବିଓସିର ସଭାପତି(ଓଡ଼ିଶା) ଦାମୋଦର ନନ୍ଦ ବୃହତ୍ ସଂଖ୍ୟାରେ ବ୍ୟାଙ୍କ କର୍ମଚାରୀ ଏବଂ ଅଧିକାରୀଙ୍କୁ ଧର୍ମଘଟରେ ସାମିଲ ହୋଇ ଏହାକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସମେତ ଅନେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ନିଜ ନିଜ ଗ୍ରାହକମାନଙ୍କୁ ସୂଚିତ କରି କହିଛନ୍ତି ଯେ, ଧର୍ମଘଟ ଯୋଗୁ ବ୍ୟାଙ୍କ ଶାଖା ଏବଂ କାର୍ଯ୍ୟାଳୟଗୁଡ଼ିକରେ ସେବା ବ୍ୟାହତ ହୋଇପାରେ ।
Comments are closed.