ମର୍ଣ୍ଣିଂ ୱାକ୍‌ ଓ ସାଇକେଲିଂ ପାଇଁ ଘଣ୍ଟାଏ କୋହଳ ହେଲା ସଟ୍‌ଡାଉନ୍‌ ନିୟମ

0

ଭୁବନେଶ୍ୱର, ୨୩।୪: ସଟ୍‌ଡାଉନ୍‌ ସମୟରେ ସହରିଆ ନିଜ ପ୍ରାତଃଭ୍ରମଣରେ ଯାଇପାରିବେ। ଖାଲି ସେତିକି ନୁହେଁ ସାଇକେଲିଂ ମଧ୍ୟ ଏହି ସମୟରେ କରିହେବ। ଏଥିପାଇଁ ଏସ୍‌ଆର୍‌ସି ସଟ୍‌ଡାଉନ୍‌ ସମୟରେ ସକାଳ ୫ଟା ରୁ ୬ଟା ୧ ଘଣ୍ଟା ପାଇଁ ସଟ୍‌ଡାଉନ୍‌ ନିୟମକୁ କୋହଳ କରିଛନ୍ତି।

ଉଭୟ ଶନିବାର ଓ ରବିବାର ଶଟ୍‌ଡାଉନ୍ ହେବାକୁ ଥିବା ବେଳେ ଏହି ଦୁଇ ଦିନ ସକାଳ ୫ଟାରୁ ୬ଟା ପର୍ଯ୍ୟନ୍ତ ଘଣ୍ଟାଏ ଲେଖାଏଁ କଟକଣା କୋହଳ କରାଯାଇଛି। ଅର୍ଥାତ୍ ଏହି ସମୟ ମଧ୍ୟରେ ଲୋକେ ମର୍ଣ୍ଣିଂ ୱାକ୍‌ ଓ ସାଇକ୍ଲିଂ କରିବାକୁ ବାହାରକୁ ଆସିପାରିବେ। ସ୍ୱତନ୍ତ୍ର ରିଲିଫ୍ କମିସନର୍‌ (ଏସ୍‌ଆର୍‌ସି) ପ୍ରଦୀପ ଜେନା ଆଜି ଏହି ସୂଚନା ଦେଇଛନ୍ତି।

ଏସ୍‌ଆର୍‌ସି କହିଛନ୍ତି, ଆଜି ରାତିର ନାଇଟ୍‌ କର୍ଫ୍ୟୁ ଶେଷ ହେବା ପରେ କାଲି ସକାଳୁ ସପ୍ତାହାନ୍ତ ସଟ୍‌ଡାଉନ୍ ଆରମ୍ଭ ହୋଇଯିବ। ଏହି ସଟ୍‌ଡାଉନ୍‌ ସୋମବାର ସକାଳ ପର୍ଯ୍ୟନ୍ତ ରହିବ। ସେ ଆହୁରି କହିଛନ୍ତି, ଯେଉଁମାନେ ପଶ୍ଚିମବଙ୍ଗରୁ ଫେରୁଛନ୍ତି ବା ଯାଇ ଆସୁଛନ୍ତି ସେମାନେ କ୍ୱାରେଣ୍ଟାଇନ୍‌ରେ ରହିବେ। ଯେଉଁମାନଙ୍କର ନେଗେଟିଭ୍ ରିପୋର୍ଟ ଥିବ ବା ୨ ଡୋଜ୍ ଟିକା ନେଇଥିବେ, ସେମାନେ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିବେ। ସେହିପରି ଯେଉଁମାନଙ୍କର ରିପୋର୍ଟ ନଥିବା ବା ଯେଉଁମାନେ ଟିକା ନେଇ ନଥିବେ, ସେମାନେ ଇନ୍‌ଷ୍ଟିଚ୍ୟୁସନାଲ୍ କ୍ୱାରେଣ୍ଟାଇନ୍‌ରେ ରହିବେ। ଆଉ ଯେଉଁମାନେ ହୋମ୍‌ କ୍ୱାରେଣ୍ଟାଇନ୍ ନିୟମ ଭାଙ୍ଗିବେ, ସେମାନଙ୍କୁ ଇନ୍‌ଷ୍ଟିଚ୍ୟୁସନାଲ୍ କ୍ୱାରେଣ୍ଟାଇନ୍‌ରେ ରଖାଯିବ ବୋଲି ଏସ୍‌ଆର୍‌ସି କହିଛନ୍ତି।

 

Leave A Reply

Your email address will not be published.