ହୋଟେଲ୍‌ ମାଲିକଙ୍କ ସମ୍ପର୍କୀୟ ଭାଇକୁ ଜେରା

୫ ଓରାଂଉଟାନ୍ ଉଦ୍ଧାର ଘଟଣା

0

ଭୁବନେଶ୍ବର, ୧୫/୯:  ବାଲେଶ୍ୱର ଭୋଗରାଇ ବ୍ଲକ୍‌ ରଣକୋଠା ସଂରକ୍ଷିତ ଜଙ୍ଗଲରୁ ଓରାଂଉଟାନ୍‌ ଉଦ୍ଧାର ଘଟଣାରେ ଏସ୍‌ଟିଏଫ୍‌ ଓ ଡବ୍ଲୁସିସିବି ତଦନ୍ତ ଚଳାଇଛି। ଏଥିରେ ପଶ୍ଚିମବଙ୍ଗ ଦୀଘାସ୍ଥିତ ଗ୍ରାଣ୍ଡ ହେରିଟେଜ୍‌ ହୋଟେଲ୍‌ର ମାଲିକ ଜୟନ୍ତ ମାଇତି ଓ ତାଙ୍କ ପୁଅ ସୌମ୍ୟଦୀପ ମାଇତିଙ୍କ ହାତ ଥିବା କଥା ସମ୍ନାକୁ ଆସିଥିଲା। ଉଭୟ ଫେରାର୍‌ ଥିବାବେଳେ ମ୍ୟାନେଜରଙ୍କ ସହ ୫ କର୍ମଚାରୀଙ୍କୁ ଉଠାଇ ନେଇ ପଚରାଉଚରା ଚାଲିଛି। ରବିବାର ଏସ୍‌ଟିଏଫ୍‌ ଜୟନ୍ତଙ୍କ ହାଓଡ଼ା ଆନ୍ଦୋଳସ୍ଥିତ ଘରେ ପହଞ୍ଚି ପତ୍ନୀ ଓ ଝିଅଙ୍କୁ ୫ ଘଣ୍ଟା ଜେରା କରିଛି। ସେହିପରି ଏଇଭିତରେ ହୋଟେଲ୍‌ ମାଲିକ ଜୟନ୍ତଙ୍କ ସମ୍ପର୍କୀୟ ଭାଇକୁ ମଧ୍ୟ ଜେରା ହୋଇଥିବା ଜଣାପଡ଼ିଛି।

ଉ‌ଲ୍ଲେଖ ଥାଉ କି, ଅନ୍ତର୍ଜାତୀୟ ଚାଲାଣକାରୀଙ୍କ ସହ ଜୟନ୍ତ ଓ ସୌମ୍ୟଦୀପଙ୍କ ନିବିଡ଼ ସମ୍ପର୍କ ରହିଛି। ସେମାନେ ବନ୍ୟଜନ୍ତୁ ଓ ବନ୍ୟଜନ୍ତୁ ଶରୀରାଂଶର କାରବାର କରନ୍ତି। କେବଳ ସେତିକି ନୁହେଁ, ଭାରତର ଅନେକ ଶିକାରୀ ଏବଂ ବନ୍ୟଜନ୍ତୁ ଓ ବନ୍ୟଜନ୍ତୁ ଶରୀରାଂଶ ବ୍ୟବସାୟୀଙ୍କ ସହ ଜୟନ୍ତଙ୍କ ପରିବାରର ମୋଟ ୧୨ ଜଣ ସଦସ୍ୟଙ୍କ ପରିଚୟ ଅଛି। ବାପପୁଅଙ୍କ ନାମରେ ପଶ୍ଚିମବଙ୍ଗ ସହ ଦେଶର ବିଭିନ୍ନ ରାଜ୍ୟରେ ଏକାଧିକ ମାମଲା ରହିଛି। ତେବେ ଜୟନ୍ତ ଓ ସୌମ୍ୟଦୀପ ନିର୍ଦ୍ଦିଷ୍ଟ ଭାବେ ଓରାଂଉଟାନ୍‌ଗୁଡ଼ିକୁ କେଉଁ ଦେଶରୁ ଆଣିଛନ୍ତି, ତାହା ସ୍ପଷ୍ଟ ହୋଇନି। ସେମାନେ ସେଗୁଡ଼ିକୁ ନିଜ ହୋଟେଲ୍‌ରେ ରଖିଥିବା ବେଳେ ଏକ ଘରୋଇ ଫାର୍ମ ହାଉସ୍‌ ମାଲିକଙ୍କୁ ବିକ୍ରି ପାଇଁ ଯୋଜନା ଚାଲିଥିଲା। ହେଲେ ଡିଲ୍‌ ବିଫଳ ହେବାରୁ ସେମାନେ ତରବରିଆ ଭାବେ ସେଗୁଡ଼ିକୁ ବିଚିତ୍ରପୁର ଜଙ୍ଗଲରେ ଛାଡ଼ି ଦେଇଥିଲେ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ; ଗତ ୮ ତାରିଖ (ମଙ୍ଗଳବାର) ଦିନ ସକାଳେ କାନ୍ଥିଭଉଁରୀ ଗ୍ରାମପଞ୍ଚାୟତ ନେଚର୍‌ କ୍ୟାମ୍ପ ପଛପଟ ରଣକୋଠା ସଂରକ୍ଷିତ ଝାଉଁ ଜଙ୍ଗଲରେ ଭାରତୀୟ ପରିବେଶରେ ଦେଖାଯାଉ ନଥିବା ୫ଟି ଓରାଂଉଟାନ୍ ଠାବ ହୋଇଥିଲେ। ପରେ ସେମାନଙ୍କୁ ଉଦ୍ଧାର କରାଯାଇ ଭୁବନେଶ୍ବରସ୍ଥିତ ନନ୍ଦନକାନନ ନିଆଯାଇଛି।

 

Leave A Reply

Your email address will not be published.