କଟକ, ୨୬/୩: ଓଡ଼ିଶା ମାନବାଧିକାର କମିସନ (ଓଏଚ୍ଆର୍ସି)ର ଅଧ୍ୟକ୍ଷ ଭାବେ ପୁଣି ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ରାଜ୍ୟପାଳ କମିସନ ଅଧ୍ୟକ୍ଷ ଭାବେ ଜଷ୍ଟିସ ପୂଜାହାରୀଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ଏ ନେଇ ଆଜି ଆଇନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଠାରେ ସୂଚନାଯୋଗ୍ୟ ଯେ ମାନବାଧିକାର କମିସନ ଅଧ୍ୟକ୍ଷ ଭାବେ ଜଷ୍ଟିସ ପୂଜାହାରୀଙ୍କ କାର୍ଯ୍ୟକାଳ ଗତ ଫେବ୍ରୁଆରି ମାସରେ ଶେଷ ହୋଇଥିଲା।
ଉଲ୍ଲେଖଯୋଗ୍ୟ ଯେ ଯେ ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ ୨୦୧୩ ନଭେମ୍ବର ୨୯ରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ୨୦୧୭, ନଭେମ୍ବର ୨୨ ପର୍ଯ୍ୟନ୍ତ ଓଡ଼ିଶା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରିବା ପରେ ତାଙ୍କର ମାଡ୍ରାସ ହାଇକୋର୍ଟକୁ ବଦଳି ହୋଇଥିଲା। ଏହା ପରେ ମାଡ୍ରାସ ହାଇକୋର୍ଟରୁ ତାଙ୍କର ବଦଳି ପରେ ପୁଣି ସେ ୨୦୧୮, ନଭେମ୍ବର ୧୯ରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଯୋଗ ଦେଇଥିଲେ। ୧୯୬୦, ସେପ୍ଟେମ୍ବର ୨୪ରେ ସୋନପୁର ଜିଲ୍ଲା ସୁବଳୟା ଗ୍ରାମରେ ଜନ୍ମିତ ଜଷ୍ଟିସ ପୂଜାହାରୀ ୧୯୭୮ରେ ସୋନପୁରସ୍ଥିତ ସୁବଳୟା ହାଇସ୍କୁଲରୁ ଦଶମ ଶ୍ରେଣୀ ପାସ କରିଥିଲେ।
ବଲାଙ୍ଗୀରର ରାଜେନ୍ଦ୍ର କଲେଜରୁ ୧୯୮୩ ମସିହାରେ ରାଜନୀତି ବିଜ୍ଞାନ ସମ୍ମାନ ରଖି ସ୍ନାତକ ଡିଗ୍ରି ସେ ହାସଲ କରିଥିଲେ। ୧୯୮୬ରେ ସମ୍ବଲପୁରସ୍ଥିତ ଲାଲା ଲଜପତ ରାୟ ଆଇନ ମହାବିଦ୍ୟାଳୟରୁ ସେ ଏଲଏଲବି ପାସ୍ କରିଥିଲେ। ୧୯୮୭ରେ ଆଇନଜୀବୀ ପେସାରେ ସେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ଓଡ଼ିଶା ସୁପିରିୟର ଜୁଡିସିଆଲ ସର୍ଭିସ(ସିନିୟନ ବ୍ରାଞ୍ଚ) ପରୀକ୍ଷାରେ ସଫଳତା ହାସଲ କରି ସେ ୨୦୦୩, ଫେବ୍ରୁୟାରି ୭ରେ ବ୍ରହ୍ମପୁରର ଦ୍ବିତୀୟ ଅତିରିକ୍ତ ଜିଲା ଦୌରା ଜଜ୍ ଭାବେ ଯୋଗଦେଇଥିଲେ। ଏହାପରେ ଜୟପୁର, ବ୍ରହ୍ମପୁର, ପୁରୀ, କଟକରେ ଜିଲ୍ଲା ଓ ଦୌରାଜଜ ଭାବେ କାର୍ଯ୍ୟ କରିଥିଲେ।
ଓଡ଼ିଶା ସେଲ୍ସ ଟ୍ୟାକ୍ସ ଟ୍ରିବୁନାଲର ଅଧ୍ୟକ୍ଷ, ରାଜ୍ୟ ଆଇନ ସେବା ପ୍ରାଧିକରଣର ସଦସ୍ୟ ସଚିବ ଓ ରାଜ୍ୟ ଆଇନ ବିଭାଗର ସେ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିବା ପରେ ୨୦୧୩, ନଭେମ୍ବର ୨୯ରେ ଓଡ଼ିଶା ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨୦୨୨, ନଭେମ୍ବର ୨୩ରେ ହାଇକୋର୍ଟର ବିଚାରପତି ପଦରୁ ଜଷ୍ଟିସ ପୂଜାହାରୀ ଅବସର ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ମାନବାଧିକାର କମିସନ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିଲା। ଗତ ଫେବ୍ରୁଆରି ମାସରେ କମିସନ ଅଧ୍ୟକ୍ଷ ଭାବେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ଏହାପରେ ପୁଣି ତାଙ୍କୁ ଦ୍ବିତୀୟ ଥର ପାଇଁ କମିସନ ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି।