ଅପ୍ରିଲ୍‌ ୧୩ ଓ ୧୪, ଦୁଇଦିନ ଧରି ପାଳନ ହେବ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର, ୨/୪: ଓଡ଼ିଶାର ରାଜଧାନୀ  ଭୁବନେଶ୍ୱରର ୭୮ତମ ପ୍ରତିଷ୍ଠା ଦିବସ ଚଳିତ ମାସ ଅପ୍ରିଲ୍‌ ୧୩ ଓ ୧୪ ଦୁଇ ଦିନ ଧରି ପାଳିତ ହେବ। ଆାଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ଏହି ଉତ୍ସବକୁ ଅପ୍ରିଲ ୧୩ ତାରିଖରେ ସ୍ୱତନ୍ତ୍ର ଭାବେ ଏବଂ ୧୪ ତାରିଖରେ ରାଜ୍ୟ ସରକାରଙ୍କ ‘ଓଡ଼ିଆ ପକ୍ଷ ‘ ସହ ମିଳିତ ସମନ୍ୱୟରେ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ମହୋତ୍ସବର  ଆୟୋଜନ ନେଇ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ  ଭୁବନେଶ୍ୱର ମହାନଗର ନିଗମ କମିସନର ଚଞ୍ଚଳ ରାଣା ଉପସ୍ଥାପନ  କରିଥିଲେ।

ବୈଠକରୁ ମିଳିଥିବା ବିବରଣୀ ଅନୁସାରେ, ରାଜଧାନୀ ପ୍ରତିଷ୍ଠା ଦିବସ ଏପ୍ରିଲ ୧୩ ତାରିଖ ପୂର୍ବାହ୍‌ଣରେ ପିଏମଜି ଛକସ୍ଥିତ ରାଜଧାନୀ ପ୍ରତିଷ୍ଠା ଶିଳାନ୍ୟାସ ଫଳକରେ  ପୁଷ୍ପମାଲ୍ୟ ଓ ପୁଷ୍ପଗୁଚ୍ଛ ଅର୍ପଣ କରାଯିବ। ଉତ୍ସବର ମୁଖ୍ୟ ଅତିଥିଙ୍କ  ଦ୍ୱାରା ପ୍ରତିଷ୍ଠା ଦିବସ  ପତାକା ଉତ୍ତୋଳନ କରାଯିବ। ଏହା ସହିତ ରବୀନ୍ଦ୍ର ମଣ୍ଡପରୁ ଜୟଦେବ ଭବନ ପର୍ଯ୍ୟନ୍ତ ଏକ ଆକର୍ଷଣୀୟ ବେସାମରିକ ପରେଡ୍ ଅନୁଷ୍ଠିତ ହେବ। ସେହପରି ଉତ୍ସବ ଉପଲକ୍ଷେ  ଜୟଦେବ ଭବନଠାରେ  ରାଜଧାନୀର ଐତିହ୍ୟ ଓ ଗୌରବକୁ ନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ   ଏକ ଫଟୋଚିତ୍ର ପ୍ରଦର୍ଶନୀ  ଆୟୋଜନ କରାଯିବ। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ ପ୍ରାତଃ କାଳୀନ ପରେଡ୍ କାର୍ଯ୍ୟକ୍ରମଗୁଡ଼ିକୁ  ନିର୍ଦ୍ଧାରିତ ସମୟ ସୁଦ୍ଧା ଶେଷ କରିବାକୁ  ନିର୍ଦ୍ଦେଶ ଦେଇଛନ୍ତି । ଛାତ୍ରଛାତ୍ରୀମାନଙ୍କ ପାଇଁ ଯଥେଷ୍ଟ ପିଇବା ପାଣି, ଆବଶ୍ୟକ ଓଆରଏସ୍ ଏବଂ  ଆନୁଷଙ୍ଗିକ ସୁବିଧା  କରିବାକୁ ପରାମର୍ଶ ଦିଆଯାଇଛି ।  ୧୩  ତାରିଖ ସଂଧ୍ୟାରେ ଉତ୍କଳ ମଣ୍ଡପଠାରେ ‘ରାଜଧାନୀ ଗୌରବ ସମ୍ମାନ’ ପ୍ରଦାନ, ଆୟୋଜିତ  ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯିବା ସହ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଚିତ୍ତାକର୍ଷକ  ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ।  ଉତ୍ସବର ଦ୍ୱିତୀୟ ଦିନ ଏପ୍ରିଲ ୧୪ ତାରିଖରେ ଉତ୍କଳ ମଣ୍ଡପଠାରେ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓଡ଼ିଆ ପକ୍ଷ  ସହ ସମନ୍ୱିତ  କରାଯାଇ ଅନୁଷ୍ଠିତ ହେବ । ଦୁଇଦିନ ଧରି ଉତ୍ସବରେ ବିଭିନ୍ନ ଅତିଥିମାନେ ଯୋଗଦେବେ ।

ଏହି ବୈଠକରେ  ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର  ତଥା ଅତିରିକ୍ତ ମୁଖ୍ୟ ଶଶସନ ସଚିବ ଦେଓରଞ୍ଜନ କୁମାର ସିଂ, କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା  ଶାସନ ସଚିବ ଭୂପେନ୍ଦ୍ର ସିଂ ପୁନିଆ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଡ ଏନ ତିରୁମାଲା ନାଏକ, ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ, କ୍ରୀଡ଼ା ଓ ଯୁବସେବା ବିଭାଗ ନିର୍ଦ୍ଦେଶକ ୟେଦୁଲ୍ଲା ବିଜୟ,  ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ଅନୂଜ କୁମାର ଦାସ ପଟ୍ଟନାୟକ,  ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ପୂର୍ତ୍ତ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଲକ୍ଷ୍ମୀକାନ୍ତ ପାଢୀଙ୍କ ସମେତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ, ୱାଟକୋ, ପୁଲିସ କମିଶନରେଟ୍  ଏବଂ ଅଗ୍ନିଶମ ସେବା ସମେତ ଅନ୍ୟ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ, ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି ଏବଂ ସାଧାରଣ ସଂପାଦକ ସନତ ମିଶ୍ର ପ୍ରମୁଖ ଯୋଗଦେଇଥିଲେ।

 

Comments are closed.