ଟେଣ୍ଡର ଯିଏ ଆହ୍ୱାନ କରୁଛି, ସିଏ ହିଁ ପାଉଛି; ଏହା ସଂଯୋଗ କି ଉଦ୍ଦେଶ୍ୟ ପ୍ରଣୋଦିତ

ଅପରାଜିତାଙ୍କ ଟ୍ବିଟ୍ ପରେ ରାଜନୀତି ସରଗରମ

0

ଭୁବନେଶ୍ବର, ୧୬।୫: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଟ୍ବିଟ୍‌ ପୁଣି ଥରେ ରାଜ୍ୟର ରାଜନୈତିକ ପରିବେଶକୁ ସରଗରମ କରିଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଥମୁ ନ ଥିବା ବେଳେ ଦେଖାଦେଇଛି ଆଉ ଏକ ବିବାଦ। ଏହି ପ୍ରସଙ୍ଗକୁ ନେଇ ପ୍ରଥମରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଥିବା ଭୁବନେଶ୍ୱର ସାଂସଦ ଏଥର ଆଉ ଏକ ନୂଆ ଅଭିଯୋଗ ଆଣିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିବା ଭି.ଭି ଯାଦବ କିପରି ଏକା ଥରେ ତିନୋଟି ବିଭାଗର ଗୁରୁ ଦାୟିତ୍ୱ ତୁଲାଉଛନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅପରାଜିତା। ଭି.ଭି ଯାଦବଙ୍କୁ କିପରି ଏକାଧାରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମେତ ପୂର୍ତ୍ତ ବିଭାଗ ସଚିବ, ଓବିସିସିର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି, ଏହା ସଂଯୋଗ ନା ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା। ଟେଣ୍ଡର ଯିଏ ଆହ୍ୱାନ କରୁଛି, ସିଏ ହିଁ ପାଉଛି। ଅର୍ଥାତ ଭିଭି ଯାଦବ ପୂର୍ତ୍ତ ସଚିବ ହିସାବରେ ଶ୍ରୀମନ୍ଦିର ପ୍ରକଳ୍ପ କାମର ଠିକାଦାର ନିଯୁକ୍ତି ପାଇଁ ନିଷ୍ପତ୍ତି ନେଇଛନ୍ତି। ସେ ମୁଖ୍ୟ ଥିବା ଓବିସିସି ଠିକା ପାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହିସାବରେ ଏହି କାମକୁ ମଞ୍ଜୁର କରୁଛନ୍ତି। ତେଣୁ ଏହି କାମରେ କେତେ ସ୍ୱଚ୍ଛତା ଅବଲମ୍ବନ କରାଯାଉଛି ବୋଲି ଟ୍ୱିଟ କରିଛନ୍ତି ଅପରାଜିତା।

ଅପରାଜିତା ଆଜି କରିଥିବା ଟ୍ୱିଟକୁ ନେଇ ସରଗରମ ହେଲାଣି ରାଜନୀତି। ବର୍ତ୍ତମାନର ଶ୍ରୀମନ୍ଦିର ପ୍ରଶାସକ କିଭଳି ଭାବେ ଏକା ସାଙ୍ଗରେ ତିନି ତିନିଟି ଦାୟିତ୍ୱରେ ରହିବେ ବୋଲି ପ୍ରଶ୍ନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ପୂର୍ତ୍ତ ବିଭାଗର ସଚିବ ଭାବେ ଦାୟିତ୍ୱ ନିର୍ବାହ କରିବା ସହ ଓଡ଼ିଶା ବ୍ରିଜ୍ ଆଣ୍ଡ କନଷ୍ଟ୍ରକସନ କର୍ପୋରେସନ (ଓବିସିସି)ର ଅଧ୍ୟକ୍ଷ ଥିବା ଭି . ଭି ଯାଦବଙ୍କୁ ପୁଣି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ଦିଆଯାଇଛି।

ବଡ଼କଥା ଯେ, ଯେଉଁ ସଂସ୍ଥା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରୁଛି, ଜଣେ ଅଧିକାରୀ ତାହାର ମୁଖ୍ୟ ରହିବା ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟ କରିବା କନଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟକୁ ବୁଝାଉଛି। ଏହା ଏକ ସାମାନ୍ୟ ସଂଯୋଗ ନା କୌଣସି ବିଶେଷ ଉଦ୍ଦେଶ୍ୟ ସାଧନ ପାଇଁ ଯୋଜନାବଦ୍ଧ ଭାବେ ପ୍ରସ୍ତୁତ ହୋଇଥିବା ବ୍ୟବସ୍ଥା ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି।

ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସମିତି (SJTA) ନାଁରେ ସେହି ଅଧିକାରୀ ଟେଣ୍ଡର ଘୋଷଣା କରୁଛନ୍ତି, ସେହି ସମାନ ବ୍ୟକ୍ତି ଓବିସିସି ନାଁରେ ଟେଣ୍ଡର ପାଉଛନ୍ତି। ପଇସା ଦେଉଥିବା ବ୍ୟକ୍ତି ହିଁ ଭିନ୍ନ ଅନୁଷ୍ଠାନ ନାଁରେ ପଇସା ଗ୍ରହଣ କରୁଛନ୍ତିI ଏହାଦ୍ୱାରା ଅର୍ଥ କାରବାର ପ୍ରକ୍ରିୟାରେ ରହିଥିବା ସର୍ବନିମ୍ନ ଶୃଙ୍ଖଳା ଉଲଂଘନ କରାଯାଇଛି କି? ଏହି ପ୍ରକ୍ରିୟା କେତେ ସ୍ୱଚ୍ଛ ଏବଂ ଏଥିରେ ପାରଦର୍ଶିତା କେଉଁଠି ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି।

କେବଳ ଏଥିକି ନୁହେଁ, ଏହା ପୂର୍ବରୁ ଥିବା ଶ୍ରୀମନ୍ଦିର ପରିଚାଳନା ସମିତି (SJTA)ର ମୁଖ୍ୟ ପ୍ରଶାସକ କିଷନ କୁମାର ମଧ୍ୟ ପୂର୍ତ୍ତ ବିଭାଗ ଦାୟିତ୍ୱରେ ଥିଲେ। ଏହା ସାମାନ୍ୟ ସଂଯୋଗ ନା ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି। ଆର୍ଥିକ ଚେକ୍ ଆଣ୍ଡ ବାଲାନ୍ସ ପ୍ରକ୍ରିୟା ସ୍ୱଚ୍ଛତା ସହ ଚାଲିବା ପାଇଁ ଥିବା ସାଧରଣ ନିୟମକୁ ଏହା ବିରୋଧଭାସ କରୁଛି ବୋଲି ଅପରାଜିତା କହିଛନ୍ତି।

Leave A Reply

Your email address will not be published.