ନୂଆ ଅମୃତ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ‘ଝଟକା ମୁକ୍ତ’ ଯାତ୍ରା କରିବେ ଯାତ୍ରୀ: ରେଳମନ୍ତ୍ରୀ ବୈଷ୍ଣବ

0

ନୂଆଦିଲ୍ଲୀ, ୨୯/୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୩୦ ତାରିଖରେ ଉତ୍ତରପ୍ରଦେଶର ଅଯୋଧ୍ୟାରୁ ଶୁଭାରମ୍ଭ କରିବାକୁ ଯାଉଥିବା ପ୍ରଥମ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌କୁ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗରେ ନିର୍ମାଣ କରାଯାଇଛି, ଯାହା ଦ୍ୱାରା ଯାତ୍ରୀମାନେ ଯାତ୍ରାକାଳରେ କୌଣସି ମୁହୂର୍ତ୍ତରେ ବି କୌଣସି ପ୍ରକାରର ଝଟକା ଅନୁଭବ କରିବେ ନାହିଁ।

ବିହାରର ଦରଭଙ୍ଗା ଏବଂ ଅଯୋଧ୍ୟା ଦେଇ ଦିଲ୍ଲୀର ଆନନ୍ଦ ବିହାର ଏବଂ ପଶ୍ଚିମବଙ୍ଗର ମାଲଦା ଟାଉନ୍‌ ଏବଂ ବେଙ୍ଗାଲୁରୁର ସାର୍‌ ଏମ୍‌ ବିଶ୍ୱେଶ୍ୱରୟା ଟର୍ମିନାସ୍‌ ମଧ୍ୟରେ ଏହି ଟ୍ରେନ୍‌ ଚଳାଚଳ କରିବ। ସେମି-କପଲର ଟେକ୍ନୋଲୋଜି ସାହାଯ୍ୟରେ ନିର୍ମିତ ଏହି ସ୍ୱତନ୍ତ୍ର ଟ୍ରେନ୍‌ ଅମୃତ ଭାରତ, ଟ୍ରେନ୍‌ ଚଳାଚଳ କ୍ଷେତ୍ରରେ ଏକ ଅନନ୍ୟ ଉଦ୍ଭାବନ। ଏହି ଅମୃତ ଭାରତ ଟ୍ରେନ୍‌ ଘଣ୍ଟାପ୍ରତି ସର୍ବାଧିକ ୧୩୦ କିଲୋମିଟର ବେଗରେ ଯାତ୍ରା କରିବ। ଏକ ସ୍ୱତନ୍ତ୍ର ଜ୍ଞାନକୌଶଳରେ ଏହି ଟ୍ରେନ୍‌ର ଦୁଇଟି କୋଚ୍‌କୁ ଏପରି ଭାବରେ ଯୋଡ଼ା ଯାଇଛି ଯେ ଟ୍ରେନ୍‌ ଚାଲିବା ଆରମ୍ଭ କରିବା ଏବଂ ଅଟକିବା ସମୟରେ ଏହା ଯାତ୍‌ୀଙ୍କ ଉପରେ କୌଣସି ପ୍ରକାରର ଝଟକା ପ୍ରଭାବ ପକାଇବ ନାହିଁ।

ସଂପ୍ରତି ଚଳାଚଳ କରୁଥିବା ଟ୍ରେନଗୁଡ଼ିକରେ ବ୍ୟବହୃତ ପୁରୁଣା ଜ୍ଞାନକୌଶଳରେ ଯୋଡ଼ା ଯାଇଥିବା କୋଚଗୁଡ଼ିକରେ ଯାତ୍ରା କରୁଥିବା ଯାତ୍ରୀମାନେ ଯାତ୍ରା କାଳରେ ଝଟକା ଅନୁଭବ କରୁଥିଲେ। କିନ୍ତୁ, ଅମୃତ ଭାରତ ଟ୍ରେନ୍‌ରେ ଯାତ୍ରା କାଳରେ ଝଟକା ପ୍ରଭାବକୁ ଅନୁଭବ କରିପାରିବେ ନାହିଁ। ଏତଦ୍‌ବ୍ୟତୀତ ଟ୍ରେନ୍‌ ଚଳାଚଳ ଦୃଷ୍ଟିରୁ ମଧ୍ୟ ଅନ୍ୟ ଟ୍ରେନ୍‌ ତୁଳନାରେ ଯଥେଷ୍ଟ ସୁରକ୍ଷିତ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିକଟରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଟ୍ରେନ୍‌ ଯାଞ୍ଚ କରିବା ଅବସରରେ କହିଛନ୍ତି।

ଏହାବ୍ୟତୀତ ଏହି ଟ୍ରେନ୍‌ରେ ପୁସ୍‌-ପୁଲ୍‌ ଟେକ୍ନୋଲୋଜି ମଧ୍ୟ ରହିଛି। ଯେଉଁଥିରେ ଟ୍ରେନ୍‌ର ଉଭୟ ଆଗ ଓ ପଛରେ ଦୁଇଟି ଇଞ୍ଜିନ ରହିଛି। ଆଗ ଇଞ୍ଜିନ୍‌ ଟ୍ରେନ୍‌କୁ ଟାଣି ନେବା ବେଳେ ପଛ ଇଞ୍ଜିନ୍‌ ଏହାକୁ ଆଗକୁ ଠେଲି ଦେବ। ମନ୍ତ୍ରୀ ବୈଷ୍ଣବ କହିଛନ୍ତି ଯେ ପୁସ୍‌-ପୁଲ୍‌ ଟେକ୍ନୋଲୋଜିକୁ ଅନ୍ତର୍ଭୁକ୍ତ କରିବା ପାଇଁ ଟ୍ରେନ୍‌ରେ ଅନେକ ପରିବର୍ତ୍ତନ କରାଯାଇଛି। ସେ କହିଛନ୍ତି ଯେ ଏହି ଟ୍ରେନ୍‌ରେ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ରହିଛି ଯେପରିକି ହରିଜଣ୍ଟାଲ ସ୍ଲାଇଡିଂ ୱିଣ୍ଡୋ, ଧୂଳି ସିଲ୍‌ ହୋଇଥିବା ବ୍ୟାପକ ଗ୍ୟାଙ୍ଗୱେ, ଶୌଚାଳୟ ଏବଂ ଇଲେକ୍ଟ୍ରିକାଲ କ୍ୟୁବିକାଲରେ ଏରୋସୋଲ ଆଧାରିତ ଅଗ୍ନି ନିୟନ୍ତ୍ରଣ ବ୍ୟବସ୍ଥା ଇତ୍ୟାଦି।

Leave A Reply

Your email address will not be published.