ଭୁବନେଶ୍ବର, ୧୦/୫: ରାଜଧାନୀ ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଦୁଇଦିନ ପୂର୍ବରୁ ଘଟିଥିବା ବହୁ ଚର୍ଚ୍ଚିତ ଭିଡ଼ହିଂସା ଘଟଣାରେ ରାଜ୍ୟ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ସରକାର ଏହି ଘଟଣାରେ ୪ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି। ଏଥିରେ ଜଣେ ଏସ୍ଆଇ, ଜଣେ ଏଏସ୍ଆଇ, ଜଣେ ଓଏପିଏଫ୍ ଏବଂ ଜଣେ କନେଷ୍ଟବଳ ସାମିଲ ଅଛନ୍ତି। ସେହିପରି ରାଜ୍ୟ ସରକାର ଜଣେ ଗୃହରକ୍ଷୀଙ୍କୁ ବହିଷ୍କୃାର କରିଛନ୍ତି। ଏଥି ସହିତ ବାଲିଅନ୍ତା ଥାନା ଆଇଆଇସି ଅନିଲ ପରିଡ଼ାଙ୍କୁ ୟୁପିଡି ଭୁବନେଶ୍ବରକୁ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ରଶ୍ମିତା ବେହେରାଙ୍କୁ ନିଯୁକ୍ତି ମିଳିଛି।
ସୂଚନାଯୋଗ୍ୟ, ଗତ ଗୁରୁବାର ଦିନ ପୂର୍ବାହ୍ଣ ପ୍ରାୟ ୧୧ଟାରେ ରାସ୍ତାରେ ସ୍କୁଟିରେ ଯାଉଥିବା ଦୁଇ ଜଣ ଯୁବତୀଙ୍କୁ ବାଇକ୍ରେ ଧକ୍କା ଦେବା ଅଭିଯୋଗରେ ଜିଆରପିରେ କାର୍ଯ୍ୟରତ ସୌମ୍ୟରଂଜନ ଏବଂ ତାଙ୍କର ସାଙ୍ଗ ଓମ୍ ପ୍ରକାଶ ରାଉତଙ୍କୁ ଆକ୍ରମଣ କରାଯାଇଥିଲା। ସୌମ୍ୟରଂଜନଙ୍କୁ ନିସ୍ତୁକ ମାଡ଼ ମରାଯାଇଥିଲା, ଯେଉଁଥିରେ ସେ ଲହୁଲୁହାଣ ହୋଇଥିଲେ ଏବଂ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଚିକିତ୍ସାଧୀନ ଅବସ୍ଥାରେ ମୃତ ଘୋଷଣା କରିଥିଲେ। ଏହି ଜଘନ୍ୟ ହତ୍ୟାକାଣ୍ଡ ସବୁ ସୀମା ଟପିଥିଲା। ଘଟଣାସ୍ଥଳରେ ପୁଲିସ ଉପସ୍ଥିତ ଥିଲେ, ଶହଶହ ଲୋକ ବି ଛିଡ଼ା ହୋଇଥିଲେ। ଆଉ କିଛି ଯୁବକ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଜଣେ ଯୁବକଙ୍କୁ ବିଧା ଗୋଇଠା ମାରୁଥିଲେ। ହାତଗୋଡ଼ ବାନ୍ଧି ଲୁହାରେ ଓଲଟା ଟାଙ୍ଗି ସଂଘବଦ୍ଧ ହୋଇ ଅତି ନିର୍ମମ ଭାବେ ରଡ୍, ଲାଠିରେ ପିଟିପିଟି ମାରିଦେଲେ। ଘଟଣା ଅତି ସମ୍ବେଦନଶୀଳ ଥିଲା।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗତକାଲି ସନ୍ଧ୍ୟାରେ ଲୋକସେବା ଭବନରେ ଭୁବନେଶ୍ୱର ବାଲିଅନ୍ତା ଅଞ୍ଚଳରେ ହୋଇଥିବା ଭିଡ଼ ହତ୍ୟା ବା ମବ୍ ଲିଞ୍ଚିଙ୍ଗ୍ ଘଟଣା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଘଟଣା ସମ୍ପର୍କରେ ସବିସ୍ତୃତ ଆଲୋଚନା କରିବା ପରେ କ୍ରାଇମ୍ବ୍ରାଞ୍ଚ୍ ଦ୍ୱାରା ଏହି ଘଟଣାର ସଠିକ୍ ଓ ପୁଙ୍ଖାନୁପୁଙ୍ଖ ଯାଞ୍ଚ୍ କରି ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନ ହୁଏ, ସେଥିପାଇଁ ପୁଲିସ ମହାନିର୍ଦ୍ଦେଶକ ସତର୍କ ଓ ସଜାଗ ରହିବା ପାଇଁ ମୁଖ୍ୟମନ୍ତ୍ରୀ ତାଗିଦ୍ କରିଥିଲେ। ରାଜ୍ୟରେ ଆଇନର ଶାସନ ପ୍ରତିଷ୍ଠା କରିବା ପାଇଁ ପୋଲିସ କଠୋରରୁ କଠୋରତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।