ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ

0

ଭୁବନେଶ୍ୱର, ୭/୩: ଶଙ୍ଖ ଧରିଲେ ଅରବିନ୍ଦ। ନବୀନ ନିବାସରେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ଅରବିନ୍ଦ । ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲାର ନେତା, ବିଧାୟକ ଏବ˚ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୯ ସାଧାରଣ ନିର୍ବାଚନ ପରଠୁ ବିଜୟ ବିଜେପି ରାଜନୀତିରୁ ନିଜକୁ ଦୂରେଇ ରଖିଥିଲେ। ପୁଅ ଅରବିନ୍ଦଙ୍କୁ ଗଲା ପ୍ରାୟ ଦୁଇ ବର୍ଷ ହେବ ପାଟକୁରା ନିର୍ବାଚନ ମଣ୍ତଳୀରେ ସକ୍ରିୟ ଭାବେ ବୁଲାବୁଲି କରୁଥିବା ଲକ୍ଷ୍ୟ କରାଯାଇଥିଲା।

ଗଣମାଧୢମ ଆଗରେ ମଧୢ ସେ ଏକାଧିକବାର ଆଗକୁ ରାଜନୀତି କରିବେ ବୋଲି ସ୍ପଷ୍ଟ କରିଥିଲେ ବି କେଉଁ ଦଳରୁ ପ୍ରଶ୍ନ ହେଲେ ଅପେକ୍ଷା କରିବାକୁ କହୁଥିଲେ। ସେବେଠୁ ଅରବିନ୍ଦ ବିଜେଡିରେ ସାମିଲ୍‌ ହେବାନେଇ ଚର୍ଚ୍ଚା ହେଉଥିଲା। ବିଜେଡି ରାଜନୀତିରେ ପୂର୍ବରୁ ବିଜୟ ମହାପାତ୍ରଙ୍କୁ ଦେଖିବାକୁ ମିଳିଛି। ତେବେ ୨୦୦୦ ମସିହାରେ ଟିକେଟ କଟିବା ସହ ବିଜୟଙ୍କୁ ଦୂରେଇ ଦେଇଥିଲା ଦଳ। ଏହାପରେ ଓଜିପି, ଏନସିପି, ବିଜେପିରେ ନିଜର ଭାଗ୍ୟପରୀକ୍ଷା କରିଥିଲେ ମଧ୍ୟ ପୁଣିଥରେ ବିଧାୟକ ଭାବେ ନିର୍ବାଚିତ ହୋଇପାରିନଥିଲେ ବିଜୟ। ତେବେ ୨୦୧୯ ନିର୍ବାଚନରେ ପରାଜୟ ପରେ ବିଜୟ ମହାପାତ୍ର ବିଜେପି ରାଜନୀତିରୁ ନିଜକୁ ଦୂରେଇ ରଖିଥିଲେ। ପୁଅ ଅରବିନ୍ଦ ପାଟକୁରା ନିର୍ବାଚନ ମଣ୍ଡଳୀରେ ସକ୍ରିୟ ରହିବା ସହ ରାଜନୀତି କରିବା ନେଇ ସ୍ପଷ୍ଟ କରିଥିଲେ।

ବିଜେଡିରେ ସାମିଲ ହେବା ପରେ ଅରବିନ୍ଦ କହିଛନ୍ତି, ଆଜି ବହୁତ ଶୁଭ ଦିନ । ଆଜି ବିଜେଡିରେ ଯୋଗ ଦେଇଛି। ଏଭଳି ନିଷ୍ପତ୍ତି ନେବା ପଛର କାରଣ ବାବଦରେ ଅରବିନ୍ଦ କହିଛନ୍ତି, ୨୦୧୯ ପରଠାରୁ ଅନେକ ଦିନ ହେବ ମୁଁ ପାଟକୁରାରେ ବୁଲି ଆସୁଛି। ମୋତେ ଲାଗିଲା ମୋତେ ଏକ ଏଭଳି ମଞ୍ଚ ଦରକାର ଯେଉଁଠି ମୁଁ ପାଟକୁରାର ବିକାଶକୁ ଆଗକୁ ନେଇପାରିବି। ନିଷ୍ପତ୍ତି ନେବା ଆଗରୁ ପାଟକୁରାବାସୀଙ୍କ ସହ ଆଲୋଚନା କରିଛି ଓ ପରାମର୍ଶ ନେଇଛି । ବାପାଙ୍କ ଆଶୀର୍ବାଦ ନେବା ସହ ପାଟକୁରାର ବିକାଶ ପାଇଁ ଏଭଳି ନିଷ୍ପତ୍ତି ନେଲି। ପାଟକୁରା, କେନ୍ଦ୍ରାପଡ଼ା ଓ ଓଡ଼ିଶାବାସୀଙ୍କ ବିକାଶ ପାଇଁ ଏଭଳି ନିଷ୍ପତ୍ତି ନେବାକୁ ଇଚ୍ଛା ପ୍ରକାଶ କଲି। ଏଭଳି ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଧନ୍ୟବାଦ। ଦଳ ପକ୍ଷରୁ ଯାହା ଦାୟିତ୍ୱ ମିଳିବ ତାହାକୁ ସୁଚାରୁରୂପେ ତୁଲାଇବି ବୋଲି କହିଛନ୍ତି ଅରବିନ୍ଦ।

Leave A Reply

Your email address will not be published.