ଆସାମ ଓ ପଶ୍ଚିମବଙ୍ଗରେ ବଢ଼ୁଛି ସଂକ୍ରମଣ : ତାଗିଦ୍‌ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୩୦।୧୦: ଆସାମ ଓ ପଶ୍ଚିମବଙ୍ଗରେ କୋଭିଡ୍ ସଂକ୍ରମଣ ବଢ଼ୁଛି ହେଲେ ଟେଷ୍ଟିଂ କମୁଛି। ଆଗକୁ ଯେମିତି ସଂକ୍ରମଣ ଉଗ୍ର ରୂପ ନନେଉ ସେଥିପାଇଁ ଏହି ଦୁଇ ରାଜ୍ୟକୁ ତାଗିଦ କରିଛନ୍ତି କେନ୍ଦ୍ର ସରକାର। କରୋନା ଉପଯୁକ୍ତ ନିମୟଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରିବା ସହ ସ୍ଥିତି ସମୀକ୍ଷା କରିବାକୁ ଦୁଇ ରାଜ୍ୟକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ଅତିରିକ୍ତ ସଚିବ ଆରୀତ ଆହୁଜା ଚିଠି ଲେଖିଛନ୍ତି। ଗତ ସପ୍ତାହ (୨୦-୨୬ ଅକ୍ଟୋବର)ରୁ ସାପ୍ତାହିକ ସଂକ୍ରମଣ ବୃଦ୍ଧି ପାଇଛି। ଗତ ୪ ସପ୍ତାହରୁ ଅକ୍ଟୋବର ୨୫ ପର୍ଯ୍ୟନ୍ତ ସାପ୍ତାହିକ ସଂକ୍ରମଣରେ ବୃଦ୍ଧି ହୋଇଛି ବୋଲି ଦର୍ଶାଇ ଦୁଇ ରାଜ୍ୟକୁ ଚେତାଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ।  

ଏହା ପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଅକ୍ଟୋବର ୨୨ ତାରିଖରେ ପଶ୍ଚିମବଙ୍ଗ ସରକାରଙ୍କୁ ସଂକ୍ରମଣ ବୃଦ୍ଧି ସମ୍ପର୍କିତ ଚିଠି ଲେଖିଥିଲେ। ଦୁର୍ଗାପୂଜା ପରେ ରାଜ୍ୟରେ ସଂକ୍ରମଣ ବଢ଼ିଛି ବୋଲି ଦର୍ଶାଇ ଚିନ୍ତା ପ୍ରକଟ କରିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ। ଏପଟେ ଆସାମଙ୍କୁ ଆରତୀ ଆହୁଜା ଲେଖିଥିବା ଚିଠିରେ କହିଛନ୍ତି ଗତ ସପ୍ତାହ(୨୦-୨୬ ଅକ୍ଟୋବର) ସାପ୍ତାହିକ ନୂଆ ସଂକ୍ରମଣ ୪୧ ପ୍ରତିଶତ ବୃଦ୍ଧି ହୋଇଛି। ସେହିପରି ଗତ ୪ ସପ୍ତାହର ରିପୋର୍ଟକୁ ଦେଖିଲେ ସଂକ୍ରମଣକୁ ବଢ଼ିଥିବା ଜଣାପଡ଼ିଛି। ୨୮ ସେପ୍ଟେମ୍ବରରୁ ଅକ୍ଟୋବର ୪ ତାରିଖ ମଧ୍ୟରେ ସଂକ୍ରମଣ ହାର ୧.୮୯ ପ୍ରତିଶତ ଥିଲା ଯାହା ୧୯-୨୫ ଅକ୍ଟୋବର ମଧ୍ୟରେ ବଢ଼ି ୨.୨୨ ପ୍ରତିଶତ ହୋଇଯାଇଛି। ତେବେ ଉଭୟ ରାଜ୍ୟରେ ସଂକ୍ରମଣ ତୁଳନାରେ ଟେଷ୍ଟିଂ କମ୍ ହେଉଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଚିନ୍ତା ପ୍ରକଟ କରିବା ସହିତ ଟେଷ୍ଟିଂ ବଢ଼ାଇବା ଓ କରୋନା ନିୟମ ପାଳନ କରିବାକୁ କୁହାଯାଇଛି।

Comments are closed.